25 May 2017
4:07:59 PM
image
Sambad News
ଯାଜପୁର

୫ ବର୍ଷ ପରେ ପୁଅକୁ ପାଇଲା ମା’

By Sambad | Date: Jan 5 2017 11:30AM
୫ ବର୍ଷ ପରେ ପୁଅକୁ ପାଇଲା ମା’

ଯାଜପୁରସଦର: କଟକ ବାଦାମବାଡ଼ିରେ ହଜିଯାଇଥିବା ପୁଅକୁ ୫ ବର୍ଷ ପରେ ମା’ ଯାଜପୁର ବାଳାଶ୍ରମରେ ଠାବ କରିଛି। ମା’ ପୁଅକୁ ଚିହ୍ନି ପାରୁଥିବା ବେଳେ ପୁଅ କିନ୍ତୁ ମା’କୁ ଚିହ୍ନି ପାରୁନି। ଏଭଳି ସ୍ଥିତିରେ ଅଡ଼ୁଆରେ ପଡ଼ିଛି ପ୍ରଶାସନ। ମା’ ନିଜ ପୁଅକୁ ପାଇବା ପାଇଁ ଯାଜପୁର ଉପଜିଲ୍ଲାପାଳଙ୍କ କୋର୍ଟରେ ଏକ ମାମଲା ଦାୟର କରିଛନ୍ତି।
ଯାଜପୁର ବାଲିଚନ୍ଦ୍ରପୁର ଥାନା ଗୋପାଳପୁର ଅଞ୍ଚଳର କବିତା ରାଉତ।

ନିଜର ସ୍ୱାମୀ ରଂଜନ କୁମାର ରାଉତ ତାଙ୍କୁ ୨୦୦୯ ମସିହାରେ ଛାଡି ଦ୍ଵିତୀୟ ବିବାହ କରିଥିବା ବେଳେ ୪ ପୁଅ ଓ ଗୋଟିଏ ଝିଅକୁ ନେଇ କବିତା ଜୀବନ ସହ ସଂଗ୍ରାମ ଆରମ୍ଭ କରିଥିଲେ। ଭୁବନେଶ୍ୱର ଏକ ସାବୁନ କାରଖାନାରେ ରହି ଯାହା ଯେମିତି ରୋଜଗାର କରି ଛୁଆଙ୍କ ମୁହଁରେ ଆହାର ଦେଉଥିଲେ। ୨୦୧୧ ମସିହା ନଭେମ୍ବର ୨୦ ତାରିଖ ବାପଘରୁ ଅଷ୍ଟମୀ ସାରି ଭୁବନେଶ୍ୱର ଫେରୁଥିବା ବେଳେ କଟକ ବାଦାମବାଡି ବସ୍‌ଷ୍ଟାଣ୍ଡରେ ତାଙ୍କ ୪ ବର୍ଷର ସାନପୁଅ ଜିତେନ୍ଦ୍ର ହଜିଯାଇଥିଲା।
 

କବିତାଙ୍କ କହିବା କଥା ହେଲା,  ବସ୍‌ଷ୍ଟାଣ୍ଡରେ ପୁଅକୁ ଶୋଷ ଲାଗିଥିଲା। ଏହି ସମୟରେ ଜଣେ ବ୍ୟକ୍ତି ପୁଅକୁ ଧରି ପାଣି ପିଆଇବା ପାଇଁ କହି ନେଇଯାଇଥିଲେ। ଆଉ ଫେରି ନଥିଲେ। ଯେତେ ଖୋଜିଲେ ମଧ୍ୟ ପିଲାକୁ ନପାଇବାରୁ ମା କବିତା ବାଦାମବାଡି ଥାନାରେ ଅଭିଯୋଗ କରି ଫେରିି ଯାଇଥିଲେ। ସେହି ଦିନ ଠାରୁ ଯେଉଁଠି ବି ଅଜଣା ପିଲାର ଉଦ୍ଧାର ଖବର ମିଳେ କବିତା ଧାଇଁ ଯାଏ ସେଠିକି। ହଠାତ୍‌ କିଛି ଦିନ ହେବ ଜେନାପୁର ଥାନା ଅଧୀନ ବାଲିସାହି ମୁରଲୀପୁର ଗ୍ରାମର ପୀତବାସ ରାଉତଙ୍କ ଘରେ ଜଣେ ପିଲା କାମ କରୁଥିବା ସ୍ଥାନୀୟ କିଛି ରାଜମିସ୍ତ୍ରୀ କବିତାକୁ ଖବର ଦେଇଥିଲେ। କବିତା ନିଜର କିଛି ସଂପର୍କୀୟଙ୍କ ସହିତ ସେଠାକୁ ପିଲାକୁ ଦେଖିବାକୁ ଯିବାରୁ ତାଙ୍କୁ ସେଠାରୁ ଧମକ ଚମକ ଦେଇ ବିଦା କରି ଦିଆଯାଇଥିଲା। କବିତା ଏନେଇ ଯାଜପୁର ଜିଲ୍ଲାପାଳ, ଶିଶୁ ସୁରକ୍ଷା ୟୁନିଟରେ ଅଭିଯୋଗ କରିବା ସହିତ ଉପଜିଲ୍ଲପାଳଙ୍କ କୋର୍ଟରେ ମିସ୍‌ କେସ୍‌ ଦାୟର କରିଥିଲେ।

ତାଙ୍କ ଅଭିଯୋଗ ମୁତାବକ ଉପ ଜିଲ୍ଲାପାଳଙ୍କ କୋର୍ଟ ମିସ୍‌ କେସ ନଂ ୧୬୧୪/୨୦୧୬ ଧାରା ୯୭ ଆପିସି ଆକ୍ଟରେ ମାମଲା ରୁଜୁ କରି ଏକ ସର୍ଚ୍ଚ ୱାରେଣ୍ଟ କରିଛନ୍ତି। ଶିଶୁ ସୁରକ୍ଷା ୟୁନିଟର ନିର୍ଦ୍ଦେଶ କ୍ରମେ  ଜେନାପୁର ଥାନାଧିକାରୀ ଜ୍ୟୋତିପ୍ରକାଶ ପଣ୍ଡାଙ୍କ  ପିଲାଟିକୁ ଉଦ୍ଧାର କରି ବାଳାଶ୍ରମରେ ସ୍ୱଳ୍ପକାଳୀନ ଭାବେ ରଖିଥିଲେ। ପରେ ପୁଲିସ ପିଲାଟିକୁ ଉପଜିଲ୍ଲାପାଳଙ୍କ କୋର୍ଟରେ ହାଜର କରାଇ ପିଲାର ମା’ ଦାବି କରୁଥିବା କବିତା ଓ ପିଲାକୁ ରଖିଥିବା ପୀତବାସ ରାଉତକୁ ଡକାଯାଇଥିଲେ  ମଧ୍ୟ ପୀତବାସ ଆସି ନଥିଲେ। ଏହି ପିଲା ଜଣକ କବିତାକୁ ମା’ ଭାବେ ଗ୍ରହଣ କରୁନାହିଁ। ଫଳରେ ଦ୍ୱନ୍ଦ୍ୱ ଉପୁଜିଛି। ଘଟଣାଟି କୋର୍ଟ ନିୟମାନୁଯାୟୀ ବିଚାର ହେବାକୁ ଥିବାବେଳେ  ଉଭୟଙ୍କ  ସମସ୍ତ କାଗଜପତ୍ର, ଅନ୍ୟ ପ୍ରମାଣ ପତ୍ର ଯାଞ୍ଚ କରାଯିବା ସହିତ ଦରକାର ପଡିଲେ ଡିଏନ୍‌ଏ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି।
 

ଅନ୍ୟ ପଟେ ପ୍ରଶ୍ନ ଉଠୁଛି ଜଣେ ବ୍ୟକ୍ତି ଜଣେ ଅଜଣା ପିଲାକୁ ତାର ମୌଳିକ ଅଧିକାର ଠାରୁ ବଞ୍ଚିତ କରି ସଠିକ୍‌  ଯତ୍ନ ନନେଇ ଏତେ ଦିନ ରଖିଲା କାହିଁକି ଓ ପିଲାକୁ କି କାର୍ଯ୍ୟରେ ଲଗାଉଥିଲା। ଯଦି ପିଲାକୁ ପାଖରେ ରଖିଥିଲା କାହିଁକି ପିଲାକୁ ପାଠ ପଢ଼ାଇଲା ନାହିଁ। ଯାହାକି କିଶୋର ନ୍ୟାୟ ଧାରା ୮୪ ଓ ଶିଶୁ ଶ୍ରମିକ ଆଇନକୁ ଉଲଘଂନ କରୁଛି। ତେବେ ଏନେଇ ବିଚାର ଚାଲିଥିବାବେଳେ କ’ଣ ରାୟ ବାହାରିବ,  ନିଖୋଜ ପିଲାର ମା’ ଦାବି କରୁଥିବା କବିତାକୁ ତାର ପୁଅ ମିଳବି କି ନାହିଁ ତାହା ପରବର୍ତ୍ତୀ ସମୟରେ କୋର୍ଟର ନିଷ୍ପତ୍ତି ପରେ ଜଣାପଡିବ। ତେବେ ଜଣେ ଶିଶୁକୁ ବେଆଇନ ଭାବେ ଘରେ ରଖିବା ଅପରାଧରେ ପୀତବାସଙ୍କୁ ନ୍ୟାୟ ଅନୁଯାୟୀ କି ଦଣ୍ଡ ମିଳୁଛି ତାହାକୁ ହିଁ ସମସ୍ତଙ୍କ ଅପେକ୍ଷା। ଏସଂପର୍କରେ ଉପଜିଲ୍ଲପାଳ ମହେଶ୍ୱର ପାଣିଗ୍ରାହୀଙ୍କୁ ପଚାରିବାରୁ ଘଟଣାର ବିଚାର ଚାଲିଛି। କୋର୍ଟ ତାର ନିଷ୍ପତ୍ତି ନେବ ବୋଲି କହିଛନ୍ତି।
 

image