21 January 2017
10:54:52 PM
image
Sambad News
ଯାଜପୁର

ସୁକିନ୍ଦା ଫାର୍ମରେ ପୁଣି ଶ୍ରମିକ ଅଶାନ୍ତି : ୨୪ ଘଣ୍ଟାରେ ନିଷ୍ପତ୍ତି ବଦଳାଇଲା ପ୍ରଶାସନ

ପୁଣି ଧାରଣାରେ ବସିଲେ ଶତାଧିକ ଶ୍ରମିକ

By Sambad | Date: Jan 8 2017 2:07AM
ସୁକିନ୍ଦା ଫାର୍ମରେ ପୁଣି ଶ୍ରମିକ ଅଶାନ୍ତି : ୨୪ ଘଣ୍ଟାରେ ନିଷ୍ପତ୍ତି ବଦଳାଇଲା ପ୍ରଶାସନ

କୁହିକା/ବ୍ୟାସନଗର : ସୁକିନ୍ଦା ବିହନ ଫାର୍ମ ଘଟଣାରେ ପୁଣିଥରେ ନିଷ୍ପତ୍ତି ବଦଳାଇଛି ପ୍ରଶାସନ। କାମ ପାଇଁ ଯାହାକିଛି ପ୍ରତିଶ୍ରୁତି ଦେଇଥିଲା, ତାହାକୁ ବଦଳାଇ ଦେଇଛି। ୨୪ ଘଣ୍ଟା ମଧ୍ୟରେ ଏହି ନିଷ୍ପତ୍ତି ପରିବର୍ତ୍ତନ ଆନ୍ଦୋଳକାରୀ ଶ୍ରମିକଙ୍କୁ ହତଚକିତ କରି ଦେଇଛି। ସେମାନେ ପୁଣିଥରେ ଧାରଣାରେ ବସିଛନ୍ତି। କାମ ନମିଳିଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସୁକିନ୍ଦା ବିହନ ଫାର୍ମ ଶ୍ରମିକ ସଂଘ ଧମକ ଦେଇଛି।
 
ଗତକାଲି  ଶ୍ରମିକ ସଂଘର ପ୍ରତିନିଧି ଏବଂ କଳିଙ୍ଗନଗର ଏଡ଼ିଏମଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।  ଏଡିଏମ୍‌ ଶ୍ରମିକମାନଙ୍କ ସହ ଆଲୋଚନା କରିବା ପରେ ମଷ୍ଟର ରୋଲ୍‌ ଅନୁଯାୟୀ କାମ କରିବାକୁ ପ୍ରତିଶ୍ରୁତି ଦେବା ସହ ଫାର୍ମକୁ ଯିବେ ବୋଲି କହିଥିଲେ। ଏହି ପ୍ରତିଶ୍ରୁତି ପରେ ଶ୍ରମିକମାନେ ଆନ୍ଦୋଳନରୁ ବି ଓହ୍ଲାଇ ଯାଇଥିଲେ।  ଆଜି ପ୍ରାୟ ସାଢ଼େ ୪ଟାରେ ସମୟରେ ଏଡ଼ିଏମ୍‌ ଅବଦୁଲ ଅଲିମ ଖାଁ ବିହନ ଫାର୍ମରେ ପହଁଚି ନିଷ୍ପତ୍ତି ପରିବର୍ତ୍ତନ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଘୋଷଣା ପୂର୍ବରୁ ସେ  ତହସିଲଦାର, ଏନ୍‍ଏସ୍‍ସି ଅଧିକାରୀ ଓ ସ୍ଥାନୀୟ ପୁଲିସ୍‍ ମଧ୍ୟରେ ରୁଦ୍ଧଦ୍ଵାର ବୈଠକରେ ଆଲୋଚନା କରିଥିଲେ। ଏହାପରେ,  ଆସନ୍ତାକାଲି ଠାରୁ ପୂର୍ବ ରେଜିଷ୍ଟରଭୁକ୍ତ ଶ୍ରମିକଙ୍କୁ ପୁରୁଣା ଶସ୍ୟ ଅମଳ କ୍ଷେତ୍ରରେ ପ୍ରାଥମିକତା ମିଳିବା ସହ ଏନ୍‍ଏସ୍‍ସି କାର୍ଯ୍ୟ ଆରମ୍ଭ କରିବା ପରେ ନୂଆ ଶ୍ରମିକଙ୍କୁ କାମରେ ଲଗାଇ ପାରିବ ବୋଲି ନିଷ୍ପତ୍ତି ଶୁଣାଇଥିଲେ। ବୈଠକ ସମୟରେ  ଏନ୍‍ଏସ୍‍ସି ସପକ୍ଷବାଦୀଙ୍କ ପକ୍ଷରୁ ଶତାଧିକ ଶ୍ରମିକ ମଧ୍ୟ ବିହନ ଫାର୍ମରେ ଆସି ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା। 
 
ଗତ ୫ ତାରିଖ  ଅପରାହ୍‍ଣରେ ସୁକିନ୍ଦା ବିହନ ଫାର୍ମରୁ ଶତାଧିକ ଶ୍ରମିକ କାମ ନମିଳିବା ଓ ପୁଲିସ୍‍ ଜଗାଇ ବାହାର ଶ୍ରମିକଙ୍କ ଦ୍ଵାରା କାମ କରାଇବା ପ୍ରତିବାଦରେ ଦୀର୍ଘ ୩୫ କିମି ପଦଯାତ୍ରାରେ ଏଡିଏମ୍‍ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ରାତି ସାରା ଶୀତ କାକରରେ ପଡ଼ି ରହିଥିଲେ। ପରଦିନ ଆଲୋଚନାରେ ବହୁ ଛାମୁଆ ସଂଗଠକଙ୍କ ଉପସ୍ଥିତିରେ ପୁରୁଣା ଶ୍ରମିକଙ୍କୁ କାମରେ ପ୍ରାଥମିକତା ଦେବାକଥା ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି ପରିବର୍ତ୍ତନକୁ ଶ୍ରମିକ ସଂଘ ଗ୍ରହଣ କରିନାହିଁ। ପୁଣିଥରେ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଚେତାବନୀ ଦେଇଛି।