17 August 2017
7:17:23 PM
Sambad News
ଯାଜପୁର

ଆନ୍ଧ୍ର ଡକାୟତି ଘଟଣାରେ ଶାସକ ଦଳର ସମିତି ସଭ୍ୟ ଗିରଫ

By Sambad | Date: Jan 3 2017 2:21AM
ଆନ୍ଧ୍ର ଡକାୟତି ଘଟଣାରେ ଶାସକ ଦଳର ସମିତି ସଭ୍ୟ ଗିରଫ
Photo by : sowegalive.com

କୋରେଇ : ଆନ୍ଧ୍ରପ୍ରଦେଶର ଏକ ଡକାୟତି ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ଶାସକ ଦଳ ସମର୍ଥିତ ଜଣେ ସମିତି ସଭ୍ୟ ଗିରଫ ଗିରଫ ହୋଇଛନ୍ତି। ଏହି ଘଟଣାରେ ଅନ୍ୟ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ଆନ୍ଧ୍ର ପୁଲିସ୍‌ ଆଜି ଦୁହିଁଙ୍କୁ କୋର୍ଟରେ ହାଜର କରି ରିମାଣ୍ଡରେ ନେଇ ଯାଇଥିବା ଜଣାପଡ଼ିଛି।  ଗିରଫ ସମିତି ସଭ୍ୟ ହେଲେ, ଯାଜପୁର ଜିଲ୍ଲା କୋରେଇ ବ୍ଲକ୍‍ ଅନ୍ତର୍ଗତ ଅସନଝର ପଞ୍ଚାୟତର ସମିତି ସଭ୍ୟ ସାରଙ୍ଗ ପ୍ରଧାନ(୫୦)। ଅନ୍ୟ ଜଣେ ହେଲେ, ସ୍ଥାନୀୟ ପୂର୍ବକୋଟ୍‍ ତେଲ୍‍ଗୁ ବସ୍ତିର ଶ୍ରୀନୁ ପ୍ରଧାନ(୪୫)।
 
ପୁଲିସ୍‌ର ସୂଚନା ଅନୁଯାୟୀ,  ଆନ୍ଧ୍ରର ବିଶାଖାପଟନମ୍‍ ସହରର ଏକ ସୁନା ଦୋକାନରୁ କିଛିଦିନ ତଳେ ଡକାୟତି ହୋଇଥିଲା। ବିଶାଖାପଟନମ୍‍ ସିଟି ପୁଲିସ୍‍ ଏହି ଡକାୟତି ଘଟଣାର ତଦନ୍ତ କରୁଥିବାବେଳେ ଏହାର ଚେର ଓଡିଶାକୁ ଲମ୍ବିଥିବା ସୁରାକ ପାଇଥିଲା। ତଦନ୍ତ ସମୟରେ ଓଡିଶାର କୋରେଇ ବ୍ଲକ୍‍ ଅଞ୍ଚଳରେ ଡକାୟତ ମାନେ ଲୁଚି ଥିବା ଜାଣି ଆନ୍ଧ୍ର କ୍ରାଇମ୍‍ ସେଲ୍‍ର ଅଧିକାରୀ ଟି.ଏ ନାଇଡୁଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ଟିମ୍‍ ଗତକାଲି ସଂଧ୍ୟାରେ ଓଡିଶାରେ ପହଁଚି ଯାଜପୁର ଏସ୍‍ପି ଅନୁପ କୁମାର ସାହୁଙ୍କୁ ଏନେଇ ଅବଗତ କରାଇଥିଲେ। ପରେ ଏସ୍‍ପିଙ୍କ ନିର୍ଦ୍ଦେଶରେ କୋରେଇ ଥାନାଧିକାରୀ ଚିନ୍ମୟୀ ସାହୁ ଏକ ଟିମ୍‍ ଗଠନ କରି ବିଳମ୍ବିତ ରାତିରେ ପୂର୍ବକୋଟ୍‍ ତେଲଙ୍ଗାବସ୍ତିର ଅଭିଯୁକ୍ତ ସମିତି ସଭ୍ୟ ଶ୍ରୀ ପ୍ରଧାନଙ୍କ ବାସଭବନରେ ଚଢାଉ କରି ଉଭୟଙ୍କୁ ଗିରଫ କରିଥିଲେ। 
 
ଶ୍ରୀ ପ୍ରଧାନ ବିଜେଡି ଦଳର ଜଣେ ସ୍ଥାନୀୟ ନେତା ହୋଇଥିବାରୁ ସକାଳୁ ଆଇନ୍‍ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଭୟରେ ରାତାରାତି ଉଭୟଙ୍କୁ ପୁଲିସ୍‍ ଯାଜପୁର ଟାଉନ୍‍କୁ ନେଇଯାଇଥିଲେ। ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରି ଆନ୍ଧ୍ର ପୁଲିସ୍‍ ରିମାଣ୍ଡରେ ନେଇଯାଇଛି।