21 January 2017
4:16:29 PM
image
Sambad News
ଝାରସୁଗୁଡ଼ା

ଖଣି କର୍ମଚାରୀଙ୍କୁ ଆକ୍ରମଣର ପ୍ରତିବାଦ

ତିନି ଘଣ୍ଟା ଉତ୍ପାଦନ ଠପ୍‌

By Sambad | Date: Jan 7 2017 10:24AM
ଖଣି କର୍ମଚାରୀଙ୍କୁ ଆକ୍ରମଣର ପ୍ରତିବାଦ

ବ୍ରଜରାଜନଗର: ଏମସିଏଲ ପରିିଚାଳିତ ଓରିଏଣ୍ଟ ଖଣିକ୍ଷେତ୍ର ଦୁଇ ନମ୍ବର ଭୂତଳ କୋଇଲା ଖଣିର ଫାଟକ ନିକଟରେ ଜଣେ ଦୁର୍ବୃତ୍ତ କର୍ମଚାରୀ ଚିତ୍ତରଂଜନ ନେଟିଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁବାର ରାତି ୧୦ଟା ସମୟରେ ଘଟିଥିବା ଏହି ଘଟଣାର ପ୍ରତିବାଦରେ ଶୁକ୍ରବାର ସକାଳ ୮ଟାରୁ ୧୧ଟା ପର୍ଯ୍ୟନ୍ତ କର୍ମଚାରୀମାନେ କାର୍ଯ୍ୟବନ୍ଦ କରି ଉତ୍ପାଦନ ଠପ୍‌ କରି ଦେଇଥିଲେ। କେହି କାମ କରିବାକୁ ଖଣି ଭିତରକୁ ଯିବେ ନାହିଁ ବୋଲି ସଂଘର କର୍ମକର୍ତାମାନେ ଜିଦ୍‌ ଧରିଥିଲେ। ଖଣି ଭିତରେ ପଶି ଦୁର୍ବୃତ୍ତମାନେ କର୍ମଚାରୀଙ୍କୁ ରାତିରେ ଆକ୍ରମଣ କରିିବା ସହ ଜିନିଷ ଲୁଟି ନେଉଥିବା ବେଳେ ସେମାନଙ୍କୁ ଧରିବାରେ ପୁଲିସ୍‌ ବିଫଳ ହେଉଛି। ଖଣି କର୍ତୃପକ୍ଷଙ୍କ ପଦକ୍ଷେପ ନେଇ କର୍ମଚାରୀମାନେ ସନ୍ତୁଷ୍ଟ ନାହାନ୍ତି।

କର୍ମଚାରୀମାନେ ନିରାପଦ ମନେ କରୁ ନଥିବା ଏବଂ ସେମାନଙ୍କ ସୁରକ୍ଷା ଏବେ ବିପନ୍ନ ବୋଲି ସେମାନେ ଅଭିଯୋଗ କରି କାର୍ଯ୍ୟବନ୍ଦ କରିଥିଲେ। ଓରିଏଣ୍ଟ ଉପକ୍ଷେତ୍ର ପରିଚାଳକ ଜି.ଏସ ଜାଲି, ଖଣି ପ୍ରବନ୍ଧକ ସୁରେଶ କୁମାର, ଏପିଏମ ମନିଷ ଶ୍ରୀବାସ୍ତବ ଶ୍ରମିକଙ୍କ ସହ ଆଲୋଚନା କରିଥିଲେ। ଖଣି ଅଂଚଳ ନିସିଦ୍ଧାଂଚଳ ହୋଇଥିବା ଦୃଷ୍ଟିରୁ ଏକ ନିର୍ଦିଷ୍ଟ ଗୋଷ୍ଠୀ ବିଭିନ୍ନ ସମୟରେ ଆକ୍ରମଣ କରୁଥିବା ବେଳେ ପୁଲିସ୍‌କୁ ଲିଖିତ ଭାବେ ଜଣାଇଲେ ମଧ୍ୟ ଅଭିଯୁକ୍ତମାନେ ବାହାରେ ବୁଲୁଥିବାରୁ ଦୁଃଖଦାୟକ ବୋଲି ଶ୍ରୀ ଜାଲି କହିଥିଲେ।

ଘଟଣା ସଂପର୍କରେ ଓରିଏଣ୍ଟ ଥାନା ଆଇଆଇସି, ଏସଡିପିଓ, ଏସପିଙ୍କୁ ବିସ୍ତତ ରିପୋର୍ଟ ପ୍ରଦାନ କରିବାର ପ୍ରତିଶ୍ରୁତି ପରେ ଶ୍ରମିକମାନେ ଶାନ୍ତ ହୋଇଥିଲେ। ଆଲୋଚନା ସମୟରେ ଶ୍ରମିକ ସଂଗଠନ ପକ୍ଷରୁ କୁଳମଣି ଦାସ, ଆଲୋକ ପଣ୍ଡା, ପ୍ରସନ୍ନ ଚୌଧୁରୀ, ଭାନୁ ସିଂହ, ପାଣୁ ସେଠୀ, ଗୋପାଳ ସିତାନୀ, ସନ୍ତୋଷ ଗିରି ପ୍ରମୁଖ ଅଂଶଗ୍ରହଣ କରିଥିଲେ।