21 January 2017
5:37:50 AM
image
Sambad News
ରାଜ୍ୟ

ମହିମାଙ୍କୁ କ୍ରାଇମବ୍ରାଞ୍ଚର ଜେରା

ପଞ୍ଚାନବେ ମସିହା ଅପହରଣ ମାମଲାର ଖୋଳତାଡ଼

By Sambad | Date: Jan 3 2017 9:16PM
ମହିମାଙ୍କୁ କ୍ରାଇମବ୍ରାଞ୍ଚର ଜେରା

ଜେଏମ୍‌ ବକ୍ସି କର୍ମଚାରୀଙ୍କୁ ପଚରାଉଚରା
 
ପାରାଦୀପ : ବହୁଚର୍ଚ୍ଚିତ ସିପିଂ ସିେଓ୍ଵଜ୍‌ ମ୍ୟାନେଜର୍‌ ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟା ଘଟଣାରେ ଗିରଫ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ଼ର ମୁଖ୍ୟ ତଥା ଶିଳ୍ପପତି ମହିମାନନ୍ଦ ମିଶ୍ର କ୍ରାଇମବ୍ରାଞ୍ଚ ଜାଲରେ ଫସି ଯାଇଛନ୍ତି। କ୍ରାଇମବ୍ରାଞ୍ଚର ୨ ଜଣିଆ ଦଳ ଆଜି ତାଙ୍କୁ ଜେରା କରିଛନ୍ତି। ଜେରା ସମୟରେ ୧୯୯୫ ମସିହାର ଏକ ଅପହରଣ ମାମଲାରେ ତାଙ୍କୁ ପଚରାଉଚରା କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।
 
୪ ଦିନିଆ ରିମାଣ୍ଡରେ ଆସିଥିବା ମହିମାନନ୍ଦଙ୍କୁ ଜେରା ପାଇଁ ପାରାଦୀପ ଥାନାରେ ରଖାଯାଇଛି। ଆଜି ଅପରାହ୍ନ ୩ଟା ସମୟରେ କ୍ରାଇମବ୍ରାଞ୍ଚ ଏସ୍‌ପି ରମେଶଚନ୍ଦ୍ର ବେହେରା ଓ ଡିଏସ୍‌ପି ବିଏନ୍‌ ଦାସ  ଥାନାରେ ପହଁଚି ତାଙ୍କୁ ପଚରାଉଚରା କରିଥିଲେ।  ଜେରା ବେଳେ ରୁମ୍‌ ଭିତରକୁ କାହାକୁ ବି ଅନୁମତି ନଥିଲା। ଏପରିକି ଥାନା ମୁଖ୍ୟ ଫାଟକରେ ତାଲା ପକାଇ ରଖାଯାଇଥିଲା। ପ୍ରାୟ ଦୁଇଘଣ୍ଟା କାଳ ଜେରା କରିବା ପରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ସ୍ଥାନୀୟ ଜେଏମ୍‌ ବକ୍ସି କାର୍ଯ୍ୟାଳୟକୁ ଯାଇ ସେଠାରେ ଥିବା କିଛି ପୁରୁଣା କର୍ମଚାରୀଙ୍କୁ ପଚରାଉଚରା କରିଥିଲେ। 
 
ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ୧୯୯୫ ମସିହାର ଏକ ମାମଲାରେ ମହିମାନନ୍ଦଙ୍କ ପଚରାଉଚରା କରାଯାଇଛି। ସେହି ବର୍ଷ ଜେଏମ୍‌ ବକ୍ସି ମ୍ୟାନେଜର ପ୍ରତାପ ଦାସଙ୍କୁ ଅପହରଣ କରାଯାଇଥିଲା। ଏଥିରେ ତାଙ୍କର ହାତ ଥିଲା କି ନାହିଁ ଏବଂ ବର୍ତ୍ତମାନ ସମ୍ପର୍କରେ ରହିଛି କି ନାହିଁ ସେ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଅଧିକାରୀ ଖୋଳତାଡ଼ କରିଥିଲେ। 
 
ଏହି ଘଟଣା ପରେ  ମହିମାନନ୍ଦଙ୍କ ବିରୋଧରେ ଥିବା ପୁରୁଣା ମାମଲାର ଘଣ୍ଟାଚକଟା କରାଯାଉଥିବା ସ୍ପଷ୍ଟ ହୋଇଛି। ଯାହାକୁ ନେଇ ତାଙ୍କ ଅଡ଼ୁଆ ଏବେ ବଢ଼ିବାରେ ଲାଗିଛି।  ଆସନ୍ତାକାଲି ରିମାଣ୍ଡ ଅବଧି ଶେଷ ହେଉଥିବାରୁ କ୍ରାଇମବ୍ରାଞ୍ଚ ଓ ପୁଲିସ୍‌ କି କି ତଥ୍ୟ ହାସଲ କରିବ ତାହା ସ୍ପଷ୍ଟ ହୋଇନାହିଁ। ତେବେ, ଆବଶ୍ୟକ ପଡିଲେ ତାଙ୍କୁ ପୁଣି ଥରେ ରିମାଣ୍ଡରେ ଅଣାଯିବ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି।