20 August 2017
11:42:39 AM
Sambad News
ରାଜ୍ୟ

ହୀରାକୁଦରେ ପାଣି କମୁଛି

କଲମା ବ୍ୟାରେଜର ୬୫ ଗେଟ ବନ୍ଦ

By Sambad | Date: Jan 7 2017 6:20AM
ହୀରାକୁଦରେ ପାଣି କମୁଛି

ବେଲପାହାଡ଼ : ଛତିଶଗଡ଼ ସରକାର ମହାନଦୀରେ ନିର୍ମାଣ କରିଥିବା ବ୍ୟାରେଜର ଗେଟ ବନ୍ଦ କରିବା ଆରମ୍ଭ କରିଦେଲେଣି। ତଳ ମୁଣ୍ଡରେ ସଂପୂର୍ଣ୍ଣ ଭାବରେ ପାଣି ପ୍ରବାହ କମିଯାଇଛି। ଏହାର ସିଧା ପ୍ରଭାବ ହୀରାକୁଦ ଜଳଭଣ୍ଡାରରେ ଦେଖିବାକୁ ମିଳିଛି। ଶିଳ୍ପ ସଂସ୍ଥାକୁ ପାଣି ଯୋଗାଇବା ପାଇଁ ଛତିଶଗଡ଼ ସରକାର ନିର୍ମାଣ କରିଥିବା ଅନେକ ବ୍ୟାରେଜ ମଧ୍ୟରୁ ଜାଁଜଗିର-ଚାଁପା ଜିଲ୍ଲାଠାରେ ନିର୍ମାଣ କରାଯାଇଥିବା କଲମା ବ୍ୟାରେଜ ବିଗତ ଏକ ମାସ ହେବ ୬୬ଟି ଗେଟ ମଧ୍ୟରୁ ୬୫ଟି ଗେଟ ବନ୍ଦ କରି ଦିଆଯାଇଥିବାରୁ ମହାନଦୀର ପ୍ରାକୃତିକ ଜଳ ପ୍ରବାହ ସଂପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଛି। ଫଳରେ ହୀରାକୁଦ ଜଳ ଭଣ୍ଡାର ଜଳସ୍ତର ସାମାନ୍ୟଠାରୁ କମିଯାଇଛି। 
 
ଓଡ଼ିଶା ଓ ଛତିଶଗଡ଼ ମହାନଦୀ ପାଣିକୁ ନେଇ ମୁହାଁମୁହିଁ ହୋଇ ପଡ଼ିଥିବା ବେଳେ ଏହି ପରିସ୍ଥିତିରେ ଛତିଶଗଡ଼ ସରକାର କଲମା ବ୍ୟାରେଜରେ ମହାନଦୀ ଜଳ ଅଟକାଇ ରଖିବାରୁ ଉଭୟ ରାଜ୍ୟ ଭିତରେ ତିକ୍ତତା ଆହୁରି ବଢିବାରେ ଲାଗିଛି। କଲମା ବ୍ୟାରେଜରେ ବର୍ତ୍ତମାନ ମାତ୍ର ଅଢେଇ ମିଟର ପାଣି ରଖାଯାଇଛି। ମହାନଦୀରେ ମୌସୁମୀ ଓ ଅଣମୌସୁମୀରେ ଯେତେ ପାଣି ଯିବାର କଥା ସେତିକି ଯାଉଥିବା ଛତିଶଗଡ଼ ଜଳ ସଂଶାଧନ ଯନ୍ତ୍ରୀ ଏଚ୍‌ଏନ୍‌ ଗୋୟଲ କହିଛନ୍ତି। ମାତ୍ର ଗୋଟିଏ ବ୍ୟାରେଜ ବନ୍ଦ ହେବାଦ୍ୱାରା ହୀରକୁଦ ଜଳ ଭଣ୍ଡାରରେ ଏହାର ପ୍ରଭାବ ଏବେଠାରୁ ଦେଖାଗଲାଣି। ଛତିଶଗଡ଼ ସରକାର ନିର୍ମାଣାଧୀନ ସମସ୍ତ ବ୍ୟାରେଜ ବନ୍ଦ କରିଦେଲେ ଆଗାମୀ ଦିନରେ ମହାନଦୀ ସଂପୂର୍ଣ୍ଣ ଭାବରେ ଶୁଖିଲା ପଡ଼ିବ। କଲମା ବ୍ୟାରେଜ ସଂପୂର୍ଣ୍ଣ ଭାବରେ ବନ୍ଦ କରାଯାଇନି। 
 
ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ମହାନଦୀ ଜଳ ପ୍ରବାହ କମିଛି ବ୍ୟାରେଜ ବନ୍ଦ ଯୋଗୁଁ ମହାନଦୀ ତଳ ମୁଣ୍ଡ ଶୁଖା ଯାଇଥିବା ଅଭିଯୋଗ ଭୁଲ ବୋଲି ଛତିଶଗଡ଼ ଜଳ ସଂପଦ ବିଭାଗ ସଚିବ ଗଣେଶ ଶଙ୍କର ମିଶ୍ର କହିଛନ୍ତି। ୧୮୨,୦୨,୮୬୩ କୋଟିରେ ନିର୍ମାଣ କରାଯାଇଥିବା କଲମା ବ୍ୟାରେଜର ଜଳ ଧାରଣ କ୍ଷମତା ରହିଛି ୫୦.୩୯ ଘନ ମିଟର, ଜଳ ସଂରକ୍ଷଣ କ୍ଷେତ୍ର ୬୬୮୩୫ ବର୍ଗ କିଲୋ ମିଟର ରହିଛି। କଲମା ବ୍ୟାରେଜରେ ଛୋଟ ଗେଟ ୨୦ଟି ଓ ବଡ଼ ଗେଟ ୪୬ ମୋଟ ୬୬ଟି ଗେଟ ମଧ୍ୟରୁ ୬୫ଟି ଗେଟ ବନ୍ଦ ରହିଥିବା ବେଳେ ମାତ୍ର ଗୋଟିଏ ଗେଟ ପ୍ରକୃତରେ ୪୫ ଦିନହେବ ବନ୍ଦରହିଛି। ଫଳରେ ଏବେଠାରୁ ଓଡ଼ିଶାରେ ଜଳ ସଂଙ୍କଟ ଦେଖାଦେବା ଆରମ୍ଭ କଲାଣି। କଲମା ବ୍ୟାରେରୁ ମୋଟ ୮ଟି ଶିଳ୍ପ ସଂସ୍ଥାକୁ ପାଣି ଯୋଗାଇବା ଲକ୍ଷ୍ୟ ରଖାଯାଇଥିବା ବେଳେ ଗୋଟିଏ ଶିଳ୍ପ ସଂସ୍ଥାକୁ ଏହି ବ୍ୟାରେଜରୁ ୪୭୪.୩୩ ଲକ୍ଷ ଘନମିଟର ପାଣି ଯୋଗାଯାଉଛି।