17 August 2017
6:58:25 PM
Sambad News
ଦେଶ- ବିଦେଶ

ଭାରତ ମହାସାଗର ଅଞ୍ଚଳର ସୁରକ୍ଷା ଲାଗି ଭାରତର ସହଯୋଗ ଲୋଡ଼ିଲା ଚୀନ୍‌

By Sambad | Date: Aug 11 2017 5:17PM
ଭାରତ ମହାସାଗର ଅଞ୍ଚଳର ସୁରକ୍ଷା ଲାଗି ଭାରତର ସହଯୋଗ ଲୋଡ଼ିଲା ଚୀନ୍‌

ବେଜିଂ: ଗୋଟିଏ ପଟେ ଡୋକ୍‌ଲାମ୍‌ରେ ସୈନ୍ୟ ସଂଖ୍ୟା ବୃଦ୍ଧି କରି ଚୀନ୍‌ ଭାରତର ଚିନ୍ତା ବଢ଼ାଉଥିବା ବେଳେ  ଅନ୍ୟପଟେ ଭାରତ ମହାସାଗର ଅଞ୍ଚଳରେ ଶାନ୍ତି -ଶୃଙ୍ଖଳା ବଜାୟ ରଖିବା ଲାଗି ଭାରତର ସହଯୋଗ ଲୋଡ଼ିଛି। ଚୀନ୍‌ର ଉପକୂଳ ସହର ଝାଙ୍ଗଜିଆନ୍‌ସ୍ଥିତ ଚୀନ ନୌସେନାର ସାଉଥ୍‌  ସି ଫ୍ଲିଟ୍‌ (ଦକ୍ଷିଣ ସାଗର ଭେଳା)ର ସାମରିକ ଘାଟୀରେ କେତେଜଣ ଭାରତୀୟ ସାମ୍ବାଦିକଙ୍କ ସହ  ଔପଚାରିକ କଥାବାର୍ତ୍ତା ସମୟରେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି କ୍ୟପଟେନ୍‌ ଲିଆଙ୍ଗ୍‌ ତିଆନ୍‌ଜୁନ୍‌। ଚୀନ୍‌ର କୌଣସି ସାମୁଦ୍ରିକ ଘାଟୀକୁ ଭାରତୀୟ ସାମ୍ବାଦିକ ପରିଦର୍ଶନରେ ଯିବାରେ ଏହା ହେଉଛି ପ୍ରଥମ ଘଟଣା।
 
ଚୀନା ନୌସେନାର ସାଉଥ୍‌ ସି ଫ୍ଲିଟ୍‌ର ଉପମୁଖ୍ୟ କ୍ୟାପ୍‌ଟେନ୍‌ ଲିଆଙ୍ଗ୍‌ ଆହୁରି  କହିଥିଲେ ଯେ ,ଆଫ୍ରିକାର ଡିଜିବୌତିଠାରେ ନୌସେନା ଘାଟୀ ପ୍ରତିଷ୍ଠା ପରେ ଭାରତ ମହାସାଗର ଅଞ୍ଚଳରେ ଚୀନ୍‌ର ଗତିବଧି ବୃଦ୍ଧି ପାଇଛି। ଏହି ଅଞ୍ଚଳରେ ସୁରକ୍ଷା ଓ ଶୃଙ୍ଖଳା ଲାଗି ଭାରତ ଚୀନ୍‌ ସହ ହାତ ମିଳାଇବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ। ଏହା ଦ୍ୱାରା ଜଳଦସ୍ୟୁମାନଙ୍କ କାର୍ଯ୍ୟକଳାପକୁ ପ୍ରତିହତ କରାଯାଇପାରିବା ସହ  ଜାତିସଂଘର ଶାନ୍ତି ଉପକ୍ରମଗୁଡ଼ିକୁ କାର୍ଯ୍ୟକାରୀ କରିବା ସହଜ ହେବ। 
 
ଭାରତ ମହାସାଗର ଏକ ବିରାଟ ଅଞ୍ଚଳ। ତେଣୁ ଅନ୍ତର୍ଜାତୀୟ ସମୁଦାୟ ଏହି ଅଞ୍ଚଳର ଶାନ୍ତି-ଶୃଙ୍ଖଳା ରକ୍ଷା ଲାଗି ଉଦ୍ୟମୀ ହେବା ଉଚିତ୍‌ ବୋଲି ଲିଆଙ୍ଗ୍‌ କହିଥିଲେ।