26 March 2017
10:31:27 PM
Sambad News
ଦେଶ- ବିଦେଶ

ଯୋତା ମାଡ଼ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ବାଦଲ ଆହତ

ଶିଖ୍‌ ଚରମପନ୍ଥୀଙ୍କ ହାତ!

By Sambad | Date: Jan 11 2017 9:38PM
ଯୋତା ମାଡ଼ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ  ବାଦଲ ଆହତ

ବଥିଣ୍ଡା: ଶିଖ୍‌ ଚରମପନ୍ଥୀ ବୋଲି ସନ୍ଦେହ କରାଯାଉଥିବା ଜଣେ ବ୍ୟକ୍ତିର ଯୋତା ମାଡ଼ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ଆହତ ହୋଇଛନ୍ତି। ତାଙ୍କ ଆଖିରେ ଗୁରୁତର ଆଘାତ ଲାଗିଛି। ଆଜି ଅପରାହ୍ନରେ ନିଜ ନିର୍ବାଚନ ମଣ୍ଡଳୀ ମୁକ୍ତସାର ଜିଲ୍ଲାର ଲାମ୍ବି ଅନ୍ତର୍ଗତ ରତାଖେରା ଗ୍ରାମକୁ  ପ୍ରଚାର ଅଭିଯାନରେ ଯାଇଥିବା ବେଳେ ବାଦଲଙ୍କୁ ଉପରକୁ ଗୁରୁବଚ୍ଚନ ସିଂହ ନାମକ ଜଣେ ବ୍ୟକ୍ତି ଯୋତା ଫୋପାଡ଼ିଥିଲା। ଯୋତାଟି ବାଦଲଙ୍କ ଆଖିରେ ବାଜିଥିଲା। ତାଙ୍କ ଚଷମା ଭାଙ୍ଗିଯିବା ସହ ଆଖି ପତା ଫାଟି ରକ୍ତ ବୋହିବା ଆରମ୍ଭ କରିଥିଲା।   ନିର୍ବାଚନ ପ୍ରଚାରରେ ଏଭଳି ହିଂସା ଏବଂ ବାଦଲଙ୍କ ଆଖିରୁ ରକ୍ତ ବୋହିବା ଦେଖି ସମର୍ଥକ ମହଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ବାହିନୀ ତତ୍କାଳ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ବାଦଲଙ୍କୁ କକ୍ଷା ସୁରକ୍ଷା ବଳୟ ମଧ୍ୟରେ  ସଭା ମଧ୍ୟରୁ ବାହାରକୁ ଆଣିଥିଲେ ଏବଂ ନିକଟସ୍ଥ ହସ୍ପିଟାଲ ନେଇ ଚିକିତ୍ସା କରାଯାଇଥିଲା। ଯୋତାମାଡ଼ କରିଥିବା ଗୁରୁବଚନ ସିଂହକୁ ପୁଲିସ ଗିରଫ କରିଛି। ସେ ଶିଖ୍‌ର କଠୋରପନ୍ଥୀ ନେତା ଅମରିକ୍‌ ସିଂହ ଆଜ୍ଞାଲାର ସମ୍ପର୍କୀୟ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ବାଦଲ ନିନ୍ଦା କରି ବିରୋଧୀମାନେ ଏବେ ହତାଶ ହୋଇ ହିଂସାର ଆଶ୍ରୟ ନେଇଥିବା କହିଛନ୍ତି। 

ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ଲାମ୍ବି ଅଧିବାସୀ ନୁହନ୍ତି। ସେ ଫଜିଲ୍‌କା ଜିଲ୍ଲା ଅନ୍ତର୍ଗତ ଝୁର୍ଦଖେରା ଗ୍ରାମର ବୋଲି ପୁଲିସ କହିଛି। ଯୋଜନାବଦ୍ଧ ଭାବେ ଏହି ଆକ୍ରମଣ ହୋଇଥିବା  ତଦନ୍ତକାରୀ ପୁଲିସ କହିଛି। ତେବେ ଏହି ଘଟଣାରେ ଆଦୌ ଭୟଭୀତ ନୁହନ୍ତି ଏବଂ ପ୍ରଚାର ଅଭିଯାନ ଜାରି ରହିବ ବୋଲି ବାଦଲ କହିଛନ୍ତି। ଆସନ୍ତା ଫେବୃଆରୀ ୪ରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବ। ଏହି ନିର୍ବାଚନରେ ଅକାଳି ଏବଂ ବିଜେପି ମେଣ୍ଟ  କଂଗ୍ରେସ ଏବଂ ଆମ୍‌ ଆଦ୍‌ମୀ ପାର୍ଟି ବିରୋଧରେ ଲଢ଼ିବ।  ଗତବର୍ଷର ଗୁରୁ ଗ୍ରନ୍ଥ ସାହିବ ଅସମ୍ମାନ ଘଟଣାରେ ସରକାରଙ୍କ ନିଷ୍କ୍ରିୟତା ପ୍ରତିବାଦରେ ଏଭଳି କାଣ୍ଡ ଘଟାଇଥିବା ଗିରଫ ଗୁରୁବଚ୍ଚନ କହିଛି।  ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣ ଶେଷ କରି ଉଠୁଥିବା ବେଳେ ତାଙ୍କ ଉପରକୁ ଯୋତା ଫିଙ୍ଗାଯାଇଥିଲା। ସୂଚନାଯୋଗ୍ୟ ଗତ କିଛିଦିନ ତଳେ ଉପ ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କୁ ମଧ୍ୟ ତାଙ୍କ ନିର୍ବାଚନ ମଣ୍ଡଳୀ ଫଜିଲ୍‌କା ଜିଲ୍ଲାସ୍ଥ ଜଲାଲାବାଦରେ ପଥର ଫିଙ୍ଗା ଯାଇଥିଲା। ଏହି  ଘଟଣାରେ ଚାରି ଜଣ  ଆହତ ହୋଇଥିଲେ।