25 May 2017
4:01:40 PM
image
Sambad News
ରାଜ୍ୟ

ତିନି ବର୍ଷରେ ୧୬୫୫ ଦୁର୍ଘଟଣା : ଗଡ଼ିଲାଣି ୬୩୮ ମୁଣ୍ଡ

ରକ୍ତମୁଖା ରାଜରାସ୍ତା

By Sambad | Date: Jan 1 2017 5:15AM
ତିନି ବର୍ଷରେ ୧୬୫୫ ଦୁର୍ଘଟଣା : ଗଡ଼ିଲାଣି ୬୩୮ ମୁଣ୍ଡ
Photo by : newindianexpress.com

କେସିଙ୍ଗା (ସୁଶାନ୍ତ ମହାପାତ୍ର): କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ବେଲଗାମ ହୋଇ ପଡ଼ିଛି ଟ୍ରାଫିକ। ସଚେତନତାର ଅଭାବ ଏବଂ ଦୃତ ଗତି ସାଙ୍ଗକୁ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣା ବଢ଼ିବାରେ ଲାଗିଛି।  ଗତ ତିନି ବର୍ଷ ମଧ୍ୟରେ ସମୁଦାୟ ୧୬୫୫ରୁ ଅଧିକ ଦୁର୍ଘଟଣା ଘଟିଥିବା ବେଳେ ମୃତ୍ୟୁ ସଂଖ୍ୟା ୬୩୮ରେ ପହଂଚିଲାଣି। ଏହି ଦୁର୍ଘଟଣାଗୁଡ଼ିକରେ ଗୁରୁତର ଆହତ ହୋଇଛନ୍ତି ୯୨୦ ଜଣ ଏବଂ ୧୩୯୦ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଗତ ତିନି ବର୍ଷର ଆକଳନକୁ ଦେଖିଲେ ଜଣାଯାଏ ଯେ ଦୁର୍ଘଟଣା ବଢ଼ିବା ସାଙ୍ଗରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଦୁର୍ଘଟଣା ଯୋଗୁଁ ବହୁ ପରିବାର ଛାରଖାର ହୋଇଯାଉଛି। 
 
କିଏ ତାର ବାପା, ମା’ ଭାଇ, ସ୍ତ୍ରୀ, ପିଲା ଛୁଆକୁ ହରାଉଛି ତ ଆଉ କିଏ ନିଜର ସ୍ୱାମୀକୁ ହରାଉଛି। ସଡ଼କ ସୁରକ୍ଷା ସପ୍ତାହ ପାଳନ, ସଚେତନତା ଠାରୁ ଆରମ୍ଭ କରି ଗାଡ଼ି ଯାଞ୍ଚ ଆଦି ଦୁର୍ଘଟଣା ରୋକିବା ପାଇଁ ସରକାର ବ୍ୟବସ୍ଥା କରିଥିଲେ ମଧ୍ୟ ସେଗୁଡ଼ିକ ଲୋକଙ୍କ ପାଖକୁ ଠିକ ଭାବରେ ପହଞ୍ଚୁ ନଥଇବାରୁ ଏହି ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଉଛି। କଳାହଣ୍ଡି ଜିଲ୍ଲାର ଦୁର୍ଘଟଣାଜନିତ ଆକଳନକୁ ଦେଖିଲେ ଜଣାଯାଏ ଯେ ଗ୍ରାମାଂଚଲ ସଡ଼କ ଠାରୁ ଆରମ୍ଭ କରି ରାଜ୍ୟ ସଡ଼କ ଓ ଜାତୀୟ ରାଜପଥରେ ସବୁଠି ବହୁ ଦୁର୍ଘଟଣା ଘଟୁଛି। ଆଉ ଏଥି ମଧ୍ୟରୁ ସର୍ବାଧିକ ବାଇକ ଦୁର୍ଘଟଣାରେ ଲୋକଙ୍କର ମୃତ୍ୟୁ ଘଟୁଛି। 
 
୨୦୧୪, ୨୦୧୫ ଓ ୨୦୧୬ ଏହି ତିନି ବର୍ଷର ଆକଳନକୁ ଦେଖିଲେ ୧୫ ଓ ୧୬ରେ ବାଇକ ଦୁର୍ଘଟଣା ପାଖାପାଖି ୩୦୦ ହୋଇଛି। ୨୦୧୪ ତୁଳନାରେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ତିନି ବର୍ଷରେ ସମୁଦାୟ ୮୩୦ଟି ବାଇକ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୩୧୮ ଜଣଙ୍କ ମୃତ୍ୟୁ ଘଟିଛି। ବାଇକ ଦୁର୍ଘଟଣାରେ ୪୫୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ୭୦୦ ଜଣ ସାମାନ୍ୟ ଆହତ ହୋଇଛନ୍ତି। ସେହିପରି ଗ୍ରାମାଂଚଳ ସଡ଼କ ପଥରେ ସମୁଦାୟ ୫୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଗୁରୁତର ଆହତ ଏବଂ ୧୩୨ ଜଣ ସାମାନ୍ୟ ଆହତ ହୋଇଛନ୍ତି। ରାଜ୍ୟ ସଡ଼କ ପଥରେ ୩୦୭ ଦୁର୍ଘଟଣା ହୋଇଥିବା ବେଳେ ୧୩୫ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୧୬୬ ଜଣ ଗୁରୁତର ଆହତ ଏବଂ ୨୦୯ ଜଣ ସାମାନ୍ୟ ଆହତ ହୋଇଛନ୍ତି। 
 
ସେହିପରି ଜାତୀୟ ରାଜପଥରେ ସର୍ବାଧିକ ଦୁର୍ଘଟଣା ଘଟୁଛି। ୩୮୨ଟି ଦୁର୍ଘଟଣା ଘଟିଥିବା ବେଳେ ୧୩୩ ଜଣଙ୍କ ମୃତ୍ୟୁ ଘଟିଲାଣି। ଏଥିରେ ଗୁରୁତର ଆହତ ହୋଇଛନ୍ତି ୨୫୦ ଏବଂ ସାମାନ୍ୟ ଆହତ ହୋଇଛନ୍ତି ୩୫୫ ଜଣ। ଜାତୀୟ ରାଜପଥରେ ଦୁର୍ଘଟଣା ସଂଖ୍ୟା କ୍ରମଶଃ ବଢ଼ିବାରେ ଲାଗିଛି। କଳାହାଣ୍ଡିରେ ଜାତୀୟ ରାଜପଥ ବରଗଡ଼ ବୋରିଗୁମା ଏନଏଚ ୨୬ ଏବଂ ବ୍ରହ୍ମପୁର ରାୟପୁର ଏନଏଚ ଦୁଇଟି ଜାତୀୟ ରାଜପଥ ଯାଇଛି। ବିଶେଷ କରି ଏହି ଜାତୀୟ ରାଜପଥରେ ସୂଚନାର ଅଭାବ ଜାତୀୟ ରାଜପଥ ବିଭାଗର ବେପରୁଆ କାମ ଗାଡ଼ି ବେପରୁଆ ଚାଳନା ସାଙ୍ଗକୁ ଟ୍ରାଫିକ ବ୍ୟବସ୍ଥା ବେଲଗାମ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟିବାରେ ଲାଗିଛି। ଯେଉଁଥି ପାଇଁ ସାରା କଳାହାଣ୍ଡି ଜିଲ୍ଲାରେ ଅଶାନ୍ତିର ବାତାବରଣ ଦେଖାଦେଇଛି। 
 
ଏହି ଦୁର୍ଘଟଣା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ବର୍ଷକୁ ହେଉଥିବା ଅଧିକାଂଶ ଦୁର୍ଘଟଣାରେ କେଉଁଠି ଗ୍ରାମାଂଚଳ ରାଜପଥ ଅବରୋଧ ହୋଇଥାଏ ତ କେଉଁଠି ରାଜ୍ୟ ରାଜପଥ ତ ଆଉ କେଉଁଠି ଜାତୀୟ ରାଜପଥରେ ଦୁର୍ଘଟଣା ପରେ ଆନ୍ଦୋଳନ ମାନ ହୋଇଥାଏ। ଦୁର୍ଘଟଣାରେ ଲୋକ ତ ମରନ୍ତି। କିନ୍ତୁ ପ୍ରଶାସନର ହୁଗୁଳା ନୀତି ଏବଂ ବ୍ୟବସ୍ଥାରେ ପରିବର୍ତ୍ତନ ନକରିବା ଯୋଗୁଁ ଦୁର୍ଘଟଣା ପରେ ରାସ୍ତା ରୋକ ମାନ ହୋଇଥାଏ। ଯେଉଁ ସମସ୍ୟାର ସାମ୍ନା ସାଧାରଣ ଲୋକମାନେ କରନ୍ତି। ବିଶେଷ କରି ଜାତୀୟ ରାଜପଥରେ ଯେଉଁ ଦୁର୍ଘଟଣାମାନ ଘଟୁଛି ସେଥି ମଧ୍ୟରୁ ୯୫ ପ୍ରତିଶତରୁ ଅଧିକ ସ୍ଥାନରେ ରାସ୍ତାରୋକ ମାନ ହେଉଛି। ଯେଉଁଥି ପାଇଁ ଦୁର୍ଘଟଣାରେ ମୃତକମାନଙ୍କ ପରିବାରକୁ ଫୌଜଦାରୀ ମାମଲାରେ ଛନ୍ଦି ହେବାକୁ ପଡୁଛି। ଆଉ ସେମାନଙ୍କ ପରିବାରର ମୃତ୍ୟୁର ଦୁଃଖଠୁ ଫୌଜଦାରୀ ମାମଲାରେ କୋର୍ଟକୁ ଦୌଡ଼ିବା ଦୁଃଖ ବଳିପଡୁଛି।
 
ବିଶେଷଜ୍ଞଙ୍କ ମତ ଅନୁସାରେ ଦୁର୍ଘଟଣାକୁ ରୋକିବାକୁ ହେଲେ ସହରାଂଚଳ ସହିତ ଗ୍ରାମାଂଚଳରେ ସଚେତନତା କାଯ୍ୟର୍କ୍ରମ ଦରକାର। ପୁଣି ଆଂଚଳିକ ପରିବହନ ବିଭାଗ ଓ ପୁଲିସର ସମନ୍ଵୟରେ ଆହୁରି ଚେକିଂର ବ୍ୟବସ୍ଥା ସାଙ୍ଗକୁ ଦୃତ ଗତିରେ ଚଲାଉଥିବା ଗାଡ଼ିକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। ସେହିଭଳି ମଦୁଆ ଗାଡ଼ି ଚାଳକଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରି ଦୃଢ଼ ପଦକ୍ଷେପ ନେଇ ସହରଗୁଡ଼ିକରେ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି କଲେ ଏହି ଦୁର୍ଘଟଣା କମିବ ବୋଲି ଏହି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। 
 
ସେହିପରି ଭବାନୀପାଟଣା, କେସିଙ୍ଗା ଭଳି ଅନ୍ୟ ସହରରେ ବହୁ ସମୟରେ କମ୍‌ ବୟସର ପୁଅ ଝିଅମାନେ ଦୃତ ଗତିରେ ସ୍କୁଟି ଓ ଗାଡ଼ି ଚଲାଇବା ଆଂଚଳିକ ପରିବହନ ବିଭାଗର ଉଦାସୀନତା ଯୋଗୁଁ ଦୁର୍ଘଟଣା ଘଟୁଛି ବୋଲି ଅଭିଯୋଗ ହେଉଛି। ସେହିଭଳି କଳାହାଣ୍ଡିରେ ସ୍ୱାସ୍ଥ୍ୟ ସେବା ବିପଯ୍ୟର୍ସ୍ତ, ଡାକ୍ତର ଅଭାବ, ଉନ୍ନତ ଯନ୍ତ୍ରପାତି ନଥିବାରୁ ବହୁ ସମୟରେ ବଂଚିବାକୁ ଥିବା ବ୍ୟକ୍ତିମାନେ ମଧ୍ୟ ଗୁରୁତର ଆହତ ହୋଇ ବାହାରକୁ ଚିକିତ୍ସା ପାଇଁ ଗଲା ବେଳେ ମୃତ୍ୟୁ ମୁଖରେ ପଡୁଛନ୍ତି। 
 
କଳାହାଣ୍ଡି ଜିଲ୍ଲାରେ ୧୦୮ ଆମ୍ବୁଲାନ୍ସ ସେବା ଥିଲେ ମଧ୍ୟ ବହୁ ସମୟରେ ତାର ପଦ୍ଧତି ମାନୁ ମାନୁ ଗୁରୁତର ଆହତ ରୋଗୀକୁ ମୃତ୍ୟୁ ମୁଖରେ ପଡିବାକୁ ପଡୁଛି ତ ଆଉ କେତେବେଳେ ୧୦୮ ଆମ୍ବୁଲାନ୍ସ ପହଂଚୁନାହିଁ। ଗ୍ରାମାଂଚଳରେ ଆମ୍ବୁଲାନ୍‌ସ ଟିଏ ମିଳୁ ନାହିଁ। ବେସରକାରୀ ଭଡା ଗାଡ଼ି ମଧ୍ୟ ଭଡ଼ାରେ ଆଣିବାକୁ ରାଜି ହେଉନଥିବାରୁ ସେମାନେ ମଧ୍ୟ ଗାଡ଼ି ଅଭାବ ଯୋଗୁଁ ମୃତ୍ୟୁ ମୁଖରେ ପଡ଼ିଥାନ୍ତି। ଫଳରେ ସମନ୍ଵୟର ଅଭାବ ଯୋଗୁଁ ଏବେ ବି ଲୋକଙ୍କ ପାଖରେ ପହଂଚି ପାରି ନାହିଁ ସରକାରଙ୍କ ବ୍ୟବସ୍ଥା ଯାହା ପ୍ରହସନରେ ପରିଣତ ହୋଇଛି ବୋଲି ମତ ପ୍ରକାଶ ପାଉଛି।

image