29 March 2017
10:44:11 AM
Sambad News
ଦେଶ- ବିଦେଶ

ପାକିସ୍ତାନରେ ଦାଉଦର ଛଅଟି ଠିକଣାକୁ ଠିକ୍‌ ଦର୍ଶାଇଲା ଜାତିସଂଘ

By Sambad | Date: Aug 23 2016 9:17PM
ପାକିସ୍ତାନରେ ଦାଉଦର ଛଅଟି ଠିକଣାକୁ ଠିକ୍‌ ଦର୍ଶାଇଲା ଜାତିସଂଘ

ନୂଆଦିଲ୍ଲୀ:  ଅଣ୍ଡର ଓ୍ଵାଲ୍ଡ ଡନ ଦାଉଦ ଇବ୍ରାହିମର ପାକିସ୍ତାନରେ ଥିବା  ଛଅଟି ଠିକଣା ଠିକ ହୋଇଥିବା ଜାତିସଂଘ ପକ୍ଷରୁ କୁହାଯାଇଛି। ଭାରତ ପକ୍ଷରୁ ପ୍ରଦାନ କରାଯାଇଥିବା  ପାକିସ୍ତାନରେ ଦାଉଦର ୯ଟି ଠିକଣା ତାଲିକା ମଧ୍ୟରୁ ଛଅଟି ଠିକ୍‌ ହୋଇଥିବା ବେଳେ ଅନ୍ୟ ତିନୋଟିକୁ ଜାତିସଂଘର ସଂଶୋଧିତ ତାଲିକାରୁ  ବାଦ୍‌ ଦିଆଯାଇଛି।। ୧୯୯୩ ମୁମ୍ବାଇ ବିସ୍ଫୋରଣ ମାଷ୍ଟର ମାଇଣ୍ଡ ଦାଉଦ ଇବ୍ରାହିମର ପାକିସ୍ତାନରେ ଥିବା ଛଅଟି ଠିକଣା ଏହି ସଂଶୋଧିତ ତାଲିକାରେ ସ୍ଥାନ ପାଇଛି। ତେବେ ବାଦ୍‌ ଦିଆଯାଇଥିବା ତିନୋଟି ଠିକଣା ମଧ୍ୟରୁ ଗୋଟିଏ ଜାତିସଂଘରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ମଲିହା ଲୋଧୀଙ୍କ ହୋଇଥିବା ଜଣାପଡ଼ିଛି। ଭାରତ ପକ୍ଷରୁ ଦିଆଯାଇଥିବା ତଥ୍ୟରେ ମରଗଲା ରୋଡ ଏଫ-୬/୨ ଷ୍ଟ୍ରୀଟ ନଂ ୨୨,ହାଉସ ନଂ-୭,ଇସଲାମାବାଦ ଦାଉଦର ଠିକଣା ଭାବେ ଉଲ୍ଲେଖ କରାଯାଇଥିବା ବେଳେ ପ୍ରକୃତରେ ଏହା ମଲିହା ଲୋଧିଙ୍କର ଏକ ଠିକଣା ହୋଇଥିବା ଜାତିସଂଘ କହିଛି। ସେହିପରି କରାଚିରେ ଥିବା ଅନ୍ୟ ଦୁଇଟି ଠିକଣା ମଧ୍ୟ ଦାଉଦର ହୋଇ ନଥିବା ଜାତିସଂଘ ପକ୍ଷରୁ କୁହା ଯାଇଛି।  ଦାଉଦ ପାକିସ୍ତାନରେ ଥିବା ଏବଂ ସେ ସେଠାରେ ବାରମ୍ବାର ନିଜ ଠିକଣା ପରିବର୍ତ୍ତନ କରୁଥିବା ପ୍ରମାଣ ସ୍ୱରୁପ ସେଠାରେ ତାର ୯ଟି ଠିକଣାର ତାଲିକା ଭାରତ ଜାତିସଂଘକୁ ପ୍ରଦାନ କରିଥିଲା। ଏହାସହ ଦାଉଦର ବିଭିନ୍ନ ପାସପୋର୍ଟ ସଂପର୍କରେ ଜାତିସଂଘକୁ ସୂଚନା ଦିଆଯାଇଥିଲା।