28 June 2017
9:26:07 PM
image
Sambad News
ଝାରସୁଗୁଡ଼ା

ବେଲପାହାଡ଼ ଏଲ୍‌ଇଡି ଦୁର୍ନୀତି

ନଗରପାଳ ଓ ପୂର୍ବ ଇ.ଓଙ୍କ ସହ ୬ ଜଣଙ୍କ ନାଁରେ ଭିଜିଲାନ୍‌ସ ମାମଲା

By Sambad | Date: Dec 21 2016 4:50AM
ବେଲପାହାଡ଼ ଏଲ୍‌ଇଡି ଦୁର୍ନୀତି


ବେଲପାହାଡ଼: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌର ପରିଷଦରେ ଏଲ୍‌ଇଡି ଲାଇଟ କିଣା ମହଙ୍ଗା ପଡ଼ିଛି। ଭିଜିଲାନ୍‌ସ ବିଭାଗ ମଂଗଳବାର ଏନେଇ ଫୌଜଦାରୀ ମାମଲା ରୁଜୁ କରିଛି। ପୃଥକ ଭାବେ ରୁଜୁ ହୋଇଥିବା ଦୁଇଟି ମାମଲାରେ ବେଲପାହାଡ଼ ନଗରପାଳ ପର୍ଶୁରାମ ସାହୁ, ପୂର୍ବ ନିର୍ବାହୀ ଅଧିକାରୀ ତାପସ ରଞ୍ଜନ ଜେନା, ଏଲଇଡି ଲାଇଟ ସପ୍ଲାୟର ସଚ୍ଚିଦାନନ୍ଦ ମିଶ୍ର ଓ ତିନି ଜଣ ପୌର ବିଦ୍ୟୁତ କର୍ମାଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ନିର୍ଧାରିତ ଦରଠାରୁ ଅଧିକ ଟଙ୍କାରେ କିଣିଥିବା ଅଭିଯୋଗରେ ଝାରସୁଗୁଡ଼ା ଭିଜିଲାନ୍‌ସ ବିଭାଗ ୧୧୩-୧୭/୧୨/୧୬ରେ ମାମଲା ରୁଜୁ କରିଛି।

ବେଲପାହାଡ଼ ପୌର ପରିଷଦ ପକ୍ଷରୁ ଚଳିତ ଓ ପୂର୍ବ କାଉନସିଲରେ ୪୨୫ଟି ଲାଇଟ କିଣାଯାଇଥିଲା। ଅଭିଯୋଗ ହେବା ପରେ ଗତ ୯/୧୦/୧୬ରେ ଝାରସୁଗୁଡ଼ା ଭିଜିଲାନ୍‌ସ ୧୯ ଘଣ୍ଟାରୁ ଅଧିକ ସମୟ ଧରି ସହରର ସମସ୍ତ ବିଦ୍ୟୁତ ଖୁଣ୍ଟିରେ ଲାଗିଥିବା ଏଲ୍‌ଇଡି ଲାଇଟକୁ ଖୋଲି ଯାଞ୍ଚ କରିଥିଲା। ପୌର ବିଦ୍ୟୁତ କର୍ମଚାରୀ ଅଶୋକ ଭଏଁଷାଲ, ପ୍ରମୋଦ ରଥ ଓ ଦେବାନନ୍ଦ ପ୍ରଧାନ ବିଭିନ୍ନ ସମୟରେ ଇସ୍ୟୁ କରି ନେଇଥିବା ୨୫ଟି ବହୁମୂଲ୍ୟ ଲାଇଟର ସେ ସମୟରେ ହିସାବ ଦେଇପାରି ନଥିଲେ। ଏହି ତିନି ଜଣଙ୍କ ନାମରେ ମାମଲା ୧୧୧-୧୭/୧୨/୧୬ରେ ମାମଲା ରୁଜୁ କରାଯାଇଥିବା ଝାରସୁଗୁଡ଼ା ଭିଜିଲାନ୍‌ସ ଡିଏସ୍‌ପି ବିରେନ୍ଦ୍ର ନାଏକ କହିଛନ୍ତି।
 

ଭିଜିଲାନ୍‌ସ ବିଭାଗ ଗତ ୨୬/୯/୧୫ରେ ପ୍ରଥମ କରି ଫାଇଲପତ୍ର ଯାଞ୍ଚ କରିଥିଲା। ୧୫/୯/୧୪ରେ ଭୁବନେଶ୍ୱରର ପି.କେ.ଏଜେନ୍‌ସିଠାରୁ ୪୫ଟି ହାଭେଲ୍‌ସ୍‌ କଂପାନିର ୯୦ ୱାଟ୍‌ ଏଲ୍‌ଇଡି ଲାଇଟ ପାଇଁ ନିର୍ଧାରିତ ବଜାର ମୂଲ୍ୟ ୩୯,୯୦୦ ଟଙ୍କା ବଦଳରେ ଭାଟ୍‌ ଟିକସ୍‌ ସହ ମୋଟ ୧୯ ଲକ୍ଷ ୮୬ ହଜାର ୮୧୭ ଟଙ୍କା ୫୦ ପଇସା ପଇଠ କରାଯାଇଥିଲା। ପୁଣି ୦୫.୦୨.୧୫ରେ ବଜାଜ୍‌ କଂପାନିର ୫୦ଟି, ୧୦ ମାର୍ଚ୍ଚରେ ୫୦, ୨୭ ମାର୍ଚ୍ଚରେ ୫୫ଟି, ୨୦ ଜୁନ୍‌ରେ ୮୦ଟି, ୨୮ ଜୁନ୍‌ରେ ୮୦ଟି ଓ ୨ ଜୁଲାଇରେ ୭୨ଟି ମୋଟ ୪୩୨ଟି ବଜାଜ୍‌ କଂପାନିର ୯୦ ୱାଟ୍‌ର ଏଲ୍‌ଇଡି ଲାଇଟ୍‌ ଭୁବନେଶ୍ୱରର ଆଉଏକ ସପ୍ଲାୟରଠାରୁ କିଣାଯାଇଥିଲା। ବେଲପାହାଡ଼ ପୌର ପରିଷଦ ଏ ବାବଦରେ ୧ କୋଟି ୫୮ ଲକ୍ଷ ୯୪ ହଜାର ୫୪୦ ଟଙ୍କା ପଇଠ କରିସାରିଛି। ବକେୟା ରହିଛି ୩୧ ଲକ୍ଷ ୭୮ ଜହାର ୯୦୮ ଟଙ୍କା।

ସେହିପରି ଦୁଇଟି ହାଇମେକ୍ସ ଲାଇଟ ଭୁବନେଶ୍ୱରର ସଂସ୍କୃତି ଆସୋସିଏଟ୍‌ ପ୍ରାଇଭେଟ ଲିମିଟେଡ଼ରୁ ୨୦.୦୨.୧୫ରେ ୧୨ ଲକ୍ଷ ୬ ହଜାର ଟଙ୍କାରେ କିଣାଯାଇଥିଲା। ଏହି କାର୍‌ବାରରେ ଲାଇଟ ବିଭାଗର କିରାଣି ଅଶୋକ ସାହୁଙ୍କ ବ୍ୟାଙ୍କ ଆକାଉଣ୍ଟରେ ଗତ ୧୦/୯/୧୪ରେ ଭୁବନେଶ୍ୱରର ଟେକମେକ୍‌ ଓଡ଼ିଶାର ଚେକ ଜରିଆରେ ୨,୫୫,୦୦୦ ଟଙ୍କା ଜମା କରାଯାଇଥିଲା। ଏକ ମାସ ପରେ ୮/୧୦/୧୪ରେ ଭୁବେନେଶ୍ୱରର ପି.କେ.ଏଜେନସି ପୁଣି ୯,୯୩,୪୦୯ ଟଙ୍କା ଜମା କରିଥିଲା। ଗୋଟିଏ ଦିନପରେ ୯/୧୦/୧୪ରେ କିରାଣି ଶ୍ରୀ ସାହୁ ଆକାଉଣ୍ଟରୁ ୭ ଲକ୍ଷ ଟଙ୍କା ଉଠେଇଥିଲେ।

୨୪/୩/୧୫ରେ ୨ ଲକ୍ଷ ଟଙ୍କା ଓ ୧୬/୯/୧୫ରେ ୧ ଲକ୍ଷ ଟଙ୍କା ଶ୍ରୀ ସାହୁଙ୍କ ଆକାଉଣ୍ଟରେ ଜମା କରାଯାଇଥିଲା। ମୋଟ ୧୫ ଲକ୍ଷ ୪୮ ହଜାର ୪୦୯ ଟଙ୍କା ଜମା ହୋଇଥିଲା। ଭିଜିଲାନ୍‌ସ ତଦନ୍ତ ପ୍ରକ୍ରିୟାରେ ଗତ ୧୬/୨/୧୫ରେ ଶ୍ରୀ ସାହୁଙ୍କ ଘରେ ଚଢଉ କରିଥିଲେ ମଧ୍ୟ ତାଙ୍କ ନାଁରେ କେବଳ ଆୟ ବର୍ହିଭୂତ ସଂପତ୍ତି ଠୁଲ ମାମଲା ରହିଛି। ଏଥିରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ପୌର ପରିଷଦର ଆଉ କେତେ ହିତାଧିକାରୀ ତଦନ୍ତ ପରିସରକୁ ଆସୁଛନ୍ତି ତାକୁ ନେଇ ସହରରେ ଚର୍ଚା ଜୋର୍‌ ଧରିଛି।