22 February 2017
9:24:58 AM
Sambad News
କଳାହାଣ୍ଡି

ଫୁରଲିଝରନ ନିକଟରେ ଦୁର୍ଘଟଣା, ୪ ମୃତ

By Sambad | Date: Dec 29 2016 2:54AM
ଫୁରଲିଝରନ ନିକଟରେ ଦୁର୍ଘଟଣା, ୪ ମୃତ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ସଦରବ୍ଲକ ଅନ୍ତର୍ଗତ ଫୁରଲିଝରନ ଜଳପ୍ରପାତ ନିକଟରେ ବୁଧବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ହସଖୁସିରେ ଫୁରଲିଝନକୁ ପିକ୍‌ନିକ୍‌ ଆସି ଆଉ ଘରକୁ ଫେରିଲେନି। ମୃତକମାନେ ହେଲେ ଭବାନୀପାଟଣା ଟିିଭି ସେଣ୍ଟରପଡ଼ାର ଶଙ୍କର୍ଷଣ ହଂସ, ସସ୍ମିତା ଲହଜଲ, ପ୍ରଭାତୀ କାଣ୍ଡ। ଅନ୍ୟ ଜଣେ ମୃତକଙ୍କ ପରିଚୟ ଜଣାପଡ଼ି ନାହିଁ।
 
ଥୁଆମୂଳ ରାମପୁର ପଟୁ ଭବାନୀପାଟଣା ଅଭିମୁଖେ ଆସୁଥିବା ଏକ ଦଶ ଚକିଆ ଟ୍ରକ (ଏଫବି ୧୦ସିଏକ୍ସ ୨୯୮୩) ପକଲିନ ମେସିନ ବୋଝେଇ କ୍ଷିପ୍ର ଗତିରେ ଆସୁଥିଲା। ଫୁରଲିଝରନ ନିକଟରେ ପକଲିନ ମେସିନଟି ଗଛ ଡାଳରେ ଲାଗିଯିବା ଫଳରେ ଟ୍ରକଟି ଭାରସାମ୍ୟ ହରାଇଥିଲା। ଏହାପରେ ଟ୍ରକର ତାଣ୍ଡବ ଲୀଳା ଆରମ୍ଭ ହୋଇଥିଲା। ପ୍ରଥମେ ପିକନିକ ଆସିଥିବା ଏକ ରଜନୀଗନ୍ଧା ନାମକ ଘରୋଇ ବସ, ପରେ ସ୍କୁଟି, ଅଟୋ (ଓଡି୦୮ ଏ ୭୨୧୪) ଓ ଦୁଇଟି ବୋଲେରୋକୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଅଟୋ ଡ୍ରାଇଭର ଭବାନୀପାଟଣା ଟିିଭି ସେଣ୍ଟରପଡ଼ାର ଶଙ୍କର୍ଷଣ ହଂସ, ଅଟୋରେ ଥିବା ସେହିପଡ଼ାର ସସ୍ମିତା ଲହଜଲ ଓ ଅନ୍ୟ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଗୁରୁତର ଥିବା ପ୍ରଭାତୀ କାଣ୍ଡଙ୍କ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ଭବାନୀପାଟଣାର ସହରର ରଶ୍ମି ରଂଜନ ସାମନ୍ତରାୟ, ଟିଭିସେଣ୍ଟର ପଡ଼ାର ମହେଶ କାଣ୍ଡ, ସସ୍ମିତା ନାଗ ଗୁରୁତର ଆହତ ଅଛନ୍ତି। ମହେଶଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।