26 February 2017
11:39:14 AM
Sambad News
କଳାହାଣ୍ଡି

ଜାଲିଆତି କରି ଟ୍ରାକ୍ଟର ଋଣ: ୨ କୋଟି ଘୋଟାଲା

By Sambad | Date: Dec 28 2016 4:33AM
ଜାଲିଆତି କରି ଟ୍ରାକ୍ଟର ଋଣ: ୨ କୋଟି ଘୋଟାଲା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର କୃଷକମାନଙ୍କୁ ଟ୍ରାକ୍ଟର, ପାଓ୍ଵାର ଟିଲର ଓ କୃଷି ଯନ୍ତ୍ରପାତି ଯୋଗାଇ ଦେବା ନାମରେ ବିଭିନ୍ନ ବ୍ୟାଙ୍କ ଡିଲର ଓ ଏଜେନ୍ସିମାନଙ୍କ ଜରିଆରେ ବ୍ୟାପକ ଜାଲିଆତି କରି ଲକ୍ଷଲକ୍ଷ ଟଙ୍କା ବାଟମାରଣା କରୁଥିବା ଜଣାପଡ଼ିଛି । ପ୍ରିୟାପ୍ରୀତି ତୋଷଣ, ବେନାମୀ ଋଣ ଦେବା, ମୃତ ବ୍ୟକ୍ତିଙ୍କ ନାମରେ ଋଣଦେବାରେ ଚର୍ଚ୍ଚାରେ ଥିବା ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କରେ ବର୍ତ୍ତମାନ ଆଉ ଏକ ବିସ୍ଫୋରକ ତଥ୍ୟ ପଦାକୁ ଆସିଛି । ଗତ ୨ଠଠ୮ ରୁ ୨ଠ୧୨ ମସିହାରେ ଜିଲ୍ଲାର ବିଭିନ୍ନ ଶାଖା ଓ ସମିତି ମାଧ୍ୟମରେ କୋଟିକୋଟି ଟଙ୍କାର ଟ୍ରାକ୍ଟର ଋଣ, ଜାଲ କାଗଜପତ୍ର ଜରିଆରେ ଦିଆଯାଇଛି ତାହା ତଦନ୍ତ ସାପେକ୍ଷ ।

ଏହି ବ୍ୟାଙ୍କର ସଦର ଶାଖା ମାଧ୍ୟମରେ ଗତ ୨ଠଠ୮ ରୁ ୨ଠ୧୨ ମଧ୍ୟରେ ୨୯ଟି ଟ୍ରାକ୍ଟର ଋଣ ଓ ସମିତି ମାଧ୍ୟମରେ ୧୫ଟି ଟ୍ରାକ୍ଟର ଋଣ ପ୍ରଦାନ କରାଯାଇଛି। ଏହି ଟ୍ରାକ୍ଟର ଋଣ ଜାଲିଆତି କରି କିକବ୍ୟାକ ହୋଇଥିବା ଏବେ ସାଧାରଣରେ ଚର୍ଚ୍ଚା ହେଉଛି। ଏହି ଲୋକମାନଙ୍କୁ ଟ୍ରାକ୍ଟର ଦିଆ ନ ଯାଇ ଟ୍ରାକ୍ଟର ଋଣ କିଏ ସୁଝିଲା ଓ ସବସିଡି ଟଙ୍କା କେଉଁ କେଉଁ ଅଧିକାରୀମାନେ ଆତ୍ମସାତ କଲେ ସେମାନଙ୍କ ବିରୋଧରେ ଆଜିଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନାହିଁ ତାହା ଏବେ ତଦନ୍ତ ସାପେକ୍ଷ ଅଟେ । ବର୍ତ୍ତମାନ ଏହି ସଦର ଶାଖାରେ ୨ କୋଟିରୁ ଅଧିକ ଟଙ୍କା ଏହି ଋଣ ବାବଦରେ ଅନାଦେୟ ହୋଇ ପଡି ରହିଛି ।

ବ୍ୟାଙ୍କର ଅଧିକାରୀ ମାନେ ତାଙ୍କର ଦୋଷ ଦୁର୍ବଲତାକୁ ଲୁଇବା ପାଇଁ କେତେକ ଋଣୀଙ୍କ କିଛି କିଛି ଟଙ୍କା ଜମା କରିଥିବା ଜଣାପଡ଼ିଛି। ଜିଲ୍ଲାରେ କାର୍ଯ୍ୟ କରୁଥିବା ସମବାୟ ବିଭାଗର ଡିଆରସିଏସ, ଏଆରସିଏସ ଓ ଅଡିଟର ମାନଙ୍କ ଦ୍ୱାରା ବ୍ୟାଙ୍କ ତଦାରଖ ଓ ଅଡିଟ ହେଉଥିଲେ ମଧ୍ୟ କିଭଳି ଏଭଳି ଘୋଟାଲାର ଟେର ପାଇଲେ ନାହିଁ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବ୍ୟାଙ୍କର ପୂର୍ବତନ ଶାଖା ପରିଳକ, ସୁପର ଭାଇଜର, ଋଣ ଅଧିକାରୀ ଓ ଗାଡି ଯୋଗାଣକାରି ସଂସ୍ଥାଙ୍କ ମଧୁ ଚନ୍ଦ୍ରିକାରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହୋଇଛି ଏହାର ଏକ ଭିଜିଲାନ୍ସ ଦ୍ୱାରା ତଦନ୍ତ କରାଗଲେ ବହୁ ଗୁମର ରହସ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଦାବି ହୋଇଛି।

ଏ ନେଇ ଏଆରସିଏସ ସନ୍ତୋଷକୁମାର ପାଣ୍ଡେଙ୍କୁ ପଚାରିବାରୁ ସେ ନୂଆ ଯୋଗଦାନ କରିଛନ୍ତି, ଏ ବିଷୟରେ ଜାଣିି ନାହାନ୍ତି ବୋଲି କହିଥିଲେ। ଏ ସଂପର୍କରେ ଜିଲ୍ଲା କୋଅପରେଟିଭ ବ୍ୟାଙ୍କ ସଭାପତି ଜିତେନ୍ଦ୍ର ନାରାୟଣ ସିଂହଦେଓ ଏବଂ ସଂପାଦକଙ୍କୁ ପଚରାଯିବାରୁ ଅଧିକ କିଛି କହି ନଥିଲେ ମଧ୍ୟ ଅନିୟମିତତାକୁ ପରୋକ୍ଷରେ ସ୍ୱୀକାର କରିଥିଲେ।