22 February 2017
10:55:38 PM
Sambad News
ରାଜ୍ୟ

ଛତିଶଗଡ଼କୁ ଧାନ ବିକୁଛନ୍ତି ଓଡ଼ିଆ ଚାଷୀ

ଏଠି କ୍ୱିଣ୍ଟାଲ ୧୪୭୦ ଟଙ୍କା, ଛତିଶଗଡ଼ରେ ୧୫୫୦

By Sambad | Date: Dec 21 2016 1:49AM
ଛତିଶଗଡ଼କୁ ଧାନ ବିକୁଛନ୍ତି ଓଡ଼ିଆ ଚାଷୀ
Photo by : dnaindia.com

ମିଲର ଦାଉ ଓ କଟନି ଛଟନି ଯୋଗୁଁ ଚାଷୀ ଅସନ୍ତୁଷ୍ଟ
 
ଝାରସୁଗୁଡ଼ା : ମିଲରଙ୍କ ଦାଉ ଏବଂ କଟନିଛଟନି ଯୋଗୁଁ ଅସନ୍ତୁଷ୍ଟ ହୋଇପଡ଼ିଥିବା ଓଡ଼ିଶାର ଚାଷୀ ଏବେ ଛତିଶଗଡ଼ମୁହାଁ ହୋଇଛନ୍ତି। ଧାନ ସଂଗ୍ରହରେ ଓଡ଼ିଶାରେ ଦେଖାଦେଇଥିବା ଅବ୍ୟବସ୍ଥାରୁ ପୂରା ଫାଇଦା ଉଠାଇବାକୁ ଲାଗିଛନ୍ତି ଦଲାଲମାନେ। 
 
ସୀମାନ୍ତ ଝାରସୁଗୁଡ଼ା ଜିଲ୍ଲାରେ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଥିବା ଲଖନପୁର ପଞ୍ଚାୟତର କେତେକ ଗାଁରେ ଚାଷୀମାନେ ମଣ୍ଡିକୁ ଧାନ ନେବାକୁ ପସନ୍ଦ କରୁନାହାନ୍ତି। ପଡ଼ୋଶୀ ରାଜ୍ୟର ଦଲାଲମାନେ ଲଖନପୁର ବ୍ଲକର ସୀମାନ୍ତ ଗାଁ ଗାଁ ବୁଲି ନିର୍ଦ୍ଧାରିତ ସରକାରୀ ଦରଠାରୁ କମ୍‌ ମୂଲ୍ୟରେ ଧାନ ସଂଗ୍ରହ କରି କିଣି ନେଉଛନ୍ତି। ଚାଷୀମାନେ ବି ଆଗ୍ରହରେ ଏସବୁ ଧାନ ଦଲାଲଙ୍କୁ ଦେଉଛନ୍ତି। କାରଣ ମଣ୍ଡିରେ ମାନ ନିର୍ଦ୍ଧାରଣରେ ସମସ୍ୟା, ଝଗଡ଼ା ଓ ଓଜନରେ କାଣ୍ଟଛାଣ୍ଟ ଅପେକ୍ଷା ଦଲାଲଙ୍କ ଦ୍ୱାରା ଘରୁ ଧାନ ଉଠାଇବାକୁ ସେମାନେ ପସନ୍ଦ କରୁଛନ୍ତି। ସେହିପରି ଅନ୍ୟ କେତେକ ଚାଷୀ ପଡ଼ୋଶୀ ରାଜ୍ୟରେ ଥିବା ସେମାନଙ୍କ ସମ୍ପର୍କୀୟଙ୍କ ସହାୟତାରେ ଛତିଶଗଡ଼ ସରକାରଙ୍କୁ ଧାନ ବିକ୍ରି କରୁଛନ୍ତି। ଏଥର ଛତିଶଗଡ଼ରେ ଧାନ କ୍ୱିଣ୍ଟାଲ ପ୍ରତି ୧୫୫୦ ଟଙ୍କା ରହିଥିବା ବେଳେ ଝାରସୁଗୁଡ଼ାରେ ରହିଛି ୧୪୭୦ ଟଙ୍କା।  ଆଉ କଟନିିଛଟନିି ଭୟ ମଧ୍ୟ ନାହୀିଁ। ତେଣୁ କ୍ୱିଣ୍ଟାଲ ପ୍ରତି ପ୍ରାୟ ଦେଢ଼ ଶହ ଟଙ୍କା ଲାଭ ରହୁଥିବାରୁ କେତେକ ଚାଷୀ ଓଡ଼ିଶା ମଣ୍ଡିରେ ଧାନ ଦେବା ଅପେକ୍ଷା ଛତିଶଗଡ଼ ମଣ୍ଡିକୁ ଧାନ ନେଉଥିବା ଜଣାପଡ଼ିଛି।
 
ଚଳିତ ବର୍ଷ ଝାରସୁଗୁଡ଼ା ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ବିଳମ୍ବରେ ଆରମ୍ଭ ହେବା ସତ୍ତ୍ୱେ ମଣ୍ଡିରେ ଧାନ କିଣା କାରବାର ମାନ୍ଦା ପଡ଼ିଛି। ପୂର୍ବବର୍ଷ ଭଳି ଏଥର ଜିଲ୍ଲାରେ ମୋଟ ୪୧ଟି ଧାନ ସଂଗ୍ରହ କେନ୍ଦ୍ର ରହିଛି। ସେଥିମଧ୍ୟରୁ ୩୨ଟି ସମବାୟ ସମିତି, ୭ଟି ଅତିରିକ୍ତ ଧାନ ସଂଗ୍ରହ କେନ୍ଦ୍ର ଓ ୨ଟିି ମାର୍କେଟ ୟାର୍ଡ ରହିଛି। ଡିସେମ୍ବର ୧୬ ତାରିଖରୁ ଜିଲ୍ଲାରେ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି।  ଏବର୍ଷ ଜିଲ୍ଲାରେ ଜଣେ ଚାଷୀ ଏକର ପିଛା ୧୨ କ୍ୱିଣ୍ଟାଲ ଧାନ ବିକ୍ରି କରିପାରିବେ ବୋଲି ନିୟମ କରାଯାଇଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି କଟନିଛଟନିକୁ ନେଇ ମଧ୍ୟ ଚାଷୀ ଖପା ହୋଇଛନ୍ତି। 
 
ଅଭିଯୋଗ ହୋଇଛି, ମିଲର ଓ ସମିତି ସମ୍ପାଦକଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ କେବଳ ମଣ୍ଡି ବା ମାର୍କେଟ ୟାର୍ଡରେ ଧାନ ବସ୍ତା ଧରି ହାଜିରା ପକାଉଛନ୍ତି। ଏପରିକି ମାନ ନିର୍ଦ୍ଧାରଣଠାରୁ ଆରମ୍ଭ କରି ଓଜନ ଓ କଟନିଛଟନି ସବୁ କିଛି ମିଲ୍‌ରେ ହେଉଛି। ୟାର୍ଡ ଓ ମଣ୍ଡିରେ ମିଲ୍‌ ମାଲିକମାନେ ବସି ଧାନ ଗାଡ଼ି ସବୁ ମିଲ୍‌କୁ ନେବାପାଇଁ ଚାଷୀଙ୍କୁ କହୁଛନ୍ତି। କ୍ୱିଣ୍ଟାଲ ପ୍ରତି ୪-୫ କେଜି ଧାନ କଟାଯାଉଥିବା କେତେକ ଚାଷୀ ଅଭିଯୋଗ କରିଛନ୍ତି। ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଷୀ ନିଜ ବିଲରୁ ଗାଡ଼ି ଯୋଗେ ଧାନ ମଣ୍ଡିକୁ ନେବାର ନିୟମ ରହିଛି। ସେଠାରେ ଧାନର ମାନ ନିର୍ଦ୍ଧାରଣ, ଓଜନ ଓ ଅନ୍‌ଲୋଡିଂ ପରେ ଚାଷୀଙ୍କ ଦାୟିତ୍ୱ ସମ୍ପନ୍ନ ହୁଏ। କିନ୍ତୁ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଏପରିକି ମାର୍କେଟ ୟାର୍ଡରେ ସମିତି କର୍ମକର୍ତ୍ତାଙ୍କ ସହ ଉପସ୍ଥିତ ରହୁଛନ୍ତି ମିଲ୍‌ ମାଲିକ। ଯାହା କି ଆଇନ ସଙ୍ଗତ ନୁହେଁ। ଏପରିକି ମଣ୍ଡିରେ କେବଳ ମାନ ନିର୍ଦ୍ଧାରଣ ପରେ ଗାଡ଼ିରେ ଥିବା ଧାନ ମିଲ୍‌କୁ ନିଆଯାଇ ସେଠାରେ ଓଜନ ଓ କଟନିଛଟନି ହେଉଥିବାର ଅଭିଯୋଗ ହେଉଛି।