17 August 2017
7:18:49 PM
Sambad News
ଯାଜପୁର

ପାଣି ଟ୍ୟାଙ୍କ୍‌ ଡ୍ରାଇଭରଙ୍କୁ ନିର୍ମମ ହତ୍ୟା : କ୍ଷତିପୂରଣ ଦାବିରେ ଥାନା ଘେରିଲେ ଗ୍ରାମବାସୀ

By Sambad | Date: Jan 6 2017 12:26AM
ପାଣି ଟ୍ୟାଙ୍କ୍‌ ଡ୍ରାଇଭରଙ୍କୁ ନିର୍ମମ ହତ୍ୟା : କ୍ଷତିପୂରଣ ଦାବିରେ ଥାନା ଘେରିଲେ ଗ୍ରାମବାସୀ

ଚଣ୍ଡିଖୋଲ :  ପାଣି ସିଞ୍ଚନକୁ କେନ୍ଦ୍ର କରି ବାଲିଚନ୍ଦ୍ରପୁର ଥାନାର ମାଣ୍ଡୁକା ଗ୍ରାମରେ ଆଜି ଏକ ହତ୍ୟାକାଣ୍ଡ ଘଟିଯାଇଛି। ପାଣି ଟ୍ୟାଙ୍କର ଜଣେ ଡ୍ରାଇଭରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ସେ ହେଉଛନ୍ତି ବାଲିଚନ୍ଦ୍ରପୁର ଥାନା ତଥା ଭରତପୁର ପଞ୍ଚାୟତ ଅନ୍ତର୍ଗତ ପଣସୁଆ ଗ୍ରାମର ଧ୍ରୁବ ଚରଣ ସାହୁଙ୍କ ବଡ଼ପୁଅ ବିଜୟ କୁମାର ସାହୁ (୫୪)। ଏହି ଘଟଣା ପରେ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଗାଁ ଲୋକେ ସ୍ଥାନୀୟ ଥାନାରେ ଧାରଣା ଦେଇଛନ୍ତି। ହତ୍ୟାକାରୀ ଫେରାର ହୋଇଯାଇଛି।
 
ହରିଦାସପୁର-ପାରାଦୀପ ରେଳପଥ ନିର୍ମାଣ କରୁଥିବା ଟିଟି ଆଇପିଏଲ୍‌ କଂପାନିରେ ଟ୍ୟାଙ୍କ୍‌ର ଯୋଗେ ରାସ୍ତାରେ ପାଣି  ସିଞ୍ଚନ କାମରେ ବିଜୟ ନିୟୋଜିତ ଥିଲେ। ବିଜୟ ଆଜି ଟ୍ୟାଙ୍କରରେ ପାଣି ଭର୍ତି କରି ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ମାଣ୍ଡୁକା ଗ୍ରାମକୁ ଆସିଥିଲେ। ସେଠାରେ ରେଳପଥ ନିର୍ମାଣ ହେଉଥିବା ରାସ୍ତାରେ ଧୂଳି ଉଡ଼ୁଥିବା ହେତୁ ବିଜୟ ସେଠାରେ ଟ୍ୟାଙ୍କ୍‌ରରେ ପାଣି ସିଞ୍ଚନ କରୁଥିଲେ। ତେବେ ଆଜି ଦିନ ପାଖାପାଖି ସାଢ଼େ ଗୋଟାଏରେ ମାଣ୍ଡୁକା ଛକ ପାଖରେ ବିଜୟ ପାଣି ସିଞ୍ଚନ କରୁଥିବା ବେଳେ ମାଣ୍ଡୁକା ଗ୍ରାମର ନାରାୟଣ ଦାସଙ୍କ ପୁଅ ସୁବାସ ଦାସ ଓରଫ କାଳନ୍ଦୀ (୩୬) ହଠାତ୍‌ ସେଠାକୁ ଆସି ବିଜୟ ସହିତ ପାଟିତୁଣ୍ଡଠ କରିଥିଲା। ପରେ ଉତ୍ତ୍ୟକ୍ତ କାଳନ୍ଦୀ ବିଜୟକୁ ଟ୍ୟାଙ୍କରରୁ ଟାଣି ଆଣି ନିର୍ଧୁମ ପିଟିଥିଲା। ପରେ ସେ ରାସ୍ତା ଉପରକୁ ଠେଲି ଦେଇଥିଲା। କାଳନ୍ଦୀର ଆକ୍ରମଣରେ ବିଜୟ ଗୁରୁତର ଆହତ ହୋଇଥିଲା। ଚିକିତ୍ସା ପାଇଁ ବିଜୟକୁ କଟକ ବଡ଼ ମେଡିତକାଲରେ ଭର୍ତି କରାଯାଇଥିବା ବେଳେ ଚିକିତ୍ସିତ ଅବସ୍ଥାରେ ସେଠାରେ ବିଜୟଙ୍କର ମୃତ୍ୟୁ ହୋଇଯାଇଥିଲା। 
 
ଟ୍ୟାଙ୍କ୍‌ର ମାଲିକ ପବିତ୍ର ପାତ୍ର ଚାଳକ ବିଜୟକୁ କାଳନ୍ଦୀ ମାଡ଼ ମାରି ହତ୍ୟା କରିଥିବା ସଂପର୍କରେ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ଥାନା ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଅପରପକ୍ଷରେ ବିଜୟର ମୃତ୍ୟୁ ହୋଇଥିବା ଘଟଣା ପ୍ରଚାରିତ ହେବାକ୍ଷଣି ତାଙ୍କ ଗ୍ରାମ ପଣସୁଧାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତର ହତ୍ୟାକାରୀ କାଳନ୍ଦୀକୁ ତୁରନ୍ତ ଗିରଫ ଓ ତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରି ଗ୍ରାମର ଗଗନ ବିହାରୀ ସାହୁ, ବସନ୍ତରାଜ ସାମଲ, ବ୍ରହ୍ମାନନ୍ଦ ସାହୁ, ବିପିନ ସାହୁ, ବାବାଜୀ ସାହୁ, ସୁବାସ  ସାହୁ, ପ୍ରକାଶ ସାହୁ, ପ୍ରଦୀପ ସାହୁ, ପ୍ରଶାନ୍ତ ସାହୁ, ପ୍ରଭାତ ସାହୁ, ବିରଞ୍ଚି ସାହୁ, ବସନ୍ତ ସାହୁ,  ରଂଜନ ସାହୁ, ବିଶ୍ୱନାଥ ସାହୁ, ବଳରାମ ସାହୁ, ତାପସ ସାହୁ, ମଳୟ ମହାରଣା ଓ କୈଳାସ ମହାରଣାଙ୍କ ସମେତ ଶହ ଶହ ଗ୍ରାମବାସୀମାନେ ଥାନା ସମ୍ମୁଖରେ ଆଜି ରାତିରେ ଧାରଣାରେ ବସିଥିଲେ। 
 
ହତ୍ୟାକାଣ୍ଡ ଖବର ପାଇ ଯାଜପୁରରୋଡ଼ ଏସ୍‌ଡିପିଓ ଯୁଗଳ କିଶୋର ଦାସ ଓ ଥାନାଧିକାରୀ ସୁଶାନ୍ତ କୁମାର ଦାସ ପ୍ରମୁଖ ମାଣ୍ଡୁକା ଗ୍ରାମରୁ ତଦନ୍ତ ସାରି ପରେ ଥାନାରେ ପହଞ୍ଚି ଥିଲେ। ମୃତ ବିଜୟର ଶବ ସତ୍କାର ନିମନ୍ତେ ଜିଲ୍ଲା ରେଡ୍‌କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବା ସହିତ ଖୁବ୍‌ଶୀଘ୍ର ଅଭିଯୁକ୍ତକୁ ଗିରଫ କରିବାର ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ  ହୋଇଥିଲା। ତେବେ ମୃତ ବିଜୟ କାମ କରୁଥିବା  ଟିଟିଆଇପିଏଲ୍‌ କର୍ତୃପକ୍ଷ ତାଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ବାବଦକୁ ୨୫ ଲକ୍ଷ ଟଙ୍କା ପ୍ରଦାନ ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି।