25 March 2017
3:23:50 AM
Sambad News
ଯାଜପୁର

ବିହନ ଫାର୍ମ ଶ୍ରମିକଙ୍କ ଉପରେ ପୁଲିସ ଜୁଲମ୍‌ର ପ୍ରତିବାଦ

ଶତାଧିକ ମହିଳା ଚାଲିଲେ ୩୫ କିମି

By Sambad | Date: Jan 6 2017 11:17AM
ବିହନ ଫାର୍ମ ଶ୍ରମିକଙ୍କ ଉପରେ ପୁଲିସ ଜୁଲମ୍‌ର ପ୍ରତିବାଦ

ଯାଜପୁର/ କୁହିକା: ପୁଲିସ ଜୁଲମ୍‌ର ପ୍ରତିବାଦରେ ସୁକିନ୍ଦା ବିହନ ଫାର୍ମ ଶ୍ରମିକ ସଂଘ ସଦସ୍ୟମାନେ ୩୫ କିମି ଚାଲି ଚାଲି ଆସି କଳିଙ୍ଗନଗର ଏଡିଏମ୍‌ ଅଫିସ୍‌ ଆଗରେ ଧାରଣା ଦେଇଛନ୍ତି। ଫାର୍ମରେ କାମ ନ ପାଇବା ପ୍ରତିବାଦରେ ସେମାନେ ଏହିଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ଏପରିକି, ରାତିରେ ଶୀତ ପଡ଼ିଥିଲେ ମଧ୍ୟ ତାହାକୁ ସେମାନେ ଭ୍ରୂକ୍ଷେପ କରି ନ ଥିବା ଦେଖିବାକୁ ମିଳିଛି।

ସରକାର ବିହନ ଫାର୍ମକୁ ରାଷ୍ଟ୍ରାୟତ୍ତ ସଂସ୍ଥା (ଏନ୍‌ଏସ୍‌ସି) ହାତରେ ଟେକି ଦେବା ପରଠାରୁ  ସଂଘ ପକ୍ଷରୁ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି। ସଂଘ ସହିତ ସମ୍ପୃକ୍ତ ଶ୍ରମିକଙ୍କ କହିବାନୁସାରେ, ସେମାନଙ୍କୁ କାମ ମାଗିଲେ ମନା କରାଯାଉଛି। ଏପରିକି, ପୁଲିସ୍‌ ଲଗାଇ ଜୁଲମ୍‌ କରାଯାଉଛି।
 

ସେମାନଙ୍କ ଅଭିଯୋଗ ଅନୁସାରେ, ଏନ୍‌ଏସ୍‌ସି କର୍ତ୍ତୃପକ୍ଷ ଗତକାଲି ପୁଲିସ୍‌ ଲଗାଇ କାମ ଆରମ୍ଭ କରିଛନ୍ତି। ଏନେଇ ପୂର୍ବରୁ ହୋଇଥିବା ଆଲୋଚନାକୁ ମଧ୍ୟ ଗୁରୁତ୍ୱ ଦିଆଯାଇ ନାହିଁ କି ଶ୍ରମିକଙ୍କୁ କାମ ପାଇଁ ଡକାଯାଇନାହିଁ। ଆଜି କାମ ପାଇଁ ଆସିଥିବାବେଳେ ସେମାନଙ୍କୁ ସଫାସଫା ମନା କରିଦେଲେ। ଏହାର  ପ୍ରତିବାଦରେ ଆଜି ସକାଳେ ଶତାଧିକ ପୁରୁଷ ଓ ମହିଳା ଶ୍ରମିକମାନେ ବିହନ ଫାର୍ମ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ନାରାବାଜି କରିଥିଲେ। ଏହି ସମୟରେ ଏନଏସ୍‌ସି ଅଧିକାରୀ କିମ୍ବା କର୍ମଚାରୀମାନେ ବିହନ ଫାର୍ମ କାର୍ଯ୍ୟାଳୟରେ ଉପସ୍ଥିତ ନଥିବା ଦେଖିବାକୁ ମିଳିଥିଲା।

  ସକାଳ ପ୍ରାୟ ସାଢ଼େ ୧୧ଟାରେ ସୁକିନ୍ଦା  ଥାନାଧିକାରୀ ଏନ୍‌କେ ଧୀର ଓ ତହସିଲଦାର ନବକୃଷ୍ଣ ଜେନା ଘଟଣାସ୍ଥଳରେ ପହଞ୍ଚିିଥିଲେ। ମାତ୍ର, ଏ ନେଇ ହୋଇଥିବା ଆଲୋଚନାରେ ଶ୍ରମିକମାନେ ସହମତି ହୋଇ ନ ଥିଲେ। ଏହାପରେ, ଅପରାହ୍‌ଣ ପ୍ରାୟ ୩ଟାରେ ଶତାଧିକ ଶ୍ରମିକ ଧାଡ଼ିବାନ୍ଧି ମୁଖ୍ୟ ରାସ୍ତା ଦେଇ ଚାଲି ଚାଲି ୩୫କିମି ଅତିକ୍ରମ କରି ରାତି ୯ଟରେ ଯାଜପୁରରୋଡ଼ସ୍ଥିତ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଛନ୍ତି । ଶୀତରାତିରେ ଶ୍ରମିକମାନେ ୩୫ କିଲୋମିଟର ଚାଲିଚାଲି ଆସିବାକୁ ନେଇ ଆଜି ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି। ଏ  ସଂପର୍କରେ ଥାନାଧିକାରୀ ଶ୍ରୀ ଧୀରଙ୍କୁ ପଚାରିବାରୁ ସେ କିଛି ମତାମତ ଦେବାକୁ ମନା କରିଦେଇଛନ୍ତି।