25 June 2017
9:01:15 AM
Sambad News
ଝାରସୁଗୁଡ଼ା

ପ୍ରେମ ବିବାହକୁ କେନ୍ଦ୍ର କରି ଲଙ୍କାକାଣ୍ଡ: ଜାଳିଦେଲେ କମାଣ୍ଡର ଜିପ୍‌

By Sambad | Date: Dec 26 2016 12:29AM
ପ୍ରେମ ବିବାହକୁ କେନ୍ଦ୍ର କରି ଲଙ୍କାକାଣ୍ଡ: ଜାଳିଦେଲେ କମାଣ୍ଡର ଜିପ୍‌
Photo by : cherokeeforum.com

ଝାରସୁଗୁଡ଼ା : ଝାରସୁଗୁଡ଼ା ଝରିଆନା ଅଞ୍ଚଳରେ ଯୁବକ-ଯୁବତୀ ଭଲ ପାଇ ବିବାହ କରିବା ପରେ ଯୁବତୀଙ୍କ ସମ୍ପର୍କୀୟ ପ୍ରତିଶୋଧ ପରାୟଣ ହୋଇ ଯୁବକଙ୍କ ପରିବାରକୁ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି। ଏଥିସହ ଯୁବକଙ୍କ, ଝାରସୁଗୁଡ଼ା ପୌରାଞ୍ଚଳର ୮ ନମ୍ବର ୱାର୍ଡ ଝରିଆନାର ଘର ପାଚେରି ଭିତରେ ଥିବା ଏକ କମାଣ୍ଡର ଗାଡ଼ିକୁ ଶନିବାର ରାତିରେ କେହି ଦୁର୍ବୃତ୍ତ ପୋଡ଼ି ଦେଇଛନ୍ତି। 

 
ଶନିବାର ରାତି ପ୍ରାୟ ୯ଟାରେ କମାଣ୍ଡରଟି ଜଳୁଥିବା ଦେଖି ସ୍ଥାନୀୟ ଲୋକେ ପାଣି ପକାଇ ନିଆଁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବିଳମ୍ବ ହୋଇଥିବାରୁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ନିଆଁରେ କମାଣ୍ଡର ପାଖରେ ଥିବା ଏକ ମାରୁତି କାର୍‌ ମଧ୍ୟ ସାମାନ୍ୟ ଜଳିଯାଇଛି। ଏହି ଘଟଣାରେ ଯୁବକ ପଙ୍କଜ ସିଂ ଓ ତାଙ୍କ ବାପା ଦୀପକ ସିଂ ବିଟିଏମ୍‌ ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଛନ୍ତି। 
 
ଏ ସମ୍ପର୍କରେ ଦୀପକ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅ ପଙ୍କଜ ଭଲ ପାଇ ବିବାହ କରିଥିବା ଯୁବତୀଙ୍କ ସମ୍ପର୍କୀୟ ଭାଇ ସମ୍ପତ୍ତି ଲୋଭରେ ପ୍ରତିଶୋଧ ପରାୟଣ ହୋଇ କିଛି ଅସାମାଜିକ ଯୁବକଙ୍କ ସହ ମିଶି ଏଭଳି କାଣ୍ଡ କରିଛନ୍ତି। ତେଣୁ କମାଣ୍ଡର ଗାଡ଼ି ଚଳାଇ ପରିବାର ପୋଷଣ କରୁଥିବା ପୁଅ ପଙ୍କଜଙ୍କୁ ନ୍ୟାୟ ମିଳୁ ବୋଲି ଦୀପକ ପୁଲିସ ନିକଟରେ ଗୁହାରି କରିଛନ୍ତି। କିଛି ଦିନ ତଳେ ପଙ୍କଜ ଭଲ ପାଉଥିବା ଝରିଆନାର ଜଣେ ଯୁବତୀଙ୍କୁ ରାୟଗଡ଼ ଅଞ୍ଚଳରେ ଏକ ମନ୍ଦିରରେ ବିବାହ କରିବା ପରେ ଝାରସୁଗୁଡ଼ା ଘରକୁ ଫେରି ନିଜ ବାପାମାଆଙ୍କ ସହ ରହିଥିଲେ। ବିବାହ ପରେ ପଙ୍କଜଙ୍କ ସହ ରହିବାକୁ ଯୁବତୀ ଜଣଙ୍କ ରାଜି ହୋଇଥିଲେ ମଧ୍ୟ ଏହାକୁ ବିରୋଧ କରିଆସୁଥିଲେ ତାଙ୍କ ସମ୍ପର୍କୀୟ ଭାଇ। 
 
ଏହି ଘଟଣା ପରେ ରବିବାର ସକାଳେ ବିଟିଏମ୍‌ ପୁଲିସ ଝରିଆନାରେ ପଙ୍କଜଙ୍କ ଘରକୁ ଯାଇ ଜଳି ଯାଇଥିବା କମାଣ୍ଡର ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରିଥିଲା। ପୂର୍ବରୁ ଧମକଚମକ ଦେବା ଓ ଶନିବାର ରାତିରେ କମାଣ୍ଡର ଜାଳିବା ଘଟଣା ପରେ ତାଙ୍କ ପରିବାର ପ୍ରତି ବିପଦ ଥିବା କହିଛନ୍ତି ଦୀପକ। ତେଣୁ ପୁଲିସ ଏ ଦିଗରେ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।