21 July 2017
1:59:29 AM
image
Sambad News
ଝାରସୁଗୁଡ଼ା

ଯନ୍ତ୍ରଣାରେ ରୋଗୀ ଛଟପଟ, ଆସିଲାନି ୧୦୮

By Sambad | Date: Dec 28 2016 4:26AM
ଯନ୍ତ୍ରଣାରେ ରୋଗୀ ଛଟପଟ, ଆସିଲାନି ୧୦୮

ବେଲପାହାଡ଼: ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ରୋଗୀକୁ ସଦର ଡ଼ାକ୍ତରଖାନାକୁ ନେବା ପାଇଁ ୧୦୮ ଆମ୍ବୁଲାନସ୍‌କୁ ଦୀର୍ଘ ଦୁଇ ଘଣ୍ଟା ଧରି ଫୋନ କରିଥିଲେ ମଧ୍ୟ ଆସିନଥିଲା। ଏଭଳି ସ୍ୱାସ୍ଥ୍ୟସେବା ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ଗୋବିନ୍ଦପୁର ଖଡ଼ିଆପଡ଼ାର ସୁବାସ ଖଡ଼ିଆ (୪୦)ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ୧୦୮କୁ ଫୋନ କରିଥିଲେ। ଆମ୍ବୁଲାନ୍‌ସଟି ସୁବାସ ଖଡ଼ିଆଙ୍କୁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଓହ୍ଲାଇ ଚାଲି ଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା କଲା ପରେ ସୁବାସଙ୍କୁ ଡା. ରାହୁଲ ସାହୁ ଝାରସୁଗୁଡ଼ା ସଦର ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ସୁପାରିସ୍‌ କରିଥିଲେ।

ଅପରାହ୍‌ଣ ସାଢ଼େ ୩ଟାରୁ ଫୋନ କରି ସାଢେ ୫ଟା ଅପେକ୍ଷା କରିବା ପରେ ମଧ୍ୟ ଆମ୍ବୁଲାନ୍‌ସ ଆସି ନଥିିଲା। ଶେଷରେ ଏକ ବଲେରୋ ଭଡ଼ା କରି ରୋଗୀଙ୍କୁ ଝାରସୁଗୁଡ଼ା ସ୍ଥାନାନ୍ତର କରାଯାଇଥିଲା। ଜିଲ୍ଲାରେ ଥିବା ସମସ୍ତ ଆମ୍ବୁଲାନ୍‌ସ ରୋଗୀ ନିଆଅଣାରେ ଲାଗିଥିବାରୁ ଆସିପାରିନଥିବ ବୋଲି ସଫେଇ ଦେଇଛନ୍ତି ୧୦୮ ଅମୁଲାନସର ଜିଲ୍ଲା ମ୍ୟାନେଜର ମୟୁର ଅଗ୍ରୱାଲ।

ବୁଧବାର ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଲିଖିତ ଭାବରେ ଜଣାଇବୁ ବୋଲି ଲଖନପୁର ସିଏଚ୍‌ସିର ଇନଚାର୍ଜ ଜୟପ୍ରକାଶ ପ୍ରଧାନ କହିଛନ୍ତି। ଲଖନପୁର ବ୍ଲକର ଉପାନ୍ତ ଅଞ୍ଚଳର ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଓ ସେବା ପ୍ରଦାନ କରିବାରେ ସ୍ୱାସ୍ଥ୍ୟ ବିଭାଗ ବିଫଳ ହେଉଛି। ରାତି ସମୟରେ ୧୦୮ ଆମ୍ବୁଲାନ୍‌ସ ସେବା ମିଳୁନଥିବା ଅଭିଯୋଗ ହେଉଛି। ଫଳରେ ଗରିବ ଲୋକେ ବାହାରୁ ଭଡ଼ା ଗାଡ଼ି ଆଣି ଖର୍ଚାନ୍ତ ହେଉଛନ୍ତି ଏବଂ ସରକାର ଏମାନଙ୍କ ପାଇଁ କରୁଥିବା ଯୋଜନା ମଧ୍ୟ ଫଳପ୍ରଦ ହେଉନାହିଁ।