28 February 2017
1:36:28 PM
Sambad News
ଝାରସୁଗୁଡ଼ା

ତେଜିଲା ସ୍ଥାନୀୟ ନିଯୁକ୍ତି ବିବାଦ

ଟାର୍ଗେଟରେ ବିଧାୟକ

By Sambad | Date: Dec 29 2016 10:19AM
ତେଜିଲା ସ୍ଥାନୀୟ ନିଯୁକ୍ତି ବିବାଦ

ଝାରସୁଗୁଡ଼ା: ସ୍ଥାନୀୟ ନିଯୁକ୍ତି ପ୍ରସଙ୍ଗ ନେଇ ଝାରସୁଗୁଡ଼ାରେ ଥିବା ବିଭିନ୍ନ ଶିଳ୍ପସଂସ୍ଥାଗୁଡ଼ିକ ଗୁରୁତ୍ୱ ଦେଉନାହାନ୍ତି। ଏପରିକି ଯେଉଁ ସଂସ୍ଥାଗୁଡ଼ିକରେ ସ୍ଥାନୀୟ ଲୋକଙ୍କୁ ଚାକିରି ଦେବାକୁ ଉଦ୍ୟମ କରାଯାଉଛି, ତାକୁ ସ୍ଥାନୀୟ ଜନପ୍ରତିନିଧି ବିରୋଧ କରୁଛନ୍ତି। ସେ ଜାଗାରେ ବାହାର ଲୋକଙ୍କୁ ନିଯୁକ୍ତି ଦିଆଯାଉଛି। ଏହି ଅଭିଯୋଗ ଆଣିଛନ୍ତି ଜିଲ୍ଲା ବିଜେଡି ଉପସଭାପତି ଈଶ୍ୱର ରାଓ। ବୁଧବାର ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ ଈଶ୍ୱର ସ୍ୱର ଉଠାଇଛନ୍ତି ଯେ ବେଦାନ୍ତର ଠିକାସଂସ୍ଥା ସିମେନ୍‌ସ  ଜରିଆରେ ତାଙ୍କ ନିଜ ସଂସ୍ଥା ରାଓ ନିଫ୍ରାଟେକ୍‌ ସ୍ଥାନୀୟ ଯୁବକ ଯୁବତୀଙ୍କୁ କମ୍ପାନିରେ ଚାକିରି ଦେବାକୁ ବୁଝାମଣା କରିଥିଲା। କିନ୍ତୁ ସ୍ଥାନୀୟ ବିଧାୟକ ଏହାକୁ ଭଣ୍ଡୁର କରି ଦେଇଥିଲେ ଏବଂ ବାହାର ରାଜ୍ୟର ଲୋକଙ୍କୁ ଚାକିରି ଦିଆଯାଇଥିଲା।
 

ପୂର୍ବରୁ କଂଗ୍ରେସରେ ଥିବା, ଶ୍ରୀ ରାଓ ବିଧାୟକଙ୍କ ଏଭଳି କାର୍ଯ୍ୟକୁ ବିରୋଧ କରି କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ ବୋଲି କହିଛନ୍ତି। ଏଥିସହ ପୂର୍ବରୁ ସିମେନସ କମ୍ପାନି ପାଇଁ ସେ ଯେଉଁ କାମ କରିଥିଲେ, ସେ ବାବଦରେ ବକେୟା ପାଉଣା ପାଇବା ପାଇଁ ସେ ସିମେନ୍‌ସ ଅଧିକାରୀଙ୍କୁ ନିଜ କାର୍ଯ୍ୟଳୟକୁ ଡାକି ଆଲୋଚନା କରିବା ସହ ବକେୟା ପାଉଣା ମାଗିଥିଲେ। ପରେ କିନ୍ତୁ ପୁଲିସ, ତାଙ୍କୁ ଧମକଚମକ ଦେବା ଏବଂ ଅପହରଣ କରିଥିବା ଅଭିଯୋଗରେ ଗିରଫ କରି ଜେଲ୍‌ ପଠାଇଥିଲା। ଜେଲ୍‌ରେ ୬୭ ଦିନ ରହିବା ପରେ ଶ୍ରୀ ରାଓ କହିଛନ୍ତି ସ୍ଥାନୀୟ ନିଯୁକ୍ତି ପାଇଁ ସେ ବିଜେଡି ସହ ମିଶି କାମ କରିବେ।

ଯଦି ଏଥିରେ କୌଣସି ବାଧା ଉପୁଜେ ତାହା ହେଲେ ଦଳ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି। ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ସନ୍ଦୀପ ଅୱସ୍ତୀ, ଯୁବ ବିଜେଡି ସଭାପତି ତ୍ରିନାଥ ଗୁଆଳ ଓ ସଂଗ୍ରାମ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
 

ଏ ପ୍ରସଙ୍ଗରେ ବିଧାୟକ ଶ୍ରୀ ଦାସ କହିଛନ୍ତି, ସେ ୨୦୦୯ରେ ପ୍ରଥମ ଥର ପାଇଁ ବିଧାୟକ ହେଲେ। ତା ପୂର୍ବରୁ ତ ଝାରସୁଗୁଡ଼ାରେ ବିଜେଡିର ନେତା ସବୁ କିଛି ଥିଲେ। ସେତେବେଳେ କାହିଁକି ସ୍ଥାନୀୟ ନିଯୁକ୍ତି ସମସ୍ୟାର ସମାଧାନ ହୋଇପାରିଲା ନାହିଁ? ସେ ସମୟରେ ତ ଜିଲ୍ଲାରେ ନୂଆ କରି କଳ କାରାଖାନା ଗଢ଼ି ଉଠୁଥିଲା, ସରକାରୀ ଦଳର ଜନପ୍ରତିନିଧି କିମ୍ବା ନେତା ଚାହିଁଥିଲେ ସ୍ଥାନୀୟ ନିଯୁକ୍ତି ସମସ୍ୟାର ଉଚିତ ମୁକାବିଲା କରିପାରିଥାନ୍ତେ।

ଆଉ ଏବେ ଶିଳ୍ପସଂସ୍ଥା ବନ୍ଦ ହେବାକୁ ଯାଉଥିବା ବେଳେ ସେଗୁଡ଼ିକୁ ରକ୍ଷା କରିବା ବଦଳରେ ସ୍ଥାନୀୟ ନିଯୁକ୍ତି ପ୍ରସଙ୍ଗ ଉଠାଇବା ଯୁକ୍ତିହୀନ। ଯଦି ପ୍ରକୃତରେ ଜିଲ୍ଲାର ବେକାରୀଙ୍କ ପାଇଁ ଦରଦ ଅଛି ତାହା ହେଲେ ବିଜେଡି ସରକାର ରୁଗ୍‌ଣ ଶିଳ୍ପସଂସ୍ଥାକୁ ଉଦ୍ଧାର ପାଇଁ ଉଦ୍ୟମ କରନ୍ତୁ, ପରେ ନିଯୁକ୍ତି କଥା ଆସିବ।