20 February 2017
12:22:33 AM
Sambad News
ରାଜ୍ୟ

ଦାଦନ ଶ୍ରମିକଙ୍କ ହାତ କଟା ମାମଲା : ୮ ଜଣଙ୍କୁ ଆଜୀବନ କାରା ଦଣ୍ଡାଦେଶ

By Sambad | Date: Dec 24 2016 9:51PM
ଦାଦନ ଶ୍ରମିକଙ୍କ ହାତ କଟା ମାମଲା : ୮ ଜଣଙ୍କୁ ଆଜୀବନ କାରା ଦଣ୍ଡାଦେଶ

ଧର୍ମଗଡ଼ : କଳାହାଣ୍ଡିର ଦାଦନ ଶ୍ରମିକଙ୍କ ହାତ କଟା ମାମଲାର ଐତିହାସିକ ରାୟ ପ୍ରକାଶ ପାଇଛି। ଜୟପାଟଣା ଥାନା ଅନ୍ତର୍ଗତ ପିପଲଗୁଡ଼ା ଓ ନୂଆଗୁଡ଼ା ଗ୍ରାମର ଦୁଇ ଦାଦନ ଶ୍ରମିକ ନୀଳାମ୍ବର ଧଙ୍ଗଡ଼ାମାଝୀ ଓ ଦିଆଲୁ ନିଆଲଙ୍କ ହାତ କଟା ମାମଲାର ବିଚାର କରି ଶନିବାର ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଆନନ୍ଦ ଚନ୍ଦ୍ର ବେହେରା ୮ ଜଣ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏହା ସହିତ  ୨୦ ହଜାର ଟଙ୍କା ଲେଖାଏଁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଥିବା ସରକାରୀ ଓକିଲ ଧୀରେନ୍ଦ୍ର ନାଥ ପାତ୍ର ସୂଚନା ଦେଇଛନ୍ତି।
 
ଗତ ୧୫.୧୨.୨୦୧୩ ତାରିଖ ରାତିରେ ନୀଳାମ୍ବର ଓ ଦିଆଲୁଙ୍କୁ ଦାଦନ ଦଲାଲ ପରମେଶ ଦଣ୍ଡି, ବୈକୁଣ୍ଠ ରାଉତି, ବନ ମାଝୀ, ଅର୍ଜୁନ ଭୋଇ, ଗଙ୍ଗାଧର ଦାସ, ଜୟସେନ ଠେଲା, ବିମଳ ରାଉତ ଓ ମଣ୍ଟୁ ନିଆଲ ହାଇଦ୍ରାବାଦକୁ  କାମ କରାଇବା ପାଇଁ ନେଇଥିଲେ। ସେମାନଙ୍କୁ ଦଲାଲ ପରବେଶ ଦଣ୍ଡିଙ୍କ ଖରିଆର ନିକଟ କୋଟାମାଲ ଗାଁରେ ରଖି ସେମାନଙ୍କ ପରିବାର ଲୋକଙ୍କୁ ଫୋନ କରି ଦୁଇ ଲକ୍ଷ ଟଙ୍କା ଦାବି କରିଥିଲେ। ପରିବାର ଲୋକେ ଦୁଇ ଲକ୍ଷ ଟଙ୍କା ଦେଇ ପାରି ନଥିବାରୁ ଟିଟିଲାଗଡ଼ ନିକଟ ପତିଡଙ୍ଗରିକୁ ନେଇ ଦୁଇଜଣଙ୍କର ଡାହାଣ ହାତକୁ ଟାଙ୍ଗିଆରେ କାଟି ଦେଇ ଫିଙ୍ଗି ଦେଇଥିଲେ। ପରେ ଉକ୍ତ ଶ୍ରମିକମାନେ କିଛି ଲୋକଙ୍କ ସହାୟତାରେ ଭବାନୀପାଟଣା ଆସି ଚିକିତ୍ସିତ ହୋଇଥିଲେ। 
 
ଏ ସଂପର୍କରେ ସେମାନଙ୍କ ପରିବାର ଲୋକେ ଜୟପାଟଣା ଥାନାରେ ଅଭିଯୋଗ କରିଥିଲେ। ତତ୍କାଳୀନ ଧର୍ମଗଡ଼ ଏସ୍‌ଡିପିଓ ଦୀନବନ୍ଧୁ ସେଠୀଙ୍କ ତତ୍ତ୍ୱାବଧାନରେ କେସ ନଂ-୨୪୧/୨୦୧୩ ଆଇପିସି ଧାରା ୩୬୪ (ଏ), ୩୪୨, ୩୨୩, ୩୨୬, ୩୦୭, ୨୦୧ ୫୦୬, ୨୯୪, ୩୭୦, ୩୭୧, ୪୨୦, ୧୨୦(ବି), ୩୨(ଭି) ଏସସି/ଏସଟି ନିର୍ଯାତନା ନିରୋଧ ଆଇନ ଓ ୨୬ କ୍ରୀତଦାସ ଉଚ୍ଛେଦ ଆଇନ ବଳରେ ମକଦ୍ଦମା ରୁଜୁ କରି ଅଭିଯୁକ୍ତମାନଙ୍କୁ ଜୟପାଟଣା କୋର୍ଟ ଚାଲାଣ କରାଯାଇଥିଲା। ଶନିବାର ଏହାର ବିଚାର କରି ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଶ୍ରୀ ବେହେରା ତାଙ୍କ ରାୟ ପ୍ରକାଶ କରିଛନ୍ତି।
 
 
ଏହି ଘଟଣା ସେତେବେଳେ ମାନବାଧିକାର କମିସନଙ୍କ ଦୃଷ୍ଟିକୁ ଆସିଥିଲା। ଶ୍ରମିକମାନଙ୍କ ସୁରକ୍ଷାକୁ ନେଇ କାର୍ଯ୍ୟ କରୁଥିବା ହାଇଦ୍ରାବାଦର ଜଣେ ମହିଳା ଆଇନଜୀବୀ ରୋସେନ ରାଜେନ ସମସ୍ତ ସାକ୍ଷ୍ୟ ପ୍ରମାଣ ଯୋଗାଡ଼ କରି ଆଇନ ସହାୟତା ଯୋଗାଇ ଦେଇଥିଲେ। ଶନିବାର ରାୟ ପ୍ରକାଶ ପାଇବା ସମୟରେ ଅଦାଲତରେ ଶ୍ରମିକ ଦିଆଲୁ ନିଆଲ ଏବଂ କିଛି ମାସ ତଳେ ପ୍ରାଣ ହରାଇଥିବା ନୀଳାମ୍ବରଙ୍କ ପରିବାର ଲୋକେ ଉପସ୍ଥିତ ଥିଲେ। ଅତିରକ୍ତ ଜିଲ୍ଲା ଦୌରା ଜଜ୍‌ଙ୍କ ଏପରି ରାୟକୁ ପ୍ରକାଶ ପାଇବା ପରେ ଆଇନ ପ୍ରତି ସେମାନଙ୍କ ଆସ୍ଥା ଅତୁଟ ରହିଥିବା ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଧୀରେନ୍ଦ୍ର ନାଥ ପାତ୍ର ମାମଲା ପରିଚାଳନା କରିଥିଲେ।