21 January 2017
5:33:21 AM
image
Sambad News
କଳାହାଣ୍ଡି

ମହାପ୍ରୟାଣ ଗାଡ଼ିର ଦେଖା ନାହିଁ

ଭଡ଼ା ଗାଡ଼ିରେ ନେଲେ ଛାତ୍ରୀଙ୍କ ଶବ

By Sambad | Date: Dec 29 2016 9:54AM
ମହାପ୍ରୟାଣ ଗାଡ଼ିର ଦେଖା ନାହିଁ

କଣ୍ଟାବାଞ୍ଜି: ମିଳିଲାନି ମହାପ୍ରୟାଣ ଗାଡ଼ି। ଶେଷରେ ଜଣେ ଛାତ୍ରୀଙ୍କ ଶବକୁ ପରିବାର ଲୋକେ ଭଡ଼ା ଗାଡ଼ି କରି ଘରକୁ ନେଇଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଣ୍ଟାବାଞ୍ଜି ଡାକ୍ତରଖାନାରେ। ଅଭିଯୋଗ ଅନୁସାରେ, ତୁରେକେଲା ବ୍ଲକ ମହୁଲପାଟି ପଞ୍ଚାୟତ କନ୍ଦାଗାଡ଼ ଗାଁର ତୁଳାବତୀ ମାଝୀ ମ୍ୟାଲେରିଆରେ ଆକ୍ରାନ୍ତ ଥିବାରୁ ବୁଧବାର ସକାଳେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟାରେ ତାଙ୍କ ମୃତ୍ୟୁ ଘଟିଥିଲା। ଶବ ନେବା ପାଇଁ ମୃତକଙ୍କ ପରିବାର ପାଖରେ ଅର୍ଥର ଅଭାବ ଥିବାରୁ ଶବ ବାହାକ ଗାଡ଼ି ଖୋଜିଥିଲେ।

କିନ୍ତୁ ଏପର୍ଯ୍ୟନ୍ତ କଣ୍ଟାବାଞ୍ଜିରେ ତାହା ବ୍ୟବସ୍ଥା କରାଯାଇ ନଥିବାରୁ ଏଣୁ ତେଣୁ ଯୋଗାଡ଼ କରି ସରକାରୀ ଡାକ୍ତରଖାନାର ଆମ୍ବୁଲାନ୍‌ସରେ ୧୨ ଶହ ଟଙ୍କା ଦେଇ ଶବ ନେଇଥିଲେ। ମୃତ ତୁଳାବତୀ ଏଥର ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ। ହେଲେ ତାଙ୍କର ସେହି ସ୍ୱପ୍ନ ସାକାର ହେବା ପୂର୍ବରୁ ମ୍ୟାଲେରିଆରେ ଆଖି ବୁଜିଲେ। ତୁଳାବତୀ କେବଳ ଏକ ଉଦାହରଣ ମାତ୍ର। ଏ ଅଞ୍ଚଳରେ ଏଭଳି ଅନେକ ଲୋକ ମ୍ୟାଲେରିଆ କାରଣରୁ ପ୍ରାଣ ହରାଉଛନ୍ତି। ତେଣୁ ଏ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ସହିତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।