22 February 2017
9:24:16 AM
Sambad News
ଝାରସୁଗୁଡ଼ା

ତିନି ଦିନ ହେଲା ହାତୀ ଉପଦ୍ରବ ଜାରି

ଲୋକଙ୍କ ନିଦ ହଜାଇ ଦେଲେଣି

By Sambad | Date: Dec 31 2016 10:30AM
ତିନି ଦିନ ହେଲା ହାତୀ ଉପଦ୍ରବ ଜାରି

ବ୍ରଜରାଜନଗର: ଝାରସୁଗୁଡ଼ା ବ୍ଲକ୍‌ ଲୁଇସିଂ ପଞ୍ଚାୟତର କୋଇଲଗା ଗ୍ରାମ୍ୟ ଜଙ୍ଗଲରେ ହାତୀ ପଲ ଲୋକଙ୍କ ନିଦ ହଜାଇ ଦେଲେଣି। ତିିନି ଦିନ ହେଲା ବିଭିନ୍ନ ସ୍ଥାନରେ ଉପଦ୍ରବ କରି କ୍ଷୟକ୍ଷତି କରୁଛନ୍ତି। ସେମାନେ ସଂଧ୍ୟା ପରେ ବାରଖଣ୍ଡିଆ ଗାଁରେ ପହଞ୍ଚି ଫସଲ ନଷ୍ଟ କରିବା ସହ ଧାନ ଗଦା ଭାଙ୍ଗି ଖାଉଥିବା ଲୋକେ ଅଭିଯୋଗ କରୁଛନ୍ତି। ଏହି ହାତୀପଲରେ ୧୨ରୁ ୧୪ଟି ହାତୀ ଅଛନ୍ତି। ଗତକାଲି ସେମାନେ କରଣ ଖଡ଼ିଆଙ୍କ ଧାନ ଗଦାକୁ ନଷ୍ଟ କରିଥିବା ବେଳେ ସୁନ୍ଦର ଖଡ଼ିଆ, ଗୋବିନ୍ଦ ଖଡ଼ିଆ, ଚାନ୍ଦୁ ଭୋଇଙ୍କ କୋବି, ବାଇଗଣ ଆଦି ଫସଲ ନଷ୍ଟ କରି ଦେଇଛନ୍ତି। ଗୁରୁବାର ଅପରାହ୍‌ଣରେ ହାତୀ ପଲ ନାଳାରେ ଗାଧୋଉଥିବା ଦେଖିବାକୁ ମିଳିଥିଲା।

ଖବର ପାଇ ରେଂଜର ଏସ.କେ ମଣିହୀରା କୋଇଲଗାରେ ପହଞ୍ଚି ହାତୀ ଗତିବିଧି ଅନୁଧ୍ୟାନ କରିବା ସହ ଡାକବାଜି ଯନ୍ତ୍ରରେ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ ହାତୀ ଘଉଡ଼ାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଶ୍ରୀ ମଣିହୀରା କହିବାନୁସାରେ, ଏହି ହାତୀ ପଲରେ ଗୋଟିଏ ମାଈ ହାତୀ ଛୁଆ ଜନ୍ମ କରିଥିବାରୁ ହାତୀ ପଲଙ୍କୁ ଘଉଡ଼ାଇବା କଷ୍ଟକର ହେଉଛି।

ସେମାନେ ଛୁଆର ସୁରକ୍ଷା ପାଇଁ ସେହି କୋଇଲଗା ଜଙ୍ଗଲରୁ ଅନ୍ୟତ୍ର ଯାଉନାହାନ୍ତି। ତେବେ, ଫସଲ ନଷ୍ଟ ନେଇ ଶୀଘ୍ର ଆବଶ୍ୟକ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି। ଶୁକ୍ରବାର ଅପରାହ୍‌ଣରେ ହାତୀମାନେ ଯେପରି ଗାଁ ଭିତରକୁ ନ ପଶିବେ ସେନେଇ ପଦକ୍ଷେପ ନିଆଯାଉଛି ବୋଲି ମଧ୍ୟ ଶ୍ରୀ ମଣିହୀରା କହିଛନ୍ତି। ଅନ୍ୟପକ୍ଷରେ ହାତୀ ଆତଙ୍କ ଯୋଗୁଁ ଲୋକମାନେ ବିଭିନ୍ନ ସ୍ଥାନରେ ନିଅାଁ ଜାଳି ପଇଁତରା କରୁଥିବା ଜଣାପଡ଼ିଛି।