26 June 2017
12:41:48 AM
Sambad News
ଦେଶ- ବିଦେଶ

ଊଟି: ଛାତ ଭାଙ୍ଗି ଘରେ ପଡ଼ିଲା ବଣୁଆହାତୀ ଛୁଆ!

By Sambad | Date: Apr 21 2017 12:45PM
ଊଟି: ଛାତ ଭାଙ୍ଗି ଘରେ ପଡ଼ିଲା ବଣୁଆହାତୀ ଛୁଆ!

ଉଧାଗମଣ୍ଡଳମ୍‌: ଗୁରୁବାର ଦିନ ଭୋର୍‌ବେଳା ଗୁଡ଼ାଲୁର ସହରର କୋଝିପାଲମ୍‌ ଅଞ୍ଚଳରେ ଗୋଟାଏ ହାତୀ ଏବଂ ତା’ ବର୍ଷକର ଛୁଆ ବୁଲି ବାହାରିଥିଲେ। ଦୈବାତ୍‌ ଛୁଆଟି ରାସ୍ତାକଡ଼ରେ ଥିବା ସେ ଆଜ୍‌ବେଷ୍ଟସ୍‌ ଘର ଉପରେ ଚଢ଼ିଯିବାରୁ ତାହା ଭାଙ୍ଗିଗଲା। ଶଙ୍କିତା ମାଆ ହାତୀ ସାମ୍ନାରେ ତା’ ଛୁଆଟି ଦୁମ୍‌କିନି ଘର ଭିତରେ ଖସି ପଡ଼ିଲା।
 
ସେତେବେଳେ ୩୦ ବର୍ଷୀୟ ଜୁମିଲା ଏବଂ ତା’ ଦେଢ଼ ମାସିଆ ପିଲାଟି ଘର ଭିତରେ ନିଘୋଡ଼ ନିଦରେ ଶୋଇଥିଲେ। ନିଦ ଭାଜି ଯିବାରୁ ମ୍ଳାନ ଆଲୁଅରେ ଜୁମିଲା ଦେଖିଲା ଘର ଭିତରେ ହାତୀଟାଏ ଆବାକାବା ହୋଇ ଚାହୁଁଛି। ତା’ପିଲାଟି ଛାନିଆରେ କାନ୍ଦୁଛି। 
 
ଏହାକୁ ଦୁଃସ୍ୱପ୍ନ ବିଚାରି ସେ ପୁଣି ଶୋଇପଡ଼ିଲା। କିନ୍ତୁ, ପିଲାର କାନ୍ଦ ସହ ତାଳ ଦେଇ ହାତୀ ଛୁଆ ବି ବାଇଆ ଭଳି ହେଲା। 
 
ଏଥର ଜୁମିଲା ନିଜ ଛୁଆକୁ ଧରି ରୋଷେଇ ଘରକୁ ପଶିଗଲା। ହାତୀଛୁଆ ବି ତୁରନ୍ତ ଘରୁ ବାହାରି ଯିବାକୁ ଉଦ୍ୟମ କରି ତରବରରେ ଜୁମାଲିକୁ ଧକ୍କାଏ ପକାଇଲା। ସେଥିଯୋଗୁଁ ଜୁମାଲି ସାମାନ୍ୟ ଆଘାତ ପାଇଛି ବୋଲି କହନ୍ତି ଗୁଡ଼ାଲୁର୍‌ ବନ୍ୟ ଅଧିକାରୀ ପି ଗଣେଶନ୍‌।
 
ଦୁଆର ବନ୍ଦ ଥିବାରୁ ହାତୀଛୁଆ ପଦାକୁ ବାହାରି ପାରି ନ ଥିଲା। ଭିତରେ ଯେମିତି ନିଜ ପିଲାକୁ ବଞ୍ଚାଇବାକୁ ଜୁମିଲା ବ୍ୟସ୍ତ ହେଉଥିଲା, ସେମିତି ବାହାରେ ଥାଇ ମାଆ ହାତୀ ନିଜ ଛୁଆ ପାଖକୁ ଯିବାକୁ ବାଟ ଖୋଜୁଥିଲା।
 
ଶେଷକୁ ମା’ହାତୀ ଘରର ପଛ କବାଟ ଭାଙ୍ଗି ହାତୀଛୁଆକୁ ବାହାରକୁ ଟାଣି ଆଣିଲା ବୋଲି ବନ ଅଧିକାରୀମାନେ କହୁଛନ୍ତି। 
 
ପରେ ପରେ ବନ ବିଭାଗ କର୍ମଚାରୀମାନେ ହାତୀ ଓ ତା’ ଛୁଆକୁ ୫୦୦ ମିଟର ଦୂରରେ ଥିବା ସଂରକ୍ଷିତ ଅରଣ୍ୟକୁ ତଡ଼ି ଦେଇଥିଲେ। 
ଛାନିଆ ହୋଇଯାଇଥିବା ଜୁମିଲାକୁ ଗୁଡ଼ାଲୁର ସରକାରୀ ଡାକ୍ତରଖାନାରେ ଦାଖଲ କରାଯାଇଛି।