27 March 2017
12:25:42 AM
Sambad News
ରାଜନୀତି

ବ୍ୟାସନଗର ପୌର ରାଜନୀତି : ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

By Sambad | Date: Jan 3 2017 2:04AM
ବ୍ୟାସନଗର ପୌର ରାଜନୀତି : ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଯାଜପୁର/ବ୍ୟାସନଗର : ଦଳୀୟ ଚାପରେ ମୁଣ୍ଡ ନୁଆଁଇଥିବା ବିଜେଡିର ବିଦ୍ରୋହୀ କାଉନ୍‌ସିଲର୍‌ମାନେ ପୁଣିଥରେ ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ବିଜେଡିର ସଂଖ୍ୟାଧିକ କାଉନ୍‌ସିଲର୍‌ ଏଥିରେ ସାମିଲ୍‌ ହୋଇଥିବାରୁ ପୌରାଧ୍ୟକ୍ଷା ପଦରୁ ସବିତା ରାଉତ ବିଦା ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି।
 
ଉଲ୍ଲେଖଯୋଗ୍ୟ, ଗତ  ଡିସେମ୍ବର ୨୮ ତାରିଖରେ ବିଜେଡିରୁ ନିଲମ୍ବିତ ହୋଇଥିଲେ ମଧ୍ୟ ଶ୍ରୀମତୀ ରାଉତ ପୌରାଧ୍ୟକ୍ଷା ପଦରୁ ଇସ୍ତଫା ଦେଇନାହାନ୍ତି। ତେଣୁ  ବିଜେଡିି ନିଜ ଆଡୁ ଅନାସ୍ଥା ପ୍ରସ୍ତାବ ଆଗତ କରିଛି। ପୌର ପରିଷଦର ଉପାଧ୍ୟକ୍ଷ ସୁବାସ ବଳଙ୍କ ନେତୃତ୍ୱରେ ୧୩ ଜଣ କାଉନ୍‌ସିଲର୍‌ ଆଜି ଜିଲ୍ଲାପାଳ ରଂଜନକୁମାର ଦାସଙ୍କୁ ଭେଟି ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି। ୨୬ ସଦସ୍ୟ ବିଶିଷ୍ଟ ପରିଷଦରେ ବିଜେଡି କାଉନ୍‌ସିଲରଙ୍କ ସଂଖ୍ୟା ୧୬। ପୌରାଧ୍ୟକ୍ଷାଙ୍କୁ ବାଦ୍‌ ଦେଲେ ଆଉ ୨ ଜଣ ସଦସ୍ୟ ଜିଲ୍ଲାପାଳଙ୍କ ନିକଟକୁ ଯାଇ ନ ଥିବାରୁ ସେ ଦୁହେଁ ଶ୍ରୀମତୀ ରାଉତଙ୍କ ସପକ୍ଷରେ ଥିବା ସ୍ପଷ୍ଟ ହୋଇଛି। ତେବେ ଏହି ଘଟଣାରେ ଶ୍ରୀମତୀ ରାଉତ ନିଜ ପଦବିରୁ ବିଦା ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। 
 
ପ୍ରକାଶଥାଉକି, ଗତ ଅଗଷ୍ଟ ମାସଠାରୁ ପୌରାଧ୍ୟକ୍ଷାଙ୍କ ଇସ୍ତଫାକୁ ନେଇ ବ୍ୟାସନଗର ପୌର ରାଜନୀତି ଚର୍ଚ୍ଚାରେ ରହି ଆସିଛି। ସେହି ମାସ ୮ ତାରିଖରେ ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇ ୯ ତାରିଖରେ ଭୋଟ୍‌ ହୋଇଥିଲେ ହେଁ କୋରମ୍‌ ଅଭାବରୁ ତାହା କାଟ୍‌ ଖାଇ ଯାଇଥିଲେ। ଦଳୀୟ ହାଇକମାଣ୍ଡଙ୍କ ଚାପରେ ବିଦ୍ରୋହୀ କାଉନ୍‌ସିଲର୍‌ ଭୋଟ୍‌ରେ ଭାଗ ନ ନେବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ମାତ୍ର ସମ୍ପ୍ରତି ଶ୍ରୀ ରାଉତଙ୍କୁ ବିଜେଡିରୁ ସସ୍‌ପେଣ୍ଡ କରାଯିବା ଫଳରେ ତାଙ୍କ ବିରୋଧରେ ଚାଲିଥିବା ଅଭିଯାନ ପୁଣିଥରେ ସକ୍ରିୟ ହୋଇ ଉଠିଛି। ଏହାକୁ ନେଇ ମଧ୍ୟ କଂଗ୍ରେସ ଶିବିରରେ ଚର୍ଚ୍ଚା ଲାଗି ରହିଛି।