22 February 2017
9:24:19 AM
Sambad News
ରାଜନୀତି

ବ୍ୟାସନଗର ପୌର ରାଜନୀତି : ୨୧ରେ ଅନାସ୍ଥା ଭୋଟ୍‌

By Sambad | Date: Jan 11 2017 11:28PM
ବ୍ୟାସନଗର ପୌର ରାଜନୀତି : ୨୧ରେ ଅନାସ୍ଥା ଭୋଟ୍‌

ଯାଜପୁର/ବ୍ୟାସନଗର : ବ୍ୟାସନଗର ପୌର ପରିଷଦ ଅଧ୍ୟକ୍ଷା ସବିତା ରାଉତଙ୍କ ବିରୋଧରେ ଦୁଇ ଦୁଇଥର ଅନାସ୍ଥା ପ୍ରସ୍ତାବ ଆସିଛି। ଗତଥର ଅନାସ୍ଥା ପ୍ରସ୍ତାବ ବିରୋଧୀ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବେଳେ ଚଳିତ ଥର ଖୋଦ୍‌ ଶାସକ ଦଳ ବିଦ୍ରୋହୀ ବିଜେଡି ପକ୍ଷରୁ ଦିଆଯାଇଛି। ଏହି ଅନାସ୍ଥାକୁ ଜିଲ୍ଲାପାଳ ଗ୍ରହଣ କରିବା ସହ ଆସନ୍ତା ୨୧ ତାରିଖରେ ଭୋଟ୍‌ ଗ୍ରହଣ ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ଏନେଇ କଳିଙ୍ଗନଗର ଏଡିଏମ୍‌ଙ୍କୁ ଦାୟିତ୍ୱ ଦିଆଯାଇଥିବା ଜଣାଯାଇଛି। 
 
ଅନାସ୍ଥା ପ୍ରସ୍ତାବ ଉପରେ  ଜିଲ୍ଲାପାଳ ରଂଜନ କୁମାର ଦାସ  ଆଜି ନୋଟିସ୍‌ କରିବା ସହିତ ଏହାକୁ ତ୍ଵରାନ୍ଵିତ କରିବା ପାଇଁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଅବଦୁଲ୍‌ ଅଲ୍ଲିମ୍‌ ଖାଁଙ୍କୁ ଦାୟିତ୍ଵ ନ୍ୟସ୍ତ କରିଛନ୍ତି। ଅନାସ୍ଥା ପ୍ରସ୍ତାବ ଦେଇଥିବା ୧୩ କାଉନ୍‌ସିଲର୍‌ଙ୍କର ଦସ୍ତଖତ ଯାଞ୍ଚ ପାଇଁ ଅତିରିକ୍ତ ଜିଲ୍ଲାପାଳ ଆସନ୍ତା ଶୁକ୍ରବାର ନୋଟିସ୍‌ ଜାରି କରିବେ ବୋଲି ‘ସମ୍ବାଦ’କୁ କହିଛନ୍ତି।  
 
ପଞ୍ଚାୟତ ନିର୍ବାଚନ ପାଇଁ ଆଚରଣ ବିଧି ଆଳରେ ଶ୍ରୀମତୀ ରାଉତଙ୍କ ଅନାସ୍ଥାରୁ ରକ୍ଷା ପାଇ ଯାଇପାରନ୍ତି ବୋଲି  କେତେକ ମତ ବ୍ୟକ୍ତ କରିଥିଲେ। ଏପରିକି ଶ୍ରୀମତୀ ରାଉତଙ୍କ ବିରୋଧରେ ବିଜେଡି କାଉନ୍‌ସିଲର୍‌ ଦେଇଥିବା ଅନାସ୍ଥାକୁ କଂଗ୍ରେସ କାଉନ୍‌ସିଲର୍‌  ସମର୍ଥନ ଦେଇ ନପାରନ୍ତି ବୋଲି ମଧ୍ୟ କେତେକ ଆକଳନ କରିଥିଲେ। ଅଥଚ ଆଜି ସବୁ ଅଙ୍କ ବଦଳି ଯାଇଛି। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଜିଲ୍ଳାପାଳ ତାରିଖ ଧାର୍ଯ୍ୟ କରିଛନ୍ତି। 
 
ସେପଟେ ଦେଖାଯାଇଛି ଯେ ଅଧ୍ୟକ୍ଷା ଶ୍ରୀ ରାଉତଙ୍କୁ ହଟାଇବାକୁ  ବିଜେଡି ଓ କଂଗ୍ରେସର ମୋଟ ୨୦ ଜଣ କାଉନ୍‌ସିଲର୍‌ ଏକାଠି ହୋଇ ଭୋଜିଭାତର ଆୟୋଜନ କରିଛନ୍ତି। ଫଳରେ  ଅଧ୍ୟକ୍ଷା ଶ୍ରୀମତୀ ରାଉତ ଅଧ୍ୟକ୍ଷା ଚଉକି ହରାଇବା ଏକପ୍ରକାର ନିଶ୍ଚିତ ବୋଲି ରାଜନୈତିକ ବିଶାରଦ କହିଛନ୍ତି। ତଥାପି ଆଚରଣ ବିଧିକୁ ନେଇ ଆଇନ୍‌ର ଖେଳ ଖେଳାଯାଇପାରେ ବୋଲି ଅଧ୍ୟକ୍ଷା ଶ୍ରୀମତୀ ରାଉତଙ୍କ  ସମର୍ଥକ ଆଶା ବାନ୍ଧିଛନ୍ତି।