21 January 2017
11:00:10 PM
image
Sambad News
ରାଜ୍ୟ

ମହିମାଙ୍କ ପାଇଁ ମୁହଁ ଖୋଲିଲା ଓପିଓ୍ଵାଇଏଫ୍‍ : ପୁଲିସ ଏକପାଖିଆ ତଦନ୍ତ କରୁଛି

By Sambad | Date: Jan 7 2017 5:02AM
ମହିମାଙ୍କ ପାଇଁ ମୁହଁ ଖୋଲିଲା ଓପିଓ୍ଵାଇଏଫ୍‍ : ପୁଲିସ ଏକପାଖିଆ ତଦନ୍ତ କରୁଛି

ପାରାଦୀପ : ପାରାଦୀପର ବହୁ ଚର୍ଚ୍ଚିତ ସିେଓ୍ଵଜ୍‍ ସିପିଂ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ଘଟଣାରେ ଗିରଫ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ପାଇଁ ଆଜି ପ୍ରଥମ କରି ପାରାଦୀପରେ ନବଗଠିତ ଓଡ଼ିଶା ପ୍ରୋଗେସିଭ୍‍ ୟୁଥ୍‍ ଫୋରମ( ଓପିଓ୍ଵାଇଏଫ୍‍) ମୁହଁ ଖୋଲିଛି। ପୁଲିସ୍‌ ଏକପାଖିଆ ତଦନ୍ତ କରୁଛି ବୋଲି ଫୋରମ୍‌ ପକ୍ଷରୁ ଅଭିଯୋଗ କରାଯାଇଛି। 
 
ଆଜି ପାରାଦୀପର ପାନ୍ଥନିବାସଠାରେ  ଫୋରମ୍‌ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଫୋରମ୍‌ ସଭାପତି ଶାଶ୍ୱତ ନାୟକ କହିଥିଲେ ଯେ, ପାରାଦୀପରେ ଅଣଓଡ଼ିଆ ଶିଳ୍ପପତି ଆଧିପତ୍ୟ କରିଛନ୍ତି। ମହିମାନନ୍ଦ ଜଣେ ଓଡ଼ିଆ ହୋଇଥିବାରୁ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଛି। ଏବଂ, ପୁଲିସ୍‌ ଚାପରେ ରହି ତଦନ୍ତ କରୁଛି। ପୁଲିସ ବ୍ୟବସାୟିକ ଶତ୍ରୁତା ବୋଲି କହୁଥିବା ବେଳେ ଏହାର ଭିନ୍ନ ଦିଗକୁ ଏ ପର୍ଯ୍ୟନ୍ତ ତଦନ୍ତ ପରିସରକୁ ଆଣିନାହିଁ। ଯାହାକୁ ନେଇ ସନ୍ଦେହ ରହିଛି ବୋଲି ଶ୍ରୀ ନାୟକ କହିଛନ୍ତି।
 
ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଏକ ନିର୍ଦିଷ୍ଟ ରାଜନୈତିକ ଦଳର ପୃଷ୍ଠପୋଷକତାରେ ଚାଲିଥିବା ଏକ ଘରୋଇ ବନ୍ଦରର ମାଲିକଙ୍କୁ ସହାୟତା ଦେବା ଓ ପାରାଦୀପରେ ମହିମାଙ୍କୁ ହଟାଇ ସାମ୍ରାଜ୍ୟ ମେଲିବାକୁ କିଛି କଂପାନି ଏବେ ସ୍ୱପ୍ନ ଦେଖୁଛନ୍ତି। ଆଗାମୀ ଦିନରେ ଏହି ଘଟଣାର ନିରପେକ୍ଷ ତଦନ୍ତ କରାନଗଲେ ଶିଳ୍ପପତି ଶ୍ରୀ ମିଶ୍ରଙ୍କ ସହିତ ଜଡିତ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଶିଳ୍ପର କର୍ମଚାରୀ ଓ ତାଙ୍କ ସମର୍ଥକ  ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଶ୍ରୀ ନାୟକ ଚେତାବନୀ ଦେଇଛନ୍ତି।
 
ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ରୀ ନାୟକଙ୍କ ସମେତ ଉପଦେଷ୍ଟା ଅରୁଣ ସାହୁ, ଉପସଭାପତି ରଂଜିତ ବେହେରା ଓ ଆଲୋକ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ।