28 April 2017
3:55:45 AM
image
Sambad News
ଦେଶ- ବିଦେଶ

ଅରୁଣାଚଳ ସୀମାରେ ପ୍ରତିରୋଧ ବ୍ୟବସ୍ଥା ପାଇଁ ଚୀନ୍‌ର ଧମକ

ବ୍ରାହ୍ମୋସ କ୍ଷେପଣାସ୍ତ୍ର ମୁତୟନକୁ ବିରୋଧ

By Sambad | Date: Aug 23 2016 9:13PM
ଅରୁଣାଚଳ ସୀମାରେ ପ୍ରତିରୋଧ ବ୍ୟବସ୍ଥା ପାଇଁ ଚୀନ୍‌ର ଧମକ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ସୀମାନ୍ତରେ ବ୍ରାହ୍ମୋସ କ୍ଷେପଣାସ୍ତ୍ରର ସ୍ୱତନ୍ତ୍ର ସଂସ୍କରଣ ମୁତୟନ ପାଇଁ ଭାରତ ସରକାରଙ୍କ ନିଷ୍ପତ୍ତିରେ ଚୀନ୍‌ କ୍ଷୁବ୍ଧ ହୋଇଛି। ଏହି ନିଷ୍ପତ୍ତି ନବଦଳିଲେ ଚୀନ୍‌ ମଧ୍ୟ ସୀମାନ୍ତରେ ପ୍ରତିରୋଧ ବ୍ୟବସ୍ଥା ଗ୍ରହଣ କରିବ ବୋଲି ଧମକ ଦେଇଛି।
ବ୍ରାହ୍ମୋସ ମୁତୟନ ଦ୍ୱାରା ସୀମାନ୍ତରେ ଅସ୍ଥିରତା ସୃଷ୍ଟି ହେବ ଓ ଦୁଇ ଦେଶର ସମ୍ପର୍କକୁ ପ୍ରଭାବିତ କରିବ। ଏହା ତିବ୍ଦତ, ୟୁନାନ ପ୍ରଦେଶର ସୁରକ୍ଷା ପ୍ରତି ବିପଦ ବଢ଼ାଇବ। ଏହା ଭାରତର ଆତ୍ମ ପ୍ରତିରକ୍ଷା ବ୍ୟବସ୍ଥାଠାରୁ ଅଧିକ ହୋଇଥିବାରୁ ଦୁଇ ଦେଶ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଓ ମୁକାବିଲା ମନୋଭାବ ସୃଷ୍ଟି ହେବ ବୋଲି ଚୀନ୍‌ ସେନାବାହିନୀର ମୁଖପତ୍ର ପିଏଲ୍‌ଏ ଡେଲି ଚେତାବନୀ ଦେଇଛି। ଏହି ସୁପରସୋନିକ କ୍ରୁଇଜ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ପରିସର ୨୯୦ କିମି ଥିବାରୁ ଏହା ଚୀନ୍‌ର ଆଭ୍ୟନ୍ତରୀଣ ଅଞ୍ଚଳ ପାଇଁ ବିପଦ ହେବନାହିଁ। କିନ୍ତୁ ଭାରତ-ଚୀନ୍‌ ସୀମାନ୍ତ ପାର୍ବତ୍ୟାଞ୍ଚଳ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ବ୍ରାହ୍ମୋସର ସ୍ୱତନ୍ତ୍ର ସଂସ୍କରଣ ନିର୍ମାଣ କରାଯାଇଛି। ପାର୍ବତ୍ୟ ଯୁଦ୍ଧରେ ଅତ୍ୟନ୍ତ ନିଖୁଣ ଲକ୍ଷ୍ୟଭେଦ କ୍ଷମତା ରଖିଥିବା ଏହି କ୍ଷେପଣାସ୍ତ୍ର ମୁତୟନ ଦ୍ୱାରା ଚୀନ୍‌ ସୀମାନ୍ତ ଅଞ୍ଚଳରେ ସାମରିକ ସନ୍ତୁଳନ ବ୍ୟାହତ ହେବ ବୋଲି ଏହା ଉଲ୍ଲେଖ କରିଛି। 
ଉଲ୍ଲେଖଯୋଗ୍ୟ, ଚୀନ୍‌ ସେନା ଅରୁଣାଚଳରେ ବାରମ୍ବାର ପ୍ରବେଶ କରୁଥିବାରୁ ଏହାକୁ ନେଇ ଦୁଇ ସେନା ସୀମାନ୍ତରେ ମୁହାଁମୁହିଁ ହେଉଛନ୍ତି। ଏପରିକି କେତେକ ଘଟଣାରେ ଦୁଇ ସେନା ମଧ୍ୟରେ ଠେଲାପେଲା ଘଟଣା ଘଟିଛି। ଚୀନ୍‌ ବିମାନ ମଧ୍ୟ ଅରୁଣାଚଳ ଆକାଶ ସୀମା ଲଙ୍ଘନ କରୁଛି। ଭାରତକୁ ଭୟଭୀତ କରିବାକୁ ଚୀନ୍‌ ଏପରି କରୁଥିବାରୁ ସୀମାନ୍ତ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ବିଜେପି ସରକାର ନିଷ୍ପତ୍ତି ନେଇଛନ୍ତି।  ଚଳିତ ମାସ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିରାପତ୍ତା ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକ ବସି ଚୀନ୍‌ ସୀମାନ୍ତରେ ୪୩୦୦  କୋଟି ଟଙ୍କା ବ୍ୟୟରେ ୧୦୦ ସ୍ୱତନ୍ତ୍ର ବ୍ରାହ୍ମୋସ କ୍ଷେପଣାସ୍ତ୍ର, ୫ ଭ୍ରାମ୍ୟମାଣ  ସ୍ୱୟଂଚାଳିତ ଲଞ୍ଚର ଓ ଭ୍ରାମ୍ୟମାଣ କମାଣ୍ଡ ପୋଷ୍ଟ ପାଇଁ ନିଷ୍ପତ୍ତି ନେଇଥିଲେ।
ବ୍ରାହ୍ମୋସ ବିଶ୍ୱର ଦ୍ରୁତଗାମୀ ବିମାନ ବିଧ୍ୱଂସୀ କ୍ଷେପଣାସ୍ତ୍ର ଭାବେ ପରିଚିତ। ଭାରତ ଓ ରୁଷ୍‌ ମିଳିତ ଉଦ୍ୟମରେ ନିର୍ମିତ ଏହି କ୍ଷେପଣାସ୍ତ୍ରକୁ ବୁଡ଼ାଜାହାଜ, ଜାହାଜ, ବିମାନ ଓ ସ୍ଥଳଭାଗରୁ ନିକ୍ଷେପ କରାଯାଇପାରିବ।
 

image