22 January 2017
9:47:41 PM
image
Sambad News
ଦେଶ- ବିଦେଶ

ବିମୁଦ୍ରାୟନ ସମୁଚିତ ପଦକ୍ଷେପ: ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ଯଶୋଦାବେନ୍‌

By Sambad | Date: Jan 12 2017 12:26PM
ବିମୁଦ୍ରାୟନ ସମୁଚିତ ପଦକ୍ଷେପ: ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ଯଶୋଦାବେନ୍‌
Photo Courtesy: TOI

ଉଦୟପୁର: ଦେଶରୁ କଳାଟଙ୍କା ବାହାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମୁଦ୍ରାୟନ ପଦକ୍ଷେପ ଫଳପ୍ରଦ ହୋଇଛି ବୋଲି ଦାବି କରିଛନ୍ତି ତାଙ୍କ ପତ୍ନୀ ଯଶୋଦାବେନ୍‌।
 
୬୪ ବର୍ଷୀୟ ଅବସରପ୍ରାପ୍ତ ସ୍କୁଲ୍‌ ଶିକ୍ଷିକା ବୁଧବାର ଦିନ ଉଦୟପୁର ଦକାନ୍‌ କୋତ୍‌ଡ଼ାଠାରେ ଏକ ଘରୋଇ ସ୍କୁଲ୍‌ର ସୁବର୍ଣ୍ଣ ଜୟନ୍ତୀରେ ଯୋଗଦେଇ କହିଲେ- ବିମୁଦ୍ରାୟନ କରି ମୋଦିଜି ସମୁଚିତ ପଦକ୍ଷେପ ନେଇଛନ୍ତି। ୫୦୦ ଏବଂ ୧୦୦୦ ଟଙ୍କିଆ ନିଷିଦ୍ଧ ହେବା ଯୋଗୁଁ ସାରା ଦେଶରୁ ସବୁ କଳାଟଙ୍କା ବାହାରକୁ ଚାଲିଆସିଛି। 
 
‘ବନ୍ଦେ ମାତାରାଂ’ ଉଚ୍ଚାରଣ କରି ଭାଷଣ ଆରମ୍ଭ କରିଥିବା ଯଶୋଦାବେନ୍‌ କହିଲେ- ସ୍ୱେଚ୍ଛାରେ ଗ୍ୟାସ୍‌ ସବ୍‌ସିଡି ଛାଡ଼ିବାକୁ ମୋଦିଙ୍କ ନିବେଦନ ଯୋଗୁଁ ଦରିଦ୍ର ପରିବାରର ମହିଳାମାନେ ଉପକୃତ ହେଉଛନ୍ତି। ଏଥିଯୋଗୁଁ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଘରମାନଙ୍କୁ ସରକାର ମାଗଣା ଏଲ୍‌ପିଜି ସଂଯୋଗ ଦେଇ ପାରୁଛନ୍ତି। 
 
ମହିଳାମାନଙ୍କୁ ଆତ୍ମନିର୍ଭରଶୀଳା ହେବାକୁ କହି ସେ କହିଲେ- ସୁଷମା ସ୍ୱରାଜ, ମାୟାବତୀ ଏବଂ ଇନ୍ଦିରା ଗାନ୍ଧୀ ଉନ୍ନତି କରିପାରିଲେ, ଦେଶର ବାକି ମହିଳାମାନେ କାହିଁକି ପାରିବେ ନାହିଁ? ଛାତ୍ରଛାତ୍ରୀମାନଙ୍କର ସାଂସ୍କୃତିକ ପରିବେଷଣରେ ମୁଗ୍ଧ ହୋଇ ଯଶୋଦାବେନ୍‌ ସେମାନଙ୍କୁ ୨୦୦୦ ଟଙ୍କା ନଗଦ ପୁରସ୍କାର ଦେଇଥିଲେ।