28 March 2017
5:53:28 AM
Sambad News
ରାଜ୍ୟ

ଚାଷୀ ଆନ୍ଦୋଳନରେ ସାମିଲ୍‌ ହେଲା ‘ଆଲିଆବାଦ’

୩୦୦ ପରିବାରରେ ଜଳିଲାନି ଚୁଲି

By Sambad | Date: Jan 3 2017 12:50AM
ଚାଷୀ ଆନ୍ଦୋଳନରେ ସାମିଲ୍‌ ହେଲା ‘ଆଲିଆବାଦ’

ବରୀ : ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନରେ ସାମିଲ୍‌ ହୋଇଛି ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ ଅନ୍ତର୍ଗତ ଆଲିଆବାଦ। ଏହି ଗ୍ରାମର ପାଖାପାଖି ୩୦୦ ପରିବାରରେ ଆଜି ଚୁଲି ଜଳିନି। ପରିବାର ଲୋକମାନେ ଊପବାସରେ ରହି ସତ୍ୟାଗ୍ରହରେ ବସିଛନ୍ତି।  ଏଥିରେ ମହିଳା ଏବଂ ଛୋଟଛୋଟ ପିଲା ମଧ୍ୟ ସାମିଲ୍‌ ହୋଇଥିବା ଦେଖିବାକୁ ମିଳିଛି।
 
ରାଜ୍ୟ ସରକାର ବଳପ୍ରୟୋଗ କରି ଭୁବନେଶ୍ୱର ସମାବେଶକୁ ବନ୍ଦ କରିବା ପରଠାରୁ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ ଅବ୍ୟାହତ ରହିଛି। ସଂଗଠନର ରାଜ୍ୟ ସଂଯୋଜକ ଅକ୍ଷୟକୁମାର ସେହିଦିନଠାରୁ ଅନଶନରେ ବସିଛନ୍ତି। ଝାରପଡ଼ା ଜେଲ୍‌ ପରେ ଏବେ ଏହି ଜିଲ୍ଲାର ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ଅର୍ତିଆଠାରେ ଅନଶନ ଜାରି ରଖିଛନ୍ତି। ଅନଶନକୁ ସମର୍ଥନ ଜଣାଇବା ପାଇଁ ଆଜି ଚାଷୀ ପରିବାରରେ ଚୁଲି ଜଳିବ ନାହିଁ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା। ଯାହାର ପ୍ରଭାବ ଆଜି ଆଲିଆବାଦଠାରେ ଦେଖିବାକୁ ମିଳିଛି।
 
ସୂଚନା ଅନୁସାରେ, ଶତାଧିକ ଚାଷୀ ପରିବାର ସେମାନଙ୍କ ପିଲାଛୁଆ ଧରି ଗ୍ରାମର ମଧ୍ୟସ୍ଥଳରେ ଥିବା ଶସ୍ୟ ଖଳାରେ ଅନଶନରେ ବସିଥିଲେ। ସେମାନଙ୍କ ଘରେ ଚୁଲି ନ ଜଳାଇ ସତ୍ୟାଗ୍ରହରେ ସାମିଲ୍‌ ହୋଇଥିଲେ। 
 
ଏହି ଅବସରରେ ସେଠାରେ ମଧ୍ୟ  ଏକ ପ୍ରତିବାଦ ସଭାର ମଧ୍ୟ ଆୟୋଜନ କରାଯାଇଥିଲା। କୃଷକ ନେତା ଲୋକନାଥ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ କୃଷକ ସଂଗଠନର ସହ ସଂଯୋଜକ ଶେଷଦେବ ନନ୍ଦ ଯୋଗ ଦେଇ  ରାଜ୍ୟସ୍ତରୀୟ କୃଷକ ସମାବେଶରେ ଯୋଗ ଦେବାକୁ ଯାଉଥିବା ବେଳେ  ରାଜ୍ୟ ସରକାର ପୁଲିସ୍‌ ଲଗାଇ ଯେଉଁଭଳି ବଳପ୍ରୟୋଗ କଲେ ତାହାର ଘୋର୍‌ ନିନ୍ଦା କରିଥିଲେ। ଏଥିସହିତ, ରାଜ୍ୟ ସରକାରଙ୍କ ଚାଷୀ ମାରଣନୀତିର ତୀବ୍ର ସମାଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ, ଜିଲ୍ଲା ସହ ସଂଯୋଜକ ଦୁର୍ଗା ପ୍ରସାଦ ଦାସ ଉପସ୍ଥିତ ରାଜ୍ୟ ସଂଯୋଜକ ଅକ୍ଷୟକୁମାରଙ୍କ ଅନଶନ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବ ବୋଲି ମତ ଦେଇଥିଲେ।  ଏହି ପ୍ରତିବାଦ ସଭାରେ ମାଳସାହି,ରତ୍ନଗିରି, ହାଟସାହି, ଶୁକଳ ଓ ବଡ଼ଚଣା ବ୍ଲକର ପଣସିଆପାଳ ଅଞ୍ଚଳର କୃଷକ ମାନେ ସାମିଲ ହୋଇଥିଲେ।    
 
ଅନ୍ୟପକ୍ଷରେ, ସାରା ଗାଁ  ଉପବାସରେ ରହି ଅନଶନରେ ବସିଥିବା ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଆଜି ଚର୍ଚ୍ଚାର ବିଷୟ ପାଲଟିଛି। ଏ ସମ୍ପର୍କରେ ସ୍ଥାନୀୟ ଅଂଚଳର ଜଣେ ମହିଳା ବେବିନା ଦାସ କହିଛନ୍ତି ଯେ, ‘ଆମର ଚାଷୀ ପରିବାର, ଆମ୍ଭର ସମସ୍ୟା ସରକାର ବୁଝୁନାହାନ୍ତି। ଚାଷୀ ମାନଙ୍କ ଉପରେ ଓଲଟି ପୋଲିସ ଲଗାଇ ନିର୍ଯାତନା ଦେଉଛନ୍ତି। ଚାଷୀଙ୍କ ହକ୍‍ ପାଇଁ ଗ୍ରାମର ସମସ୍ତ ପରିବାରରେ ରୋଷେଇ ବନ୍ଦ ରଖାଯାଇଛି।’ ସେହିଭଳି, ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଅକ୍ଷୟକୁମାରଙ୍କ ଅନଶନକୁ ସମର୍ଥନ ଜଣାଇ ତାଙ୍କ ପରିବାରର ୧୪ ଜଣ ସଦସ୍ୟ ଆଜି ଉପବାସ ସହିତ ସତ୍ୟାଗ୍ରହରେ ସାମିଲ୍‌ ହୋଇଛନ୍ତି ବୋଲି କହିଛନ୍ତି ଅନ୍ୟ ଜଣେ ମହିଳା ସଂଯୁକ୍ତା ଶାନ୍ତି।  
 
ଗ୍ରାମର ନରହରି ଦାସ, ଲିଲିକା ଦାସ,ସୁକାନ୍ତି ଜେନା, ଶୁଭଶ୍ରୀ ଦାସ, ଝୁନାରାଣୀ ଦାସ, ତାରାମଣି ଜେନା,ଅମନି ଜେନା, କମଳା ଦାସ,ରଜନୀ ଦାସ,ଉରିଆ ଜେନା, ସୁନ୍ଦରି ଜେନା,କୁସୁମ ଜେନା, ଗେହ୍ଲା ଜେନା, ପ୍ରମିଳା ଦାସ, ସୁକାନ୍ତି ଶାନ୍ତି,ଅନ୍ନପୂର୍ଣ୍ଣା  ଶାନ୍ତି,ଦ୍ରୋପଦୀ ଦାସ, ମାଳତି ଦାସ,ପୁଷ୍ପଲତା ଶାନ୍ତି,ହୃଦାନନ୍ଦ ଶାନ୍ତି,ଧୋଇରାମ ଦାସ,କୁଳମଣି ଜେନା,ମାୟାଧର ଜେନା, ଭୀମସେନ ରାଉତ,ଗୁରୁଚରଣ ଦାସ,ରାମଚନ୍ଦ୍ର ମହାନ୍ତି, ଦୟାନିଧି ଶାନ୍ତି,ମନ୍ଦରଧର ଦାସ,କ୍ଷୀରୋଦ କୁମାର ଜେନା,କାର୍ତ୍ତିକ ଚନ୍ଦ୍ର ଜେନା ପ୍ରମୁଖ ଆନ୍ଦୋଳନରେ ସାମିଲ୍‌ ହୋଇଥିଲେ।