25 May 2017
4:05:09 PM
image
Sambad News
ରାଜ୍ୟ

ଡିପିସି କାର୍ଯ୍ୟାଳୟରେ ପୂଜ୍ୟପୂଜାଙ୍କୁ ଅସମ୍ମାନ : ସର୍ବପଲ୍ଲୀଙ୍କ ପ୍ରତିମୂର୍ତ୍ତିି ଗାଏବ

By Sambad | Date: Jan 8 2017 9:24PM
ଡିପିସି କାର୍ଯ୍ୟାଳୟରେ ପୂଜ୍ୟପୂଜାଙ୍କୁ ଅସମ୍ମାନ : ସର୍ବପଲ୍ଲୀଙ୍କ ପ୍ରତିମୂର୍ତ୍ତିି ଗାଏବ

ଯାଜପୁର ସଦର :  ପୂଜ୍ୟପୂଜାଙ୍କୁ ଅସମ୍ମାନ ଶୀର୍ଷକ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଯାଜପୁର ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ଅଫିସ୍‌ରେ ଅଖାବନ୍ଧା ହୋଇଥିବା ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ପ୍ରତିମୂର୍ତିକୁ ଗାଏବ୍‌ କରିଦିଆଯାଇଛି। ଏନେଇ କୌଣସି ସନ୍ତୋଷଜନକ ଉତ୍ତର ଅଫିସ୍‌ ତରଫରୁ ମିଳିପାରି ନଥିବା ବେଳେ ଗାଏବ୍‌ ପଛର କାରଣ କ’ଣ ତାହା ବି ଜଣା ପଡ଼ୁନାହିଁ। କି ଉଦ୍ଦେଶ୍ୟ ନେଇ ଏଭଳି କାଣ୍ଡ କରାଯାଇଛି ସେନେଇ ବୁଦ୍ଧିଜୀବୀ ମହଲ ଆଶଙ୍କାରେ ରହିଛି। ଏନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ବି ପ୍ରକାଶ ପାଇଛି।
 
ଯାଜପୁର ଜିଲ୍ଲା ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକଙ୍କ କାର୍ଯ୍ୟାଳୟରେ ଅନାବରଣ ନ ହୋଇ ଦୀର୍ଘ ଦିନ ହେବ ସର୍ବପଲ୍ଲୀ ରାଧାକ୍ରୀଷ୍ଣନ୍‍ଙ୍କ ପ୍ରତିମୂର୍ତ୍ତିି ଥୁଆ ହୋଇଥିଲା। ପ୍ରତିମୂର୍ତ୍ତିି ମୁହଁରେ ଅଖା ବନ୍ଧା ଯାଇ ରଖାଯାଇଥିଲା। ପୂଜ୍ୟପୂଜାଙ୍କ ପ୍ରତି ଏଭଳି ଅସମ୍ମାନ ପ୍ରଦର୍ଶନକୁ ନେଇ ନାନା ଭ୍ରୂକୁଞ୍ଜନ ସୃଷ୍ଟି ହେଉଥିଲା। ଏନେଇ ଗତକାଲି ‘ସମ୍ବାଦ’ରେ ବିସ୍ତତ ଖବର ପ୍ରକାଶ ପାଇବା ପରେ କର୍ତୃପକ୍ଷ ଅତି ତରବରିଆ ଭାବେ ପ୍ରତିମୂର୍ତିଟିକୁ ଗାଏବ୍‌ କରିଦେଇଛନ୍ତି।
 
କାର୍ଯ୍ୟାଳୟର ସୌନ୍ଦର୍ଯ୍ୟ ବୃଦ୍ଧି ସହିତ ଗୁରୁତ୍ଵ ବଢ଼ାଇବା ଲକ୍ଷ୍ୟରେ ଏଠାରେ ସର୍ବପଲ୍ଲୀଙ୍କ ପ୍ରତିମୂର୍ତ୍ତିକୁ ସ୍ଥାପନ କରାଯାଇଥିବା ବେଳେ ଏହାର ଚତୁଃପାର୍ଶ୍ୱରେ ଷ୍ଟିଲ୍‍ର ବ୍ୟାରିକେଡ଼୍‍ ମଧ୍ୟ କରାଯାଇଥିଲା। ତେବେ କାହିଁକି ଦୀର୍ଘ ୨ ମାସରୁ ଅଧିକ ସମୟ ଧରି ଏହାକୁ ଅନାବରଣ କରାନଯାଇ ରଖାଯାଇଥିଲା ତାହା ବୁଝା ପଡ଼ୁନାହିଁ। ଅନ୍ୟପଟେ ପୂଜ୍ୟପୂଜାଙ୍କ ପ୍ରତିମୂର୍ତି ମୁହଁରେ ଅଖାବାନ୍ଧି ଦୀର୍ଘଦିନ ଧରି ଅସମ୍ମାନିତ କରିବା ଦ୍ୱାରା କାର୍ଯ୍ୟାଳୟର ସୌଦର୍ଯ୍ୟ ବୃଦ୍ଧି ବଦଳରେ ସୌଦର୍ଯ୍ୟକୁ ହ୍ରାସ କରୁଥିଲା। ଏନେଇ ଖବର ପ୍ରକାଶ ପାଇବା ପରେ ସ୍ଥିତି ପରଖିବା ପାଇଁ ‘ସମ୍ବାଦ’ ଟିମ୍‌ କାର୍ଯ୍ୟାଳୟରେ ପହଞ୍ଚିବା ବେଳକୁ ସେଠାରେ ପ୍ରତିମୂର୍ତି ନଥିଲା। ଅଫିସ୍‌ରେ ଉପସ୍ଥିତ ଜଣେ କର୍ମଚାରୀଙ୍କୁ ପ୍ରତିମୂର୍ତ୍ତିି ସଂପର୍କରେ ପଚାରିବାରୁ ସେ କହିଥିଲେ ଯେ ଏଭଳି ଖବର ପ୍ରସାରଣ କରିବା  ଠିକ୍‌ ନୁହେଁ ବୋଲି କହିଥିଲେ। ମୂର୍ତ୍ତି କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ସମୟ ଅଭାବ ଓ ଆଚରଣ ବିଧି ଲାଗୁ ହେବାରୁ ଏହାକୁ ଅନାବରଣ କରାଯାଇପାରି ନାହିଁ। ତେବେ ପ୍ରତିମୂର୍ତ୍ତିି କେଉଁ ଆଡେ ଗଲା ସେ ସଂପର୍କରେ ସେ ଜାଣି ନାହାନ୍ତି ବୋଲି କହିଥିଲେ।   
 
କଣ ପାଇଁ ଏହାକୁ ଦୀର୍ଘ ୨ମାସ ଧରି ପକାଇ ରଖାଗଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ଯଦି ଅନାବରଣ ହୋଇପାରି ନଥିଲା ତେବେ ପ୍ରତିମୂର୍ତିକୁ ଗାଏବ କରିବା ପଛରେ କି କାରଣ ରହିଛି, ତା ବି କର୍ତୃପକ୍ଷଙ୍କୁ ସନ୍ଦେହ ଘେରକୁ ଟାଣି ଆଣୁଛି। ଏ ସଂପର୍କରେ  ଜିଲ୍ଲା ପ୍ରକଳ୍ପ ସଂଯୋଜକ ବିଷ୍ଣୁଚରଣ ସୂତାରଙ୍କ ମତାମତ ନେବାକୁ ଯୋଗଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ। ମଣିଷଗଢ଼ା କାରଖାନାର ମୁଖ୍ୟ କାର୍ଯ୍ୟାଳୟରେ ଏଭଳି ଅବସ୍ଥା ଏବଂ ଜଣେ ମହାନ୍‌ ବ୍ୟକ୍ତିଙ୍କ ପ୍ରତି ଅସମ୍ମାନକୁ ବୁଦ୍ଧିଜୀବୀ ମହଲ ନାପସନ୍ଦ କରିବା ସହ ଏଭଳି ଘୃଣ୍ୟ କାମ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି।

image