27 June 2017
5:48:23 AM
image
Sambad News
ଦେଶ- ବିଦେଶ

ଜେପି ପେନ୍‌ସନ୍‌ ଯୋଜନାରେ ଲାଲୁ ପାଇବେ ମାସିକ ୧୦ ହଜାର ଟଙ୍କା

By Sambad | Date: Jan 12 2017 9:26AM
ଜେପି ପେନ୍‌ସନ୍‌ ଯୋଜନାରେ ଲାଲୁ ପାଇବେ ମାସିକ ୧୦ ହଜାର ଟଙ୍କା
Photo Courtesy: TOI

ପାଟନା: ବୁଧବାର ବିହାର ଗୃହମନ୍ତ୍ରଣାଳୟ ଆର୍‌ଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ପେନ୍‌ସନ୍‌ ଆବେଦନକୁ ଅନୁମୋଦନ କରିଛନ୍ତି। ଜୟପ୍ରକାଶ ସେନାନୀ ସମ୍ମାନ ଯୋଜନା ଅଧୀନରେ ଲାଲୁ ମାସିକ ୧୦, ୦୦୦ ଟଙ୍କା ପେନ୍‌ସନ୍‌ ପାଇବେ। ସ୍ୱାଧୀନତା ସଂଗ୍ରାମୀ ଜୟ ପ୍ରକାଶ ନାରାୟଣଙ୍କ ସ୍ମରଣାର୍ଥେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପ୍ରଥମ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଆରମ୍ଭ କରାଯାଇଥିବା ଏହି ଯୋଜନାରେ ବରିଷ୍ଠ ବିଜେପି ସଦସ୍ୟ ସୁଶୀଳ କୁମାର ମୋଦିଙ୍କ ସମେତ ୩୦୦୦ରୁ ଊର୍ଦ୍ଧ୍ୱ ହିତାଧିକାରୀ ଅଛନ୍ତି।
 
ଗୃହ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଲାଲୁଙ୍କର ଆବେଦନ ଠିକ୍‌ଠାକ୍‌ ଥିଲା। ତାଙ୍କୁ ପେନ୍‌ସନ୍‌ ଦେବା ପାଇଁ ଟ୍ରେଜେରି ଏବଂ ସମ୍ପୃକ୍ତ ବ୍ୟାଙ୍କ୍‌କୁ ରାଜ୍ୟ ଗୃହ ବିଭାଗ ଏକ ନିର୍ଦେଶନାମା ପଠାଇବ। ୨୦୦୯ ଠାରୁ ଲାଲୁଙ୍କ ପାଇଁ ଏହି ପେନ୍‌ସନ୍‌ ଲାଗୁହେବ।
 
ଜୟପ୍ରକାଶ ଡାକରା ଦେଇଥିବା ’ସମ୍ପୂର୍ଣ୍ଣ କ୍ରାନ୍ତି’ରେ ଭାଗ ନେଇ ଜଣେ ଛାତ୍ର ନେତା ହିସାବରେ ଲାଲୁଙ୍କୁ ୧୯୭୪ ମସିହାରେ ମେଣ୍ଟେନାନ୍‌ସ୍‌ ଅଫ୍‌ ଇଣ୍ଟର୍‌ନାଲ୍‌ ସିକ୍ୟୁରିଟି ଆକ୍ଟ୍‌ (ମିସା) ବଳରେ ଗିରଫ କରାଯାଇ ବାଙ୍କିପୁର ଜେଲ୍‌ରେ ରଖାଯାଇଥିଲା। ନିୟମ ଅନୁସାରେ ଯେ କୌଣସି ବ୍ୟକ୍ତି ‘ମିସା’ ଯୋଗୁଁ ୬ ମାସ କିଂବା ‘ଡିଫେନ୍‌ସ୍‌ ରୁଲ୍‌ ଅଫ୍‌ ଇଣ୍ଡିଆ’ ଦ୍ୱାରା ମାର୍ଚ ୧୮, ୧୯୭୪ରୁ ମାର୍ଚ ୨୧, ୧୯୭୭ ଯାଏଁ କାରଦଣ୍ଡ ଭୋଗିଥିବେ ସେମାନେ ମାସିକ ୧୦, ୦୦୦ ଟଙ୍କା ପାଇବାକୁ ଯୋଗ୍ୟ।