29 March 2017
8:38:01 PM
Sambad News
ଝାରସୁଗୁଡ଼ା

ଗାଁ ଦାଣ୍ଡରେ ବୁଲିଲେ ହାତୀ

ବହୁ ଘର ଭାଙ୍ଗିଲେ, ଲୁଇସିଂ ପଞ୍ଚାୟତରେ ଆତଙ୍କ

By Sambad | Date: Jan 3 2017 5:31AM
ଗାଁ ଦାଣ୍ଡରେ ବୁଲିଲେ ହାତୀ

ବ୍ରଜରାଜନଗର: ସବୁଆଡ଼େ ସମସ୍ତେ ନୂଆବର୍ଷ ପାଳନ ପାଇଁ ମସଗୁଲ ଥିବା ସମୟରେ ଝାରସୁଗୁଡ଼ା ବ୍ଲକ୍‌ ଲୁଇସିଂ ପଞ୍ଚାୟତରେ ହାତୀ ଲୋକଙ୍କ ନିଦ ହଜାଇ ଦେଇଛି। ଗତ ପ୍ରାୟ ସାତ ଦିନ ହେଲା ଲୁଇସିଂ ଓ ଚନ୍ଦନିମାଲ ପଞ୍ଚାୟତରେ ଗ୍ରାମବାସୀ ହାତୀ ଉପଦ୍ରବ ଯୋଗୁଁ ଭୟଭୀତ ହୋଇ ରହିଛନ୍ତି। ହାତୀକୁ ନେଇ ଆତଙ୍କ ଲାଗି ରହିଛି। ଏହି ଅଂଚଳରେ ହାତୀମାନେ ନିୟମିତ ଫସଲ ନଷ୍ଟ କରି ଘର ଭାଙ୍ଗୁଛନ୍ତି। ଏହି କ୍ରମରେ ରବିବାର ରାତି ଲୁଇସିଂ ପଞ୍ଚାୟତ ବଘିଆବେର୍ଣ୍ଣା ଗାଁ ଦାଣ୍ଡରେ ତିନିଟି ହାତୀ ବୁଲିବା ସହ ତିଲେଇମାଲର ସାଇମାଲ ଖଡ଼ିଆପଡ଼ାରେ ଘର ଭାଙ୍ଗି ଧାନ, ଚାଉଳ ଖାଇ ଦେଇଛନ୍ତି।

୫ରୁ ଅଧିକ ସଂଖ୍ୟାରେ ଥିବା ଏକ ଦଳ ଗ୍ରାମବାସୀଙ୍କ ନବବର୍ଷକୁ ଫିକା କରି ଦେଇଛି।
ସୂଚନା ଅନୁସାରେ, ରାତି ପ୍ରାୟ ୧୧ଟାରେ ତିଲେଇମାଲ ଗାଁର ସାଇମାଲ ଖଡ଼ିଆପଡ଼ାରେ ୧୦ରୁ ଅଧିକ ହାତୀ ପଶି ଆସିଥିଲେ। ସାଧୁ ଖଡ଼ିଆ, ମଂଗଳ ଖଡ଼ିଆ, ଲକ୍ଷ୍ମଣ ଖଡ଼ିଆଙ୍କ ଘର ଭାଙ୍ଗିଥିବା ଅଭିଯୋଗ ହୋଇଛି। ସେହିପରି ଧନି ଖଡ଼ିଆଙ୍କ ଧାନ ଗଦାରୁ ଧାନ ଖାଇ ଦେଇଛନ୍ତି। ହାତୀ ପଲ ଆସୁଥିବା ଜାଣିପାରି ପଡ଼ାବାସୀ ଘର ଛାଡ଼ି ଚାଲି ଯାଇଥିଲେ। ଖଡ଼ିଆପଡ଼ାରୁ ୨ କିମି ଦୂର ବଘିଆବେର୍ଣ୍ଣାରେ ରାତି ପ୍ରାୟ ୧ଟାରେ ତିନିଟି ହାତୀ ଗାଁ ଦାଣ୍ଡରେ ବୁଲୁଥିଲେ। ସୂରଜ ପଟେଲ ଓ ଗିରିଧାରୀ ପଟେଲଙ୍କ ଧାନ ଖାଇ ଦେଇଥିଲେ। ଗ୍ରାମବାସୀ ସଂଗଠିତ ହୋଇ ହାତୀ ଘଉଡ଼ାଇବାକୁ ଚେଷ୍ଟା କରିବାରୁ ସେମାନେ ଚାଲି ଯାଇଥିଲେ। ଏ ସଂପର୍କରେ ମଂଗଳବାର ଝାରସୁଗଡ଼ା ବନଖଣ୍ଡ ଅଧିକାରୀ, ଜିଲ୍ଲାପାଳ ଓ ତହସିଲ୍‌ଦାରଙ୍କୁ ଗ୍ରାମବାସୀ ଲିଖିତ ଭାବେ ସୂଚନା ଦେଇଥିବା ଜଣାପଡ଼ିଛି।
 

ଅନ୍ୟପଟେ, ଗତ କିଛି ଦିନ ହେଲା ବନ ବିଭାଗର ପଦକ୍ଷେପକୁ ମଧ୍ୟ ହାତୀମାନେ ପ୍ରତିରୋଧ କରୁଥିବା ସୂଚନା ମିଳୁଛି। ବନ ବିଭାଗ ସଂପୂର୍ଣ୍ଣ ଅସହାୟ ହୋଇ ପଡ଼ିଛି। ବନ ବିଭାଗ ପାଖରେ ଆବଶ୍ୟକ ଭିତ୍ତିଭୂମି, ପ୍ରଭାବଶାଳୀ କୌଶଳ ଏବଂ କର୍ମଚାରୀ ଅଭାବ ଥିବା ପରିଲକ୍ଷିତ ହେଉଥିବା ବେଳେ ଗଜରାଜଙ୍କ ଆଗରେ ସବୁ ନିଷ୍ଫଳ ହେଉଥିବା ଗ୍ରାମବାସୀ ପ୍ରତିକ୍ରିୟା କରିଛନ୍ତି। ଏବେକାର ସମୟରେ ବି ହାତୀ ପଲ ସପ୍ତାହେରୁ ଅଧିକ ସମୟ ହେଲା ଏହି ଅଂଚଳରେ ଆତଙ୍କ ଖେଳାଇ ରଖିଛନ୍ତି। ସେମାନଙ୍କୁ ନିର୍ଦିଷ୍ଟ ଗତିପଥରେ ସୀମିତ ରଖିବା କିମ୍ବା ହାତୀ ଗତିବିଧିକୁ ନିୟନ୍ତ୍ରିତ ପଦକ୍ଷେପ ଦ୍ୱାରା ଗାଁମୁହାଁ ହେବାରୁ ବିରତ ରଖିବା ଉଦ୍ଦେଶ୍ୟରେ ବନ ବିଭାଗ ବିଫଳ ହୋଇଛି। ଫଳରେ ବିଭାଗର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।