22 February 2017
9:21:38 AM
Sambad News
କଳାହାଣ୍ଡି

ଜାମକନାରେ ହାତୀପଲ ମାତିଲେ

ଫସଲ ନଷ୍ଟ, ତିନି ଘର ଓ ନଳକୂପ ଭାଙ୍ଗିଲେ

By Sambad | Date: Jan 4 2017 6:50AM
ଜାମକନାରେ ହାତୀପଲ ମାତିଲେ

ଭବାନୀପାଟଣା,: କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡର ଗୁଣ୍ଡରୀ ପଞ୍ଚାୟତର ଜାମକନା ଗାଁରେ ଏବେ ହାତୀପଲ ମାତିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ଗୁଣ୍ଡରୀ ପଞ୍ଚାୟତର ଜାମକନା ଗ୍ରାମରେ ଗତ ୫ଦିନ ଧରି ହେଲା ୧୨ଟି ହାତୀପଲ ଗୁଣ୍ଡରୀ ଜଙ୍ଗଲରେ ମାତିଥିବା ବେଳେ ଏବେ ଜାମକନା ଗାଁ ମୁହାଁ ହୋଇଛନ୍ତି। ଜାମକନା ଗ୍ରାମର ଟେଭା ବେନୁଆ, ତୁତଲି ମାଝୀ, ସହଦେବ ମାଝୀଙ୍କ ଘର ହାତୀପଲ ଭାଙ୍ଗି ଦେଇଥିବା ବେଳେ ଗୋଟିଏ ନଳକୂପ ମଧ୍ୟ ଭାଙ୍ଗି ଦେଇଥିଲେ। ହାତୀପଲ କଦଳୀ, ପନିପରିବା ଏବଂ ଜମିର ଧାନନଷ୍ଟ କରିଛନ୍ତି।

ଏ ନେଇ ଖବର ପାଇବା ପରେ ଉତ୍ତର ବନଖଣ୍ଡ ଡିଏଫଓ ଲଳିତେନ୍ଦୁ ଜେନା ଗାଁରେ ପହଞ୍ଚିଥିଲେ। ବନ ବିଭାଗ ପକ୍ଷରୁ ଆଜି ରାତିରେ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଗ୍ରାମର ୧୫ ଜଣ ଯୁବକଙ୍କୁ ନେଇ ବାଜା ଓ ବାଣ ଫୁଟାଇ ହାତୀ ଘଉଡାଇବା ପାଇଁ ପ୍ରସ୍ତୁତି ହୋଇଥିବା ଜଣାପଡ଼ିଛି। ପ୍ରତି ଘରେ ମଶାଲ ଜଳାଯିବା ବ୍ୟବସ୍ଥା କରାଯାଇଛି।  କ୍ଷୟକ୍ଷତି ନେଇ ତହସିଲଦାରଙ୍କୁ ଅବଗତ କରାଯିବ ବୋଲି ଡିଏଫଓ କହିଥିଲେ। ଅନ୍ୟପକ୍ଷରେ ହାତୀ ଆତଙ୍କ ଯୋଗୁଁ ଗ୍ରାମବାସୀ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି।