26 March 2017
10:26:02 PM
Sambad News
ଦେଶ- ବିଦେଶ

ବିଏସ୍‌ଏଫ୍‌ ପରେ ସିଆର୍‌ପିଏଫ୍‌ ଯବାନ୍‌ଙ୍କ ଭିଡିଓ ଭାଇରାଲ୍‌

ସେନାର ଯବାନ୍‌ଙ୍କ ପରି ସମାନ ସୁବିଧା ପାଇବା ପାଇଁ ଦାବି କରିଛନ୍ତି ସିଆର୍‌ପିଏଫ୍‌ ଯବାନ୍‌

By Sambad | Date: Jan 12 2017 3:41PM
ବିଏସ୍‌ଏଫ୍‌ ପରେ ସିଆର୍‌ପିଏଫ୍‌ ଯବାନ୍‌ଙ୍କ ଭିଡିଓ ଭାଇରାଲ୍‌

 ନୂଆଦିଲ୍ଲୀ: ଏବେ ଦେଶରେ ବିଏସ୍‌ଏଫ୍‌ ଯବାନ୍‌ ତେଜ ବାହାଦୁର ଯାଦବଙ୍କ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଅର୍ଦ୍ଧ ସାମରିକ ବଳର ଆଉଏକ ଭିଡିଓ ଏବେ ଭାଇରାଲ୍‌ ହୋଇଛି। ସିଆରପିଏଫ୍‌ ଯବାନ୍‌ ଜିତ୍‌ ସିଂଙ୍କର ଏକ ଭିଡିଓ ଏବେ ଭାଇରାଲ୍‌ । ସେ କାହା ବିରୁଦ୍ଧରେ କିଛି ଅଭିଯୋଗ କରି ନ ଥିଲେ ବି ସେନା ପରି ସମାନ ପେନସନ୍‌ ଓ ଅନ୍ୟାନ ସୁବିଧା ପାଇବା ପାଇଁ ଦାବି କରିଛନ୍ତି।

 
ଦେଶର ସୀମାରେ ପହରା ଦେବା ସହ ବିଭିନ୍ନ ପର୍ବ ପର୍ବାଣୀ, ମାଓ ହିଂସା ଦମନ, ମନ୍ଦିର, ମସଜିଦ୍‌, ଗୁରୁଦ୍ୱାର ନିକଟରେ ପହରା ଦେବାସହ ଦେଶରେ ଆଇନ ବ୍ୟବସ୍ଥା ବଜାୟ ରଖିବା ପାଇଁ ସର୍ବଦା କାମ କରୁଥିବା କହିଛନ୍ତି। ତଥାପି ସେନାର ଯବାନଙ୍କୁ ଅବସର ପରେ ଯେପରି ସୁବିଧା ସୁଯୋଗ ଓ ପେନସନ୍‌ ମିଳୁଛି ସେପରି ଅର୍ଦ୍ଧ ସାମରିକ ବଳର ଯବାନମାନଙ୍କୁ ମିଳୁ ନ ଥିବା ସେ ଅଭିଯୋଗ କରିଛନ୍ତି।
 
ସେ ନିଜେ ଏହି ଭିଡିଓଟିକୁ ସୁଟିଂ କରିଛନ୍ତି। ଏହି ଭିଡିଓଟି ୨ ମାସ ତଳର। ଦେଶରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ୫୦ରୁ୬୦ ହଜାର ଟଙ୍କା ମିଳୁଥିବାବେଳେ ସେମାନେ ପର୍ବ ପର୍ବାଣୀ ପାଳନ କରୁଛନ୍ତି, ଘରେ ରହିବାର ସୁବିଧା ପାଉଛନ୍ତି। ଏମାନଙ୍କୁ ଠିକ୍‌ ଭାବରେ ଛୁଟି ବି ମିଳୁ ନ ଥିବା ବେଳେ ଅନେକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବା ଜିତ୍‌ ସିଂ ଅଭିଯୋଗ କରିଛନ୍ତି।
 
୩ ମନିଟ୍‌ର ଏହି ଭିଡିଓରେ ସେ ସେନା ବିରୁଦ୍ଧରେ କିଛି ଅଭିଯୋଗ କରୁ ନ ଥିଲେ ବି ସେମାନଙ୍କ ପରି ସୁବିଧା ସୁଯୋଗ ପାଇବା ପାଇଁ ଦାବି କରିଛନ୍ତି।