22 February 2017
9:23:10 AM
Sambad News
ଝାରସୁଗୁଡ଼ା

ଫିକା ପଡ଼ିଲା ଆକ୍ସନ ସଂଗ୍ରାମ ସମିତିର ଝାରସୁଗୁଡ଼ା ବନ୍ଦ

ରାସ୍ତାରୋକ ବେଳେ ୫୦ ଗିରଫ, ଆମରଣ ଅନଶନ ଜାରି

By Sambad | Date: Dec 20 2016 4:40AM
ଫିକା ପଡ଼ିଲା ଆକ୍ସନ ସଂଗ୍ରାମ ସମିତିର ଝାରସୁଗୁଡ଼ା ବନ୍ଦ

ଝାରସୁଗୁଡ଼ା,: ୬ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଚଳାଇଥିବା ଆକ୍ସନ ଇସ୍ପାତ ସଂଗ୍ରାମ ସମିତି ତରଫରୁ ସୋମବାର ୧୨ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ ପାଳନ ଫିକା ପଡ଼ିଥିଲା। ସକାଳେ ସଂଗ୍ରାମ ସମିତିର କର୍ତ୍ତକର୍ତ୍ତା ଓ ସଦସ୍ୟମାନେ ବେହେରାମାଲ କିଷାନ ଛକ, ବେହେରପାଟ ବାଇପାସ ଛକ ଏବଂ ବଡ଼ମାଳ ଛକରେ ରାଜପଥ ଅବରୋଧ କରିଥିଲେ। ହେଲେ ସକାଳ ପ୍ରାୟ ୮ଟାରେ ଟାଉନ ପୁଲିସ ପ୍ରଥମେ ବେହେରାମାଲ ଛକ, ପରେ ବେହେରାପାଟ ଏବଂ ଶେଷରେ ବଡ଼ମାଳଠାରେ ୫୦ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରି ନେଇଥିଲା।

ସନ୍ଧ୍ୟା ୫ଟାରେ ଛାଡ଼ି ଦିଆଯାଇଥିଲା। ୮ଟା ପରେ ସହରରେ ଗାଡ଼ି ମୋଟର ଚଳାଚଳ ସ୍ୱାବାଭିକ ହେବା ସହ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ବାଦ୍‌ ଦେଲେ ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ, ଅଫିସ, ବ୍ୟାଙ୍କ ଆଦି ଖୋଲା ରହିଥିଲା। ଏପରିକି ଦୋକାନ ବଜାର ମଧ୍ୟ ସ୍ୱାଭାବିକ ଖୋଲିଥିଲା। ଅପରପକ୍ଷେ ପୁଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ସଂଗ୍ରାମ ସମିତି ତରଫରୁ ତୀବ୍ର ନିନ୍ଦା କରାଯାଇଛି। ସମିତି କହିଛି, ଯେ ପର୍ଯ୍ୟନ୍ତ କର୍ମଚାରୀ ଓ ଶ୍ରମିକଙ୍କ ଦାବି କମ୍ପାନି କର୍ତ୍ତୃପକ୍ଷ ମାନି ନ ନେଇଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଓ ଆମରଣ ଅନଶନ ମଧ୍ୟ ଜାରି ରହିବ।

ଅନଶନରୁ ଓହରିଯିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସଂଗ୍ରାମ ସମିତିକୁ ଯେଉଁ ଅନୁରୋଧ କରାଯାଇଥିଲା ତାହା ମଧ୍ୟ ଫେଲ୍‌ ମାରିଥିଲା।
ସୋମବାର ସନ୍ଧ୍ୟାରେ ମଧ୍ୟ ଝାରସୁଗୁଡ଼ା ଉପଜିଲ୍ଲାପାଳ ଅଜୟ ଜେନା, ତହସିଲଦାର ଭବେଶ ନାୟକ ଓ ପୁଲିସ ଅଧିକାରୀ ଅନଶନକାରୀଙ୍କ ନିକଟକୁ ଯାଇ ଆଲୋଚନା କରିଥିଲେ। କମ୍ପାନି କର୍ତ୍ତୃପକ୍ଷ ପ୍ରାଶାସନ ନିର୍ଦ୍ଦେଶ ନ ମାନି ଆଲୋଚନା କରିବା ପାଇଁ ନ ଆସିବା ଘଟଣାରେ ଅଦାଲତର ଆଶ୍ରୟ ନିଆଯିବ ବୋଲି କହିଥିଲେ ଏବଂ ଅନଶନକାରୀଙ୍କୁ ଅନଶନ ଭଙ୍ଗ କରିବା ପାଇଁ ଅନୁରୋଧ କରିଥିଲେ।

ସେହିପରି ଜିଲ୍ଲା ଶ୍ରମ ଅଧିକାରୀଙ୍କ ତରଫରୁ ରାଜ୍ୟ ଶ୍ରମ କମିସନରଙ୍କୁ ନିକଟକୁ ସୋମବାର ଏକ ଚିଠି ପଠାଯାଇଛି। ଏଥିରେ ବିନା ଆଗୁଆ ସୂଚନାରେ କାରଖାନା ବନ୍ଦ କରିବା ଆଦି ପ୍ରସଙ୍ଗ ନେଇ କାରଖାନା ମାଲିକଙ୍କ ବିରୋଧରେ ମାମଲାରୁ ରୁଜୁ କରାଯିବା ଉଲ୍ଲେଖ ରହିଛି । ଏସବୁ ପ୍ରତିଶ୍ରୁତି ପରେ ମଧ୍ୟ ସଂଗ୍ରାମ ସମିତି ଅନଶନରୁ ଓହରିବା ପାଇଁ ରୋକ୍‌ଠୋକ୍‌ ମନା କରି ଦେଇଥିଲା। ଫଳରେ ନିରାଶ ହୋଇ ଫେରିଥିଲେ ଅଧିକାରୀମାନେ।
 

୬ ଦଫା ଦାବି ନେଇ ଡିସେମ୍ବର ୧୩ ତାରିଖରୁ ଆମରଣ ଅନଶନରେ ବସିଥିବା ଆକ୍ସନ ଇସ୍ପାତ ସଂଗ୍ରାମ ସମିତିର ୯ ଜଣ ସଦସ୍ୟଙ୍କ ମଧ୍ୟରୁ ୪ ଜଣ ଅସୁସ୍ଥ ହୋଇ ସଦର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମରାକୁଟାରେ ଥିବା ଆକ୍ସନ ଇସ୍ପାତ ଆଣ୍ଡ ପାୱାର ପ୍ରାଇଭେଟ ଲିମିଟେଡ, କାରଖାନା ବେଆଇନ ଭାବେ ବନ୍ଦ ହେବା ଓ ବକେୟା ପାଉଣା ନ ମିଳିବା ଆଦି ଦାବିରେ ଆକ୍ସନ ଇସ୍ପାତ ସଂଗ୍ରାମ ସମିତି ତରଫରୁ ଏହି ଆନ୍ଦୋଳନ ଏବଂ ଅନଶନ କରାଯାଇଛି।