23 September 2017
8:17:38 PM
Sambad News
ରାଜ୍ୟ

ଟ୍ରକ୍‌କୁ ପିଟିଲା କାର୍‌, ପଶ୍ଚିମବଙ୍ଗର ୪ ମୃତ

By Sambad | Date: Jan 9 2017 9:37PM
ଟ୍ରକ୍‌କୁ ପିଟିଲା କାର୍‌, ପଶ୍ଚିମବଙ୍ଗର ୪ ମୃତ

ଧର୍ମଶାଳା:  ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ବସ୍‍ଷ୍ଟାଣ୍ଡ୍‍ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ  ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପଶ୍ଚିମବଙ୍ଗର ୪ ଜଣ ନାଗରିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି।
 

ସକାଳ ୫ଟା ୧୫ ମିନିଟ୍‌ ସମୟରେ ଏହି ଦୁର୍ଘଟଣା ଘଟିଛି। ପଶ୍ଚିମବଙ୍ଗ ମେଦିନାପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦନପୁର ଗ୍ରାମର କିଛି ବ୍ୟକ୍ତି ଏକ ମାରୁତି ଓ୍ଵାଗନର୍‌ କାର୍‌ (ଡବ୍ଲ୍ୟୁବି-୩୨କେ-୧୭୦୫ରେ)ରେ କଟକର ଏକ ମେଡ଼ିକାଲକୁ ଆସୁଥିଲେ। କାର୍‌ଟିର ବେଗ ମଧ୍ୟ ଅଧିକ ଥିଲା। ହଠାତ୍‌ କାର୍‌ଟି ଜାରକା ବସ୍‌ଷ୍ଟାଣ୍ଡ ନିକଟରେ ଠିଆ ହୋଇଥିବା ଏକ ମାଲ୍‌ବୋଝେଇ ଟ୍ରକ୍‌ ପଛରେ ପିଟି ହୋଇଯାଇଥିଲା। ଫଳରେ, ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ସେମାନେ ହେଲେ, ପୂର୍ବ ମେଦିନାପୁର ଜିଲ୍ଲା ରାମନଗର ଥାନା ଚନ୍ଦନପୁର ଗ୍ରାମର ଶିବରାମ ମାନ୍ନା(୫୩) ଓ ତାଙ୍କ ପତ୍ନୀ ବିନୋଦିନୀ(୪୮), ସମ୍ପର୍କୀୟ ଇଗ୍ରା ଥାନା ଚନ୍ଦନଦା ଗ୍ରାମର ବିଷ୍ଣୁପଦ ସାହୁ(୪୫) ଓ କଲ୍ୟାଣପୁର ଗାଁର

ସଂଧ୍ୟାରାଣୀ ସାହୁ(୫୦)। କାର ଚାଳକ ପଶ୍ଚିମ ମେଦିନାପୁର ଜିଲ୍ଲା ପଟାସପୁର ଗ୍ରାମର ଅରୂପ ବେରା(୩୮)ଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ସ୍ଥାନୀୟ ଲୋକଙ୍କ କହିବାନୁସାରେ,  ଟ୍ରକ୍‍ଟି (ଏପି-୦୫ଟିଟି-୬୧୭୦) ଘଟଣାସ୍ଥଳରେ ପୂର୍ବରୁ ଅଟକି ରହିଥିଲା। ସମ୍ଭବତଃ, ଡ୍ରାଇଭରଙ୍କ ଆଖିପତା ଲାଗିଯିବାରୁ ସେ ଜାଣି ପାରି ନ ଥଲେ ଏବଂ ଟ୍ରକ୍‌ ପଛରେ କାର୍‌କୁ ନେଇ ପିଟି ଦେଇଥିଲେ।  ଟ୍ରକ୍‌ ପଛରେ ପଶିଯାଇ କାର୍‌ଟି ଖଣ୍ଡିବଖଣ୍ଡିତ ହୋଇଯାଇଥିଲା।  ଦୁର୍ଘଟଣା ସମୟରେ ଏକ ବିରାଟ ଶବ୍ଦ ହେବାରୁ ଲୋକମାନେ ରୁଣ୍ଡ ହୋଇ ସେମାନଙ୍କୁ ଉଦ୍ଧାର କରିଥିଲେ।
 

ଖବର ପାଇ ପୁଲିସ୍‍ ଏକ ଜେସିବି ମେସିନ୍‍ ମାଧ୍ୟମରେ କାର୍‍କୁ ବାହାର କରି ମୃତଦେହକୁ ଜବତ କରିଥିଲେ। କାର ଚାଳକଙ୍କୁ ଧର୍ମଶାଳା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ପୁଲିସ୍‍ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ୍‍ କରିବା ସହିତ ମୃତଦେହ ଗୁଡ଼ିକୁ ବ୍ୟବଚ୍ଛେଦ କରିବା ନିମନ୍ତେ ଯାଜପୁର ପଠାଇଛି। କେଶ୍‍ ନଂ ୧୩/୧୭ ରୁଜୁ କରି ପୁଲିସ୍‍ ଘଟଣାର ତଦନ୍ତ କରୁଛି।
ଅନ୍ୟପକ୍ଷରେ, ଧର୍ମଶାଳା ଥାନା ଅଂଚଳରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକମାନେ ରାସ୍ତାରୋକ୍‍ କରିଥିଲେ। ପୁଲିସ୍‍ ଅଧିକାରୀମାନେ ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ପତ୍ୟାହୃତ ହୋଇଥିଲା।

image