24 February 2017
10:34:45 PM
Sambad News
ଦେଶ- ବିଦେଶ

ସାହାରା ଡାଏରି ମାମଲା: ତଦନ୍ତ ଆବେଦନ ଖାରଜ କଲେ ସୁପ୍ରିମ କୋର୍ଟ

By Sambad | Date: Jan 12 2017 12:09AM
ସାହାରା ଡାଏରି ମାମଲା: ତଦନ୍ତ ଆବେଦନ ଖାରଜ କଲେ ସୁପ୍ରିମ କୋର୍ଟ

ଲକ୍ଷ୍ନୌ: ରାଜନୈତିକ ଦୃଷ୍ଟିରୁ ଅତି ସ୍ପର୍ଶକାତର କୁହାଯାଉଥିବା ସାହାରା ଡାଏରି ମାମଲାରେ ଆଜି ସୁପ୍ରିମ୍‌ କୋର୍ଟ ରାୟ ଶୁଣାଇ  ତଦନ୍ତ ଆବେଦନକୁ ଖାରଜ କରିଛନ୍ତି। ସାହାରା-ବିର୍ଲା ଡାଏରିର କିଛି ବିଶ୍ୱସନୀୟତା ନଥିବା ଏବଂ ଏଥିରେ କିଛି ପ୍ରମାଣିତ ହେବାକୁ ନଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟମାନଙ୍କ ବିରୋଧରେ ତଦନ୍ତ ପାଇଁ ହୋଇଥିବା ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଯଦି ଏଭଳି ଗ୍ରହଣଯୋଗ୍ୟ ନଥିବା ପ୍ରମାଣକୁ ଆଧାର କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବ, ତା’ହେଲେ ସାମ୍ବିଧାନିକ ବ୍ୟବସ୍ଥା ଅଚଳ ହୋଇଯିବ ଏବଂ ଗଣତନ୍ତ୍ର ସୁରକ୍ଷିତ ରହିବ ନାହିଁ। 

ଏହା ପୂର୍ବରୁ ନଭେମ୍ବର ୧୪ରେ କୋର୍ଟ କହିଥିଲେ ଯେ ଯେଉଁ ଆଧାରରେ ତଦନ୍ତ ପାଇଁ ଆବେଦନ କରାଯାଇଛି ତାହା  ପ୍ରମାଣ ଭାବେ ପର୍ଯ୍ୟାପ୍ତ ନୁହେଁ। ତେବେ  ଏ ବାବଦରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ପୁନଃ ସତ୍ୟପାଠ ଦାଖଲ କରି  ତଦନ୍ତ ପାଇଁ ଆବେଦନ କରିଥିବାରୁ କୋର୍ଟ ଆଜି ରାୟ ଶୁଣାଇ  ମାମଲାକୁ ଖାରଜ କରିଦେଇଛନ୍ତି। ଭୂଷଣ ଯୁକ୍ତି କରିଥିଲେ ଯେ ଏହି ଦଲିଲରୁ ରାଜନେତାମାନେ ଲାଞ୍ଚ ଗ୍ରହଣ କରିଥିବା ପ୍ରମାଣ ନହେଲେ ମଧ୍ୟ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଏଫ୍‌ଆଇର ଦାଖଲ କରି ସତ୍ୟ ସାମନାକୁ ଆଣିବା ପାଇଁ ଆଦେଶ ଦିଆଯାଇ ପାରିବ। ତେବେ କୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରିନଥିଲେ ଏବଂ ଏଫ୍‌ଆଇଆର୍‌ ଦାଖଲ ପାଇଁ କ’ଣ ଅପରାଧ ହୋଇଛି ତାହା ପ୍ରଥମେ ଜାଣିବା ଦରକାର ବୋଲି କହିଥିଲେ। ସରକାରଙ୍କ ପକ୍ଷରୁ ଏଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗି କହିଥିଲେ ଯେ ଶାହାରା-ବିର୍ଲା ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୌଣସି ଅର୍ଥ ଦିଆଯାଇଥିବାର ପ୍ରମାଣ ନାହିଁ।  ଏଭଳି ଦଲିଲକୁ ପ୍ରମାଣ ଭାବେ ଗ୍ରହଣ କରାଗଲେ ଦେଶରେ  କେହି ଜଣେ ହେଲେ ଏଥିରୁ ବର୍ତ୍ତିପାରିବେ ନାହିଁ ବୋଲି ସେ କହିଥିଲେ।  

୨୦୧୪ରେ ସାହାରା କାର୍ଯ୍ୟାଳୟରେ ଚଢ଼ଉ ବେଳେ ମିଳିଥିବା ଡାଏରିରେ  ନେତାମାନଙ୍କୁ ଦିଆଯାଇଥିବା ଲାଞ୍ଚ ଅର୍ଥ ସଂପର୍କରେ ଉଲ୍ଲେଖ ଥିଲା। ଏଥିରେ ୧୮ଟି ରାଜନୈତିକ ଦଳର ଶତାଧିକ ନେତାଙ୍କ ନାମ ଉଲ୍ଲେଖ  ରହିଛି।   ଡାଏରିରେ ରହିଥିବା ତଥ୍ୟ ଅନୁଯାୟୀ ମୋଦି ୨୦୧୩ ଅକ୍ଟୋବର ୩୦ରୁ ୨୦୧୪ ଫେବ୍ରୁଆରି ୨୨ ମଧ୍ୟରେ ୯ ଥରରେ ୪୦ କୋଟି ଟଙ୍କା ଗ୍ରହଣ କରିଥିଲେ ବୋଲି ଦର୍ଶାଯାଇଛି । ଡାଏରୀରେ ବିଜେପି, କଂଗ୍ରେସ, ଜେଡିୟୁ, ଆର୍‌ଜେଡି, ସମାଜବାଦୀ ପାର୍ଟି, ଏନ୍‌୍‌ସିପି, ଜେଏମ୍‌୍‌ଏମ୍‌, ଟିଏମ୍‌୍‌ସି, ବିଜେଡି ଓ ଶିବସେନା ସମେତ ୧୮ଟି  ଦଳର ନାମ ଉଲ୍ଲେଖ ରହିଛି। ୨୦୧୦ ମସିହା ଏବଂ ୨୦୧୩-୧୪ରେ  ସାହାରା ଶହେ କୋଟି ଟଙ୍କା ଲାଞ୍ଚ ଦେଇଥିବା ଉଲ୍ଲେଖ କରିଛି।