18 January 2017
7:34:25 PM
Sambad News
ଯାଜପୁର

ପୁଲିସର ଜୁଲମ୍‌ର ପ୍ରତିବାଦ : କଳିଙ୍ଗନଗର ଏଡିଏମ୍‌ ଅଫିସରେ ଧାରଣା

By Sambad | Date: Jan 6 2017 6:15AM
ପୁଲିସର ଜୁଲମ୍‌ର ପ୍ରତିବାଦ : କଳିଙ୍ଗନଗର ଏଡିଏମ୍‌ ଅଫିସରେ ଧାରଣା

ଯାଜପୁର/କୁହିକା : ଫାର୍ମରେ କାମ ନ ପାଇବା ଏବଂ ପୁଲିସ ଜୁଲମ୍‌ର ପ୍ରତିବାଦରେ ସୁକିନ୍ଦା ବିହନ ଫାର୍ମ ଶ୍ରମିକ ସଂଘ ସଦସ୍ୟମାନେ ୩୫ କିମି ଚାଲି ଚାଲି ଆସି କଳିଙ୍ଗନଗର ଏଡିଏମ୍‌ ଅଫିସ୍‌ ଆଗରେ ଧାରଣା ଦେଇଛନ୍ତି। ଏପରିକି, ରାତିର ଭୀଷଣ ଶୀତକୁ ସେମାନେ ଭ୍ରୂକ୍ଷେପ କରିନଥିବା ଦେଖିବାକୁ ମିଳିଛି। 
 
ଅଭିଯୋଗ ଅନୁସାରେ, ଏନ୍‌ଏସ୍‌ସି କର୍ତ୍ତୃପକ୍ଷ ଗତକାଲି ପୁଲିସ୍‌ ଲଗାଇ କାମ ଆରମ୍ଭ କରିଛନ୍ତି। ଏନେଇ ପୂର୍ବରୁ ହୋଇଥିବା ଆଲୋଚନାକୁ ମଧ୍ୟ ଗୁରୁତ୍ୱ ଦିଆଯାଇ ନାହିଁ କି ଶ୍ରମିକଙ୍କୁ କାମ ପାଇଁ ଡକାଯାଇନାହିଁ। ଆଜି କାମ ପାଇଁ ଆସିଥିବାବେଳେ ସେମାନଙ୍କୁ ସଫାସଫା ମନା କରିଦେଲେ। ଏହାର  ପ୍ରତିବାଦରେ ଆଜି ସକାଳେ ଶତାଧିକ ପୁରୁଷ ଓ ମହିଳା ଶ୍ରମିକ ବିହନ ଫାର୍ମ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି କରିଥିଲେ। ଏହି ସମୟରେ ଏନ୍‌ଏସ୍‌ସି ଅଧିକାରୀ କିମ୍ବା କର୍ମଚାରୀମାନେ ବିହନ ଫାର୍ମ କାର୍ଯ୍ୟାଳୟରେ ଉପସ୍ଥିତ ନଥିବା ଦେଖିବାକୁ ମିଳିଥିଲା।  
 
ସକାଳ ପ୍ରାୟ ସାଢ଼େ ୧୧ଟାରେ ସୁକିନ୍ଦା  ଥାନାଧିକାରୀ ଏନ୍‌କେ ଧୀର ଓ ତହସିଲଦାର ନବକୃଷ୍ଣ ଜେନା ପହଞ୍ଚିି କରିଥିବା ଆଲୋଚନାରେ ଶ୍ରମିକମାନେ ସହମତି ହୋଇନଥିଲେ। ଏହାପରେ, ଅପରାହ୍‌ଣ ପ୍ରାୟ ୩ଟାରେ ଶତାଧିକ ଶ୍ରମିକ ଧାଡ଼ିବାନ୍ଧି ମୁଖ୍ୟ ରାସ୍ତା ଦେଇ ଚାଲି ଚାଲି ୩୫ କିମି ଅତିକ୍ରମ କରି ରାତି ୯ଟରେ ଯାଜପୁରରୋଡ଼ସ୍ଥିତ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଛନ୍ତି। ଅପରପକ୍ଷେ, ଶ୍ରମିକମାନେ ବିହନଫାର୍ମରୁ ଫେରିବା ପର ଘଟଣା ସମ୍ପର୍କରେ କିଛି ମତାମତ ଦେବାକୁ ଥାନାଧିକାରୀ ଶ୍ରୀ ଧୀର ମନା କରିଦେଇଛନ୍ତି।