25 June 2017
7:17:01 AM
Sambad News
ଦେଶ- ବିଦେଶ

ୟୁପିଏରେ ସପା-କଂଗ୍ରେସ ମେଣ୍ଟ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ

ମିଳିତ ପ୍ରଚାର କରିବେ ରାହୁଲ-ଅଖିଳେଶ

By Sambad | Date: Jan 11 2017 10:19PM
ୟୁପିଏରେ ସପା-କଂଗ୍ରେସ ମେଣ୍ଟ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ

ଲକ୍ଷ୍ନୌ: ବିଭାଜନମୁହାଁ ସମାଜବାଦୀ ପାର୍ଟି ସହିତ କଂଗ୍ରେସର ମେଣ୍ଟ ଗଠନ ପ୍ରାୟତଃ ଚୂଡ଼ାନ୍ତ ହୋଇଯାଇଛି। ଏ ବାବଦରେ କେବଳ ଆନୁଷ୍ଠାନିକ ଘୋଷଣା ବାକି  ରହିଛି। କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସହିତ ମେଣ୍ଟ ନେଇ  ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରିଛନ୍ତି ଏବଂ ଏ ବାବଦ ସମସ୍ତ ନିଷ୍ପତ୍ତି ସରିଛି ବୋଲି ଜଣାପଡ଼ିଛି। ରାହୁଲ-ଅଖିଳେଶଙ୍କ ମିଳିତ ପ୍ରଚାର ପାଇଁ ମଧ୍ୟ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇ ରହିଛି। ରାହୁଲ-ଅଖିଳେଶ ମିଳିତ ଭାବେ ୨୦ରୁ ଅଧିକ ର‍୍ୟାଲିରେ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଥିବା ସପାର ଜଣେ ବରିଷ୍ଠ ନେତା କହିଛନ୍ତି।

ରାହୁଲ-ପ୍ରିୟଙ୍କାଙ୍କ ସହ ସହ ପ୍ରଚାରରେ ଅଖିଳେଶ ପତ୍ନୀ ଡିମ୍ପଲଙ୍କ ସହିତ ସାମିଲ ହେବେ ଏବଂ ୟୁପିର ଜନସାଧାରଣ ଯୁବ ନେତୃତ୍ୱକୁ ବିପୁଳ ସମର୍ଥନ ଦେବା ଆଶା ରହିଛି ବୋଲି ଅଖିଳେଶ ଗୋଷ୍ଠୀର ବହୁ ନେତା କହିଛନ୍ତି। ତେବେ ଆଗାମୀ ୧୩ ତାରିଖ ଦିନ ସମାଜବାଦୀ ପାର୍ଟିକୁ ନେଇ ନିର୍ବାଚନ କମିସନଙ୍କ ଗୁରୁତ୍ୱପୂର୍ଣ୍ଣ ଫଏସଲା ହେବାକୁ ଥିବାରୁ ସମସ୍ତେ ଏହି ଦିନକୁ ଅପେକ୍ଷା କରିଛନ୍ତି। ନିର୍ବାଚନ କମିସନଙ୍କ ନିଷ୍ପତ୍ତି ଯାହା ହେଲେ ବି ୧୪ ତାରିଖ ଦିନ  ମେଣ୍ଟ ଓ ମିଳିତ ରଣନୀତି ସଂପର୍କରେ ଅଖିଳେଶ ଘୋଷଣା କରିବେ ବୋଲି ସୂଚନା ମିଳିଛି।  କଂଗ୍ରେସ ପୂର୍ବରୁ ୧୨୦ରୁ ୧୩୦ ଆସନରେ ଲଢ଼ିବା ପାଇଁ ଯିଦ୍‌ ଧରିଥିବା ବେଳେ ଏବେ ଆଭିମୁଖ୍ୟରେ ପରିବର୍ତ୍ତନ ଆଣି ଅଖିଳେଶଙ୍କ ପ୍ରସ୍ତାବକୁ ଗ୍ରହଣ କରିବ ବୋଲି ସଙ୍କେତ ଦେଇଛି।  ଏହା ହେଲେ କଂଗ୍ରେସ ଭାଗରେ ୮୦ରୁ ୯୦ ଆସନ ପଡ଼ିବ। ରାଜ୍ୟ କଂଗ୍ରେସ ନେତାମାନେ   ଯେ କୌଣସି ପରିସ୍ଥିତିରେ ମେଣ୍ଟ ଗଠନ ପାଇଁ ଗୁରୁତ୍ୱ ଦେଉଥିବାରୁ ରାହୁଲ ମଧ୍ୟ ମେଣ୍ଟ ପାଇଁ ଆଗ୍ରହ ଦେଖାଇଛନ୍ତି। ବିହାରରେ ଜେଡିୟୁ-ଆରଜେଡି ମହାମେଣ୍ଟରେ କଂଗ୍ରେସ କନିଷ୍ଠ ଅଂଶୀଦାର ଭୂମିକା ନେଇଥିଲା ଏବଂ ସେଠାରେ ମହାମେଣ୍ଟକୁ ବିପୁଳ ସଫଳତା ମିଳିଥିଲା। ଉତ୍ତର ପ୍ରଦେଶରେ ମଧ୍ୟ ବିହାର ଫର୍ମୁଲା ଦୋହରାଇ ସଫଳତା ପାଇବାକୁ କଂଗ୍ରେସ ଲକ୍ଷ୍ୟ ରଖିଛି। ୨୦୧୭ ବିଧାନସଭା ନିର୍ବାଚନ ପାଇଁ ବିଏସ୍‌୍‌ପି ୯୭ଟି ଆସନରେ ମୁସ୍‌୍‌ଲିମ୍‌ ପ୍ରାର୍ଥୀ ଦେଇଛି।  ମୁସ୍‌୍‌ଲିମ୍‌ ଭୋଟ୍‌ ହାତେଇବା ପାଇଁ କଂଗ୍ରେସ ସହ ମେଣ୍ଟ କରିବାକୁ ଅଖିଳେଶ ବାଧ୍ୟ ହୋଇଛନ୍ତି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ଦେଇଛନ୍ତି।