26 March 2017
10:31:56 PM
Sambad News
ଦେଶ- ବିଦେଶ

ବିମାନବନ୍ଦରରେ ହାଇ ଆଲର୍ଟ, ଆତଙ୍କବାଦୀ ଆକ୍ରମଣ ସମ୍ଭାବନା

By Sambad | Date: Jan 11 2017 9:58PM
ବିମାନବନ୍ଦରରେ ହାଇ ଆଲର୍ଟ, ଆତଙ୍କବାଦୀ ଆକ୍ରମଣ ସମ୍ଭାବନା

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସକୁ ନଜରରେ ରଖି ଆତଙ୍କବାଦୀମାନେ ଆକ୍ରମଣ କରିବା  ସୂଚନା ମିଳିବା ପରେ ଦେଶର ସବୁ ବିମାନବନ୍ଦରକୁ ହାଇ ଆଲର୍ଟ ରଖାଯାଇଛି।  ସିଆଇଏସ୍‌୍‌ଏଫ୍‌କୁ ଏ ବାବଦରେ ନୂତନ ସୁରକ୍ଷା ନିର୍ଦ୍ଦେଶାବଳୀ ଦିଆଯାଇଛି। ଆତଙ୍କବାଦୀମାନେ ଛଦ୍ମବେଶରେ ବିମାନବନ୍ଦର ଟର୍ମିନାଲରେ ପଶିବାକୁ ଯୋଜନା କରୁଥିବା ନେଇ କେନ୍ଦ୍ର ଗୁଇନ୍ଦା ସଂସ୍ଥା ଆଜି ସତର୍କ ସୂଚନା ଜାରି କରିଛି। ଆକ୍ରମଣକାରୀ ସୁରକ୍ଷାକର୍ମୀଙ୍କ ପୋଷାକ ପିନ୍ଧି ଆସିବା  ସମ୍ଭାବନା ଥିବାରୁ ବିମାନବନ୍ଦରର ସୁରକ୍ଷା ଉପରେ ତୀକ୍ଷ୍‌ଣ ନଜର ରଖିବାକୁ ନିର୍ଦ୍ଦେଶ ମିଳିଛି। ପୂର୍ବରୁ ବେସାମରିକ ବିମାନ ସୁରକ୍ଷା ବିଭାଗ  ଏନେଇ ଡିସେମ୍ବର ୨୮ତାରିଖରେ ଏକ ନିର୍ଦ୍ଦେଶାବଳୀ ଜାରି କରିଥିଲା। କିଛି ୟୁନିଫର୍ମଧାରୀ କର୍ମଚାରୀଙ୍କ ପାଖରେ ବିମାନବନ୍ଦର ପ୍ରବେଶ ପାସ୍‌ ରହିଛି। ପାସ୍‌ ଥିବା ସତ୍ତ୍ୱେ ସେମାନଙ୍କୁ ସତର୍କତାପୂର୍ବକ ଯାଞ୍ଚ କରିବାକୁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀକୁ (ସିଆଇଏସ୍‌ଏଫ୍‌୍‌)କୁ ଏଥିରେ ପରାମର୍ଶ ଦିଆଯାଇଛି। ଏହାଛ଼ଡ଼ା ବିମାନବନ୍ଦରମାନଙ୍କରେ ବ୍ୟାପକ ଅର୍ଦ୍ଧସାମରିକ ବାହିନୀ ଯବାନ ମୁତୟନ କରାଯାଇଛି। ଏମାନେ ଯାତ୍ରୀମାନଙ୍କୁ ସହାୟତା ପ୍ରଦାନ କରିବା ସହିତ ସନ୍ଦେହଜନକ ଗତିବିଧି ଉପରେ ଲକ୍ଷ୍ୟ ରଖିବେ ବୋଲି କୁହାଯାଇଛି।