25 March 2017
3:21:45 AM
Sambad News
ରାଜ୍ୟ

ଶିଳ୍ପସଂସ୍ଥାରେ ମାନ୍ଦାବସ୍ଥା, ୮ କାରଖାନାରେ ତାଲା

By Sambad | Date: Jan 11 2017 6:00AM
ଶିଳ୍ପସଂସ୍ଥାରେ ମାନ୍ଦାବସ୍ଥା, ୮ କାରଖାନାରେ ତାଲା

ଝାରସୁଗୁଡ଼ା: ରାଜ୍ୟ ରାଜକୋଷକୁ ସିଂହ ଭାଗ ରାଜସ୍ୱ ଯୋଗାଉଥିବା ଝାରସୁଗୁଡ଼ାର ଆର୍ଥିକ ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ଜିଲ୍ଲାରେ ଖାସ୍‌ କରି ଝାରସୁଗୁଡ଼ାରେ ଥିବା ୧୦ରୁ ଅଧିକ ଛୋଟ ବଡ଼ ଶିଳ୍ପସଂସ୍ଥାରେ ତାଲା ଝୁଲିବା ଫଳରେ ଏ ପ୍ରକାର ପରିସ୍ଥିତି ସୃଷ୍ଟି ହୋଇଛି। ୨୦୧୬ ସେପଟେମ୍ବର ୧୯ ତାରିଖରେ ମରାକୁଟାରେ ଥିବା ଆକ୍ସନ ଇସ୍ପାତ କାରଖାନା ବନ୍ଦ ହେବା ପରେ ୨୦୧୬ ଡିସେମ୍ବର ୩୧ ତାରିଖ ରାତିରେ ବଡ଼ମାଳରେ ଥିବା କନକାଷ୍ଟ ଷ୍ଟିଲ ଆଣ୍ଡ ପାୱାର ଫାଟକରେ ତାଲା ପଡ଼ିଛି। ଫଳରେ ନୂଆବର୍ଷରୁ ଏହି କାରଖାନା ବନ୍ଦ ହୋଇଯାଇଛି।  କାରଖାନା ବନ୍ଦ ହେବା ଯୋଗୁ କର୍ମଚାରୀ, ଶ୍ରମିକ ଓ ଠିକାଦାରଙ୍କ ମଧ୍ୟରେ ଭୟ ଖେଳିଯାଇଥିବା ବେଳେ ଅନ୍ୟ କାରଖାନା କର୍ମଚାରୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି। କନକାଷ୍ଟ ପ୍ଲାଣ୍ଟ ବନ୍ଦ କରାଯିବ ବୋଲି କାରଖାନା କର୍ତ୍ତୃପକ୍ଷଙ୍କ ତରଫରୁ ଜିଲ୍ଲା ପ୍ରଶାସନକୁ ସୂଚନା ଦିଆଯାଇଥିଲା। କିନ୍ତୁ ପ୍ରଶାସନ ପକ୍ଷରୁ କାରଖାନା ବନ୍ଦ ପାଇଁ ଅନୁମତି ମିଳିନଥିବା ଜଣାପଡ଼ିଛି।

  ୨୦୧୨-୧୩ ମସିହା ପରଠାରୁ ଝାରସୁଗୁଡ଼ା ସହର ଆଖପାଖରେ ଚାଲୁଥିବା ଏକାଧିକ ସ୍ପଞ୍ଜ ଆଇରନ କାରଖାନା ମଧ୍ୟରୁ ଅନେକ  କାରଖାନାରେ ଏବେ ତାଲା ଝୁଲୁଛି। ୨୦୧୨ରୁ ୨୦୧୬ ମଧ୍ୟରେ ଝାରସୁଗୁଡ଼ାରେ ମୋଟ୍‌ ୮ଟି ଶିଳ୍ପସଂସ୍ଥା ବନ୍ଦ ହୋଇସାରିଲାଣି। ସେଗୁଡ଼ିକ ମଧ୍ୟରେ ରହିଛି, ସିଂଘଲ ଏଣ୍ଟରପ୍ରାଇଜେସ୍‌ (ବଡ଼ମାଲ), ଜେଏସ୍‌୍‌ପିଏଲ(ଦୁର୍ଲଗା), ମାଧବ ଇସ୍ପାତ (କୋଲାବିରା), ଜୟ ହନୁମାନ (କୋଲାବିରା), ଟିପିଏସଏଲ୍‌ (ଲହଣ୍ଡାବୁଡ଼),ଏମ୍‌ଏସ୍‌ପି (ବୁଢ଼ୀପଦର), ଆକ୍ସନ ଇସ୍ପାତ ପାୱାର ଲିମିଟେଡ (ମରାକୁଟା) ଓ କନକାଷ୍ଟ ଷ୍ଟିଲ ଆଣ୍ଟ ପାୱାର ଲିମିଟେଡ(ବଡ଼ମାଳ)। 

ଏସବୁ ସ୍ପଞ୍ଜ ଆଇରନ କାରଖାନା ବନ୍ଦ ହେବା ଦ୍ୱାରା ଜିଲ୍ଲା ତଥା ଜିଲ୍ଲା ବାହାରୁ ଏଥିରେ କାମ କରୁଥିବା ୧୦ ହଜାରରୁ ଅଧିକ ଲୋକ ରୋଜଗାର ହରାଇଲେଣି। ଯେଉଁଥିରେ ଝାରସୁଗୁଡ଼ା ଜିଲ୍ଲା ଓ ଆଖପାଖର ୬ ହଜାର କର୍ମଚାରୀ ଓ ଶ୍ରମିକ ଅଛନ୍ତି। ଏଭଳି ପରିସ୍ଥିତିରେ ଏହାର ସିଧାସଳଖ ପ୍ରଭାବ ପଡ଼ିଛି ସ୍ଥାନୀୟ ବଜାର ତଥା ଲୋକଙ୍କ ଜୀବନ ଜୀବିକା ଉପରେ। ଏହାଦ୍ୱାରା ରାଜ୍ୟର ସର୍ବାଧିକ ମୁଣ୍ଡପିଛା ଆୟ ଥିବା ଜିଲ୍ଲା ଭାବେ ପରିଗଣିତ ଝାରସୁଗୁଡ଼ାର ଆର୍ଥିକ ସ୍ଥିତି ଖରାପ ଆଡ଼କୁ ଗତି କରୁଛି।

ଅନ୍ୟପକ୍ଷରେ ୨୦୧୨-୧୩ ମସିହାରୁ ଝାରସୁଗୁଡ଼ାରେ ବନ୍ଦ ହୋଇଥିବା ୮ଟି କାରଖାନା ମାଲିକଙ୍କ ମଧ୍ୟରୁ ମାତ୍ର ଗୋଟିଏ ଦୁଇଟି କାରଖାନାର କର୍ମଚାରୀ ଏବଂ ଶ୍ରମିକଙ୍କୁ ସେମାନଙ୍କ ସମସ୍ତ ବକେୟା ପାଉଣା ମିଳିଥିବା ଜଣାପଡ଼ିଛି। ଅନ୍ୟଗୁଡ଼ିକରେ କୋଟି କୋଟି ଟଙ୍କା ବାକି ପଡ଼ିଛି। ଏ ବାବଦରେ କାରଖାନା ମାଲିକ ଏବଂ ବରିଷ୍ଠ ଅଧିକାରୀ କହୁଛନ୍ତି କଞ୍ଚାମାଲର ଅଭାବ ଏବଂ ଉତ୍ପାଦନ ସାମଗ୍ରୀର ବଜାର ଦର କମ୍‌ ରହିଥିବାରୁ ବ୍ୟବସାୟ ମାନ୍ଦା ଦେଖାଦେଇଛି। ତେଣୁ କାରଖାନାରେ ଉତ୍ପାଦନ ବନ୍ଦ ହେଉଥିବା ବେଳେ କର୍ମଚାରୀ ଓ ଶ୍ରମିକଙ୍କ ଦରମା ଆଦି ବକେୟା ପାଉଣା ଦେବା କଷ୍ଟକର ହୋଇପଡ଼ୁଛି। ଅଭିଯୋଗ ହେଉଛି, କାରଖାନା ମାଲିକମାନେ ୫-୭ ବର୍ଷ ଗୋଟିଏ ସ୍ଥାନରେ ନିର୍ଦିଷ୍ଟ ବ୍ୟବସାୟ କରିସାରିବା ପରେ କ୍ଷତିର ଆଳ ଦେଖାଇ ଅନ୍ୟତ୍ର ବ୍ୟବସାୟ ପାଇଁ ଡେରା ପକାଉଛନ୍ତି। ଆଉ ଏଠାରେ କର୍ମଚାରୀ ଓ ଶ୍ରମିକଙ୍କ ସଂସାର ଭାସୁଛି। 

ଉଲ୍ଲେଖଯୋଗ୍ୟ, ଏବେ ଝାରସୁଗୁଡ଼ାରେ ଚାଲୁଥିବା ଛୋଟ ବଡ଼ ହୋଇ ମାତ୍ର ୮-୧୦ଟି ଶିଳ୍ପସଂସ୍ଥା ରହିଛି। ସେଗୁଡ଼ିକ ମଧ୍ୟରେ ପ୍ରମୁଖ ବେଦାନ୍ତ ଲିମିଟେଡ, ଏସ୍‌ଏମ୍‌ସି, ଏଲ୍‌ଏନ୍‌ ମେଟାଲିକ୍ସ ଓ ସେଭେନ ଷ୍ଟାର ଓ ନୂଆ କରି ଖୋଲିଥିବା ଆପାର ଉଦ୍ୟୋଗ। କିନ୍ତୁ ୨୦୧୬ ସୁଦ୍ଧା ତାଲା ପଡ଼ିଥିବା କାରଖାନାର ଅବସ୍ଥା ଓ କର୍ମଚାରୀ ଏବଂ ଶ୍ରମିକଙ୍କ ପରିସ୍ଥିତି ଦେଖି, ଚାଲୁଥିବା ଶିଳ୍ପସଂସ୍ଥା କର୍ମଚାରୀ ମଧ୍ୟ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି। ଖାସ୍‌ କରି ବେଦାନ୍ତକୁ ବକ୍ସସାଇଟ ଉତ୍ତୋଳନ ପାଇଁ ଅନୁମତି ମିଳୁ ନଥିବାରୁ ଏହାର ଆଲୁମିନିୟମ ଉତ୍ପାଦନ କ୍ଷମତା ମଧ୍ୟ ସ୍ଥିର ରହିଛି। ବେଦାନ୍ତରୁ ବାର୍ଷିକ ୩ ହଜାର କୋଟିରୁ ଅଧିକ ରାଜସ୍ୱ ପାଉଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର, ବେଦାନ୍ତକୁ ବକସାଇଟ ଯୋଗାଇ ଦେବା ଉପରେ ମଧ୍ୟ ବେଦାନ୍ତର ଭବିଷ୍ୟତ ନିର୍ଭର କରୁଛି। ଏବେ ବେଦାନ୍ତରେ କାମ କରୁଛନ୍ତି ୧୦ ହଜାର କର୍ମଚାରୀ ଓ ଶ୍ରମିକ। ବକ୍‌ସାଇଟ ଯୋଗାଇ ଦିଆଗଲେ କିଛି ନ ହେଲେ ଆଉ ପ୍ରାୟ ୪ ହଜାର ଲୋକଙ୍କୁ ଏଠାରେ ନିଯୁକ୍ତି ମିଳିପାରନ୍ତା। ଯାହାକି ଅନ୍ୟ ଶିଳ୍ପସଂସ୍ଥା ବନ୍ଦ ହେବାର ପ୍ରଭାବରେ କିଛିଟି ସୁଧାର ଆଣିପାରନ୍ତା। ତା ନ ହେଲେ ଆଗାମୀ ଦିନରେ ଅନ୍ୟ ଶିଳ୍ପସଂସ୍ଥା ଭଳି ବେଦାନ୍ତ ମଧ୍ୟ ଖରାପ ସ୍ଥିତି ଦେଇ ଗତି କରିବାର ସମ୍ଭାବନା ରହିଛି ବୋଲି ବୁଦ୍ଧିଜୀବୀ ମହଲ ଯୁକ୍ତି କରୁଛନ୍ତି।