24 May 2017
9:17:59 PM
image
Sambad News
ଜଗତସିଂହପୁର

ଅଚିହ୍ନା ଶବ ଜବତ, ହତ୍ୟା ସନ୍ଦେହ

By Sambad | Date: Dec 29 2016 11:35AM
ଅଚିହ୍ନା ଶବ ଜବତ, ହତ୍ୟା ସନ୍ଦେହ


ଗରଦପୁର: ପାଟକୁରା ଥାନା ଅଧୀନ ପଳସୁଧା ଗ୍ରାମ ନିକଟ ପାଇକା ନଦୀରେ ଗତକାଲିଠାରୁ ଭାସୁଥିବା ଏକ ଶବକୁ ଆଜି ପୁଲିସ ଜବତ କରିଛି। ଏ ସଂପର୍କରେ ଥାନାରେ ଅପମୃତ୍ୟୁ ମାମଲା (କେସ୍‌ ନଂ-୧୬/୧୬) ରୁଜୁ କରାଯିବା ସହ ଶବ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ସଦର ହସ୍ପିଟାଲ୍‌କୁ ପଠାଯାଇଛି।

ପ୍ରକାଶଥାଉ କି, ଗତକାଲି ନଦୀରେ ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଏହାପରେ ପାଟକୁରା ଓ ତିର୍ତୋଲ୍‌ ଥାନ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ମାତ୍ର ସୀମା ବିବାଦ ଯୋଗୁ କେହି ଶବ ଉଠାଇ ନ ଥିଲେ। ତେବେ ପରିବେଶ ପ୍ରଦୂଷଣ ଆଶଂକାରେ ଆଜି ସକାଳେ କେତେକ ଯୁବକ ଶବକୁ ପାଣିରୁ ଉଠାଇବା ସହ  ବେକରେ ରଶି ଦ୍ୱାରା ଟାଣି ନଦୀବଂଧ ରାସ୍ତାରେ  ରଖିଥିଲେ।

ପରେ ପାଟକୁରା ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିଥିଲ। ପୁଲିସ କିମ୍ବା ସ୍ଥାନୀୟ ଲୋକେ ଶବ ଚିହ୍ନଟ କରିପାରି ନ ଥିବାରୁ ମୃତବ୍ୟକ୍ତିଜଣକ ଆଖପାଖ ଗ୍ରାମର ନୁହନ୍ତି ବୋଲି ସନ୍ଦେହ କରାଯାଉଛି। ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ସନ୍ଦେହ କରୁଛି। ପ୍ରାୟ ୩୫ ବର୍ଷ ବୟସ୍କ ଏହି ଯୁବକଙ୍କ ଶରୀରରେ କୌଣସି ବସ୍ତ୍ର ନ ଥିବା ବେଳେ ମୁହଁ ଓ ମୁଣ୍ଡରେ ଆଘାତ ଚିହ୍ନ ଦେଖିବାକୁ ମିଳିଛି।

କେହି ଦୁବୃତ୍ତ ହତ୍ୟା ପରେ ଶବକୁ ଗାଡ଼ିରେ ଆଣି ନଦୀବଂଧ ନିକଟରେ  ନଦୀକୁ ଫିଙ୍ଗି ଦେଇଥିବା ପୁଲିସ ଅନୁମାନ କରୁଛି। ସେହିପରି ଶବ ସତେଜ ଥିବାରୁ ଗତ ସୋମବାର ବିଳମ୍ବିତ ରାତିରେ ଯୁବକଙ୍କୁ ପାଣିରେ ପକାଯାଇଥିବା ଏବଂ ପାରିପାର୍ଶ୍ୱିକ ସ୍ଥିତିରୁ ଦୂର ସ୍ଥାନରୁ ଶବ ଭାସି ଆସି ନ ଥିବା ପୁଲିସ୍‌ ସନ୍ଦେହ ପ୍ରକାଶ କରିଛି। ଏସବୁ ସ୍ଥିତିରୁ ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ଆଶଙ୍କା ଦୃଢୀଭୂତ ହୋଇଛି।  ତେବେ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁ ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି ପୁଲିସ ସୂଚନା ଦେଇଛି ।

image