24 September 2017
10:40:16 AM
Sambad News
ଦେଶ- ବିଦେଶ

ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ, ୨୩ ମୃତ, ଓଡ଼ିଶାରୁ ଯାଉଥିଲେ ୯୯ ଯାତ୍ରୀ

By Sambad | Date: Aug 19 2017 11:46PM
ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ, ୨୩ ମୃତ, ଓଡ଼ିଶାରୁ ଯାଉଥିଲେ ୯୯ ଯାତ୍ରୀ

ଲକ୍ଷ୍ନୌ: ପୁଣି ଘଟିଛି ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା।  ପୁରୀରୁ ହରିଦ୍ୱାର ଯାଉଥିବା କଳିଙ୍ଗ ଉତ୍କଳ ଏକ୍ସପ୍ରେସ(୧୮୪୭୭) ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଉତ୍ତର ପ୍ରଦେଶର ଅତିରିକ୍ତ ପୁଲିସ ଡିଜି ( ଆଇନ ଓ ଶୃଙ୍ଖଳା) ଆନନ୍ଦ କୁମାର କହିଛନ୍ତି ଯେ ଦୁର୍ଘଟଣାରେ ୨୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୦ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ରେଳ ମନ୍ତ୍ରାଳୟ ଏହି ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ଓ ୨୦ ଜଣ ଆହତ ହୋଇଥିବା ସ୍ୱୀକାର କରିଛି। ମାତ୍ର କେତେକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି କି ଦୁର୍ଘଟଣାରେ ୨୩ ଜଣଙ୍କର ମୃତ୍ୟୁ ଘଟିଛି।

ଟ୍ରେନଟି ପୁରୀରୁ ବାହାରିଥିବାରୁ ଏଥିରେ ୯୯ ଜଣ ଓଡିଆ ଯାତ୍ରୀ ରହିଥିଲେ ବୋଲି ରେଳବିଭାଗ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ବିଭାଗ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର(୦୬୭୪-୨୪୯୦୬୭୦/୨୫୩୪୦୨୭) ମଧ୍ୟ ଜାରୀ କରାଯାଇଛି । ଯାତ୍ରୀଙ୍କ ସମ୍ପର୍କୀୟ ଉପରୋକ୍ତ ନମ୍ବରରେ ଯୋଗାଯୋଗ କରିପାରିବେ ।

ପୁରୀରୁ ହରିଦ୍ୱାର ଯାଉଥିବା ଉତ୍କଳ ଏକ୍ସପ୍ରେସ୍ ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାର ଖତୌଲି ନିକଟରେ ସନ୍ଧ୍ୟା ୫ଟା ୪୫ରେ  ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଟ୍ରେନର ୧୪ଟି ବଗି ଲାଇନଚ୍ୟୁତ ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ଏସ୍-୧ଠାରୁ ଏସ୍-୬ ପର୍ଯ୍ୟନ୍ତ ବଗି ଧାରଣାଚ୍ୟୁତ ହୋଇଛି। ସ୍ଥାନୀୟ ରେଳ ଅଧିକାରୀଙ୍କ ଅନୁଯାୟୀ, ଟ୍ରେନର ପଛ ପାର୍ଶ୍ୱରେ ଥିବା ବଗିଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ତେବେ ଏସ୍-୨ ବଗି ଉପରେ ଏସ୍-୧ ବଗି ଚଢ଼ି ଯିବାରୁ ଏହା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଟ୍ରେନ୍ଟି ଧାରଣାରୁ ଖସି ନିକଟସ୍ଥ ଏକ ଘରେ ପିଟି ହୋଇଥିବା ଜଣାପଡ଼ିଛି। ଫଳରେ ଯାତ୍ରୀଙ୍କ ବ୍ୟତୀତ ସ୍ଥାନୀୟ ଲୋକ ମଧ୍ୟ ମୃତାହତ ହୋଇଥିବାର ଆଶଙ୍କାକୁ ଏଡାଇ ଦିଆଯାଇ ପାରିବ ନାହିଁ। 

ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନ୍ଡିଆରଏଫ୍ର ଉତ୍ତର ପ୍ରଦେଶ ପୁଲିସ ଓ ପ୍ରଶାସନ, ରେଳ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଓ ଉଦ୍ଧାରକାରୀ ଦଳ  ଏବଂ ଏନଡିଆର୍ଏଫ୍  ଟିମ୍  ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି। ଦୁର୍ଘଟଣାଗ୍ରସ୍ତ ବଗିରୁ ଯାତ୍ରୀମାନଙ୍କୁ ବାହାର କରାଯାଇ ଡାକ୍ତରଖାନା ପଠାଯାଉଛି। ରାତି ହୋଇଯାଇ ଥିବାରୁ ଉଦ୍ଧାର କାର୍ଯ୍ୟ ଲାଗି ଅସୁବିଧା ଦେଖା ଦେଇଛି। ସ୍ଥାନୀୟ ଲୋକେ ମଧ୍ୟ ଆହତ ଯାତ୍ରୀଙ୍କୁ ବାହାର କରିବାରେ ସହଯୋଗ କରୁଛନ୍ତି। 

ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଘୋଷଣା କରିଛନ୍ତି। ରେଳ ମନ୍ତ୍ରାଳୟ ପକ୍ଷରୁ ମୃତକଙ୍କୁ ୩.୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରାଯାଇଛି। ଏଣେ ବିଜେଡିର ଏକ ଟିମ୍ ରବିବାର ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବ ବୋଲି ଜଣାପଡିଛି । ସୂଚନା ଯୋଗ୍ୟ, ଟ୍ରକରେ କାମ ଚାଲୁଥିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି ।  

image