29 March 2017
10:50:17 AM
Sambad News
ରାଜ୍ୟ

ଦାରିଦ୍ର୍ୟ : ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା

By Sambad | Date: Dec 31 2016 6:00AM
ଦାରିଦ୍ର୍ୟ : ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା

ଯାଜପୁର/ପ୍ରୀତିପୁର : ଘୋର ଦାରିିଦ୍ର୍ୟରେ ଘାଣ୍ଟିଚକଟି ହେଉଥିବା ଜଣେ ଦିନମଜୁରିଆ ସ୍ୱାମୀ ତା’ର ସ୍ତ୍ରୀକୁ ଅତି ବୀଭତ୍ସ ଭାବେ ଗଳାକାଟି ହତ୍ୟା କରିଛି। ଏହି କାଣ୍ଡ ଘଟାଇବା ପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଛି। ଉଭୟ ବାପାମାଆଙ୍କୁ ହରାଇ ତିନି ତିନିଟି ଶିଶୁ ଅନାଥ ହୋଇଯାଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଝିଙ୍କିରୀ ଗ୍ରାମରେ। ଯାହାକି, ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
 
ଏହି ଦିନ ମଜୁରିଆ ହେଲେ ଗୌରାଙ୍ଗ ମଳିକ । ମୂଲମଜୁରି ଲାଗି ପରିବାର ପ୍ରତିପୋଷଣ କରୁଥିଲେ ସେ।  ପରିବାର କହିଲେ, ସ୍ତ୍ରୀ ଝରଣା ଓ ଦୁଇ ଝିଅ ପୂଜାରାଣୀ(୧୧), ଲିଜାରାଣୀ(୬) ଏବଂ ଗୋଟିଏ ପୁଅ ରାଜେନ୍ଦ୍ର(୯)। ଗୌରାଙ୍ଗ ଧାନକାଟି ମଜୁରି ବାବଦରେ ଯେତିକି ଧାନ ଆଣିଥିଲେ, ତାହା ବସ୍ତାଏ ହୋଇଯାଇଥିଲା। ତାଙ୍କ ଅଜାଣତରେ ସ୍ତ୍ରୀ ଝରଣା ଏହାକୁ ବିକି ଦେଇଥିଲେ। ଏହାକୁ ନେଇ ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଦୁଇତିନି ହେବ ଝଗଡା ଲାଗିଥିଲା। ଗତକାଲି ରାତିରେ ଏହା ଉଗ୍ରରୂପ ଧାରଣ କରିଥିଲା। ସମସ୍ତେ ଖାଇପିଇ ରାତିରେ ଶୋଇ ଯିବା ପରେ  ଉତ୍ତ୍ୟକ୍ତ ଗୌରାଙ୍ଗ ସ୍ତ୍ରୀ ଝରଣାଙ୍କ ବେକକୁ ଚୋଟ ପରେ ଚୋଟ ମାରି ହତ୍ୟା କରିଥିଲେ।  ସ୍ତ୍ରୀ ମରିଯିବା ଜାଣିବା ପରେ ମାନସିକ ଭାରସାମ୍ୟ ହରାଇ ଘର ନିକଟ ଏକ ଓସ୍ତ ଗଛରେ ରଶି ଲଗାଇ ଦେଇଥିଲେ।
 
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ମା’କୁ ହତ୍ୟା କରାଯାଇଥିବା ଜାଣି ବଡ଼ ଝିଅ ପୂଜା ଚିତ୍କାର କରିଥିଲା।  ଗୌରାଙ୍ଗ ତାକୁ ଡରାଇଧମକାଇ ଚୁପ୍‌ କରାଇ ଦେଇଥିଲେ।  ପରେ  କଟୁରିକୁ ଧୋଇଥିଲେ।  ଏବଂ ଛୁଆଙ୍କୁ ବାହାର ପଟୁ କବାଟ ଦେଇ ପଳାଇ ଯାଇଥିଲେ। ଘର ଠାରୁ ପ୍ରାୟ ୫ ଶହ ମିଟର ଦୂରରେ ଥିବା ଏକ ଓସ୍ତ ଗଛରେ ଫାଶି ଦେଇ ଆତ୍ମହତ୍ୟା କରିଥିଲେ। ସକାଳୁ ସକାଳୁ ଲୋକେ ଦେଖିବା ପରେ ଗାଁରେ ଘଟଣା ପ୍ରଘଟ ହୋଇଯାଇଥିଲା। ଲୋକେ ତାଙ୍କ ଘରକୁ ଯାଇ ବାହାର ପଟୁ ଦିଆଯାଇଥିବା କବାଟ ଖୋଲିଥିଲେ। ଭିତରେ ଝରଣାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିରହିଥିବା ବେଳେ ତିନିଜଣ ପୁଅଝିଅ ଜଡ଼ ପରି ବସି ରହିଥିଲେ। 
 
ସୂଚନା ଥାଉକି ୨୦୦୪ ମସିହାରେ ମଙ୍ଗଳପୁର ଥାନା ଅର୍ନ୍ତଗତ ମିଆଁ ପାଟଣା (ଚଷାଖଣ୍ଡ) ଗ୍ରାମର କ଼ୁବୁଜା ମଳିକଙ୍କ ପୁଅ ଗୌରାଙ୍ଗଙ୍କୁ ଝରଣା ବିବାହ କରିଥିଲେ। ବିବାହର କିଛି ଦିନ ପରେ ଶ୍ୱଶୁର ଘର ନିକଟରେ ଛୋଟ ଏକ ଘର କରି ବସବାସ କରି ଆସୁଥିଲେ। ଅଭାବ ଅନଟନ ପାଇଁ ପ୍ରାୟ ପ୍ରତିଦିନ ସେମାନଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। 
ଝିଅ ପୂଜାରାଣୀ କହିଛନ୍ତି ଯେ, ଶୋଇଥିବା ଅବସ୍ଥାରେ ମା’ଙ୍କ ପାଟିରେ ଗୌରାଙ୍ଗ ଏକ ବିଦ୍ୟୁତ୍‌ ତାରକୁ ପୂରାଇ ଦେବାକୁ ଚେଷ୍ଟା କରିଥିଲେ।  ହେଲେ, ସେଥିରେ ସକ୍ଷମ ନହେବାରୁ ଘରେ ଥିବା ଏକ କଟୁରିରେ ତାଙ୍କ ବେକକୁ ବାପା ହାଣି ଦେଇଥିଲେ। 
 
ଖବର ପାଇ ଅଳକୁଣ୍ଡ ଫାଣ୍ଡି ପୁଲିସ୍‌ ଓ ବିଂଝାରପୁର ଥାନା ଅଧିକାରୀ ଅସିତରଞ୍ଜନ ମହାନ୍ତି ସଦଳବଳ ଘଟଣାସ୍ଥଳରେ ପହଞ୍ଚି ୨ଟି ମୃତ ଶରୀରକୁ ଜବତ କରିବା ସହିତ  ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଏ ନେଇ ବିଂଝାରପୁର ଥାନାରେ  କେଶ ନଂ ୩୨୫/୨୦୧୬ ଦଫା ୩୦୨ରେ ମାମଲା ରୁଜୁ ହୋଇଛି।