21 August 2017
2:09:06 PM
image
Sambad News
କଳାହାଣ୍ଡି

ମିଲର୍ସଙ୍କ ମର୍ଜିରେ ଚାଲିଛି ମଣ୍ଡି

ହାତ ବାନ୍ଧି ବସିଛନ୍ତି ସରକାର ଓ ପ୍ରଶାସନ

By Sambad | Date: Jan 7 2017 10:05AM
ମିଲର୍ସଙ୍କ ମର୍ଜିରେ ଚାଲିଛି ମଣ୍ଡି

କେସିଙ୍ଗା:  କଳାହାଣ୍ଡି ଜିଲ୍ଲାରେ ଶ୍ରମିକ ଓ ମିଲର୍ସଙ୍କ ବିବାଦ ଯୋଗୁଁ ଏବେ ବି ଧାନ ଉଠାଣ ବିବାଦ ସରି ନାହିଁ। ଜିଲ୍ଲାରେ ମିଲର୍ସଙ୍କ ମର୍ଜିରେ ଧାନ କ୍ରୟ ଘଟଣାକୁ ପୁଣି ଥରେ ଏହି ବିବାଦ ପରେ ପ୍ରମାଣିତ କରିଛି। କାରଣ ଖରିଫ ଆରମ୍ଭରୁ ମିଲ ମାଲିକ ଚାହିବାରୁ ମଣ୍ଡି ଆରମ୍ଭ ହେଲା। ପୁଣି ମିଲ ମାଲିକ ନଚାହିବାରୁ ଏବେ ମଣ୍ଡି ବନ୍ଦ ହେଲା। ଏଠୁ ସ୍ପଷ୍ଟ ଅନୁମେୟ ଯେ କଳାହାଣ୍ଡି ଜିଲ୍ଲାର ଧାନ କ୍ରୟ ବ୍ୟବସ୍ଥା ସବୁ ମିଲରଙ୍କ ଉପରେ ନିର୍ଭର କରେ। ଆଉ ଯେଉଁ ଧାନ କିଣା ସଂସ୍ଥା ମାନେ ଅଛନ୍ତି ସେମାନେ ଏକ ସ୍ୱୟଂ ଶାସିତ ସଂସ୍ଥା ହୋଇଥିଲେ ମଧ୍ୟ ସେମାନେ ମଧ୍ୟ ମିଲରଙ୍କ ହାତରେ ତାଙ୍କର ସବୁ ବ୍ୟବସ୍ଥାକୁ ଟେକି ଦେଇଛନ୍ତି। ଏସବୁ ଘଟଣା ସମସ୍ତ ସରକାରୀ ଅଧିକାରୀ, ପ୍ରଶାସନ, ରାଜନେତା ସମସ୍ତେ ଜାଣିଥିଲେ ମଧ୍ୟ ବର୍ଷ ବର୍ଷରୁ ଏହା ଚାଲିଆସୁଛି ବୋଲି ଅଭିଯୋଗ ହେଉଛି।

ଚାଷୀଙ୍କୁ ଖୋଲାଖୋଲି ଲୁଟ କରାଯାଉଛି ଓ ସରକାର ଯେଉଁ ନିୟମ ତିଆରି କରିଛନ୍ତି ତାକୁ ନାଲିଫିତା ତଳେ ଲଗାଇ ଅଧିକାରୀମାନେ ମିଲର୍ସଙ୍କ ମର୍ଜିରେ ଧାନ କ୍ରୟ ବ୍ୟବସ୍ଥା ଚଲାଇଛନ୍ତି। ପ୍ରଥମେ ସରକାର ଓ ମିଲର୍ସଙ୍କ ମଧ୍ୟରେ ବିବାଦ ଲାଗିବା ଯୋଗୁଁ ଏକ ମାସ ମଣ୍ଡି ବିଳମ୍ବ ହୋଇଥିଲା। ଯେଉଁଥି ପାଇଁ ଜିଲ୍ଲାର ଶହଶହ ଚାଷୀ ଧାନର ଅଭାବୀ ବିକ୍ରିର ଶିକାର ହେଲେ।  ଗଣମାଧ୍ୟମରେ ପ୍ରଶାସନ ଧାନର ଅଭାବୀ ବିକ୍ରି ନେଇ ବାରମ୍ବାର ପ୍ରକାଶ ପରେ ପ୍ରଶାସନ ଯାଂଚ କରି ବେନିୟମ ଧାନକୁ ଧରପଗଡ଼ ମଧ୍ୟ କଲା। କିନ୍ତୁ ଶେଷରେ ସେହି ପ୍ରଶାସନ ସେମାନଙ୍କୁ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ବଦଳରେ ଭିତିରି ସଲାସୁତରା କରି ବେନିୟମ କାର୍ଯ୍ୟକୁ ନିୟମିତ ଦେଖାଇ ପୁଣି ସେମାନଙ୍କୁ ଧାନ କିଣାରେ ସାମିଲ କରିଦେଲା।

ଧାନ କିଣା ପାଇଁ ସ୍ୱତନ୍ତ୍ର ଭାବରେ ଚାଷୀ ଠାରୁ ସମବାୟ ସଂସ୍ଥା କ୍ୱିଂଟାଲ ପିଛା କମିସନ ପାଉଛି। ମାତ୍ର ସେ ସଂସ୍ଥା ନିଜର କିଛି ଭିତ୍ତିଭୂମି ନଥିବାରୁ ଖାଲି କାଗଜ କଲମରେ ଧାନ କିଣିଥାଏ। ମାତ୍ର ଧାନ କିଣା ପାଇଁ ବର୍ଷକୁ କୋଟିକୋଟି ଟଙ୍କା ପାଏ। ଚାଷୀ ମଣ୍ଡିରେ ଏହି ସଂସ୍ଥା ସିଧାସଳଖ କିଣୁ ନଥିବାରୁ କଟନି ଛଟନିର ଶିକାର ହୁଏ। ଚାଷୀର ସ୍ୱାର୍ଥ ପାଇଁ ଏହି ସଂସ୍ଥା ଗଠନ ଏବଂ ସରକାର ଧାନ କିଣାରେ ଏହି ସଂସ୍ଥାକୁ ନିୟୋଜିତ କରିଥିଲେ ମଧ୍ୟ
 

ଏମାନେ ଚାଷୀଙ୍କ ସ୍ୱାର୍ଥ ବଦଳରେ ମିଲର୍ସଙ୍କ ସ୍ୱାର୍ଥକୁ ଜଗିବସିଥାନ୍ତି। ଫଳରେ ଚାଷୀ ଅଭାବୀ ବିକ୍ରି  ସାଙ୍ଗରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ।  ଏବେ ମିଲ ମାଲିକ ଓ ଶ୍ରମିକଙ୍କ ବିବାଦ ଯୋଗୁଁ ଏଠି ହେଉଥିବା ଗୋଲକ ଧନ୍ଦାର ପୁଣି ପର୍ଦ୍ଦାଫାସ ହୋଇଛି। ନହେଲେ ସରକାର ୧୬୨୦ ଟଙ୍କା ଦେଉଥିବା ବେଳେ ମିଲ ମାଲିକ ମାନେ ଆଜି ପର୍ଯ୍ୟନ୍ତ କେମିତି ଶ୍ରମିକଙ୍କ କଥା ମାନି ୨୮୦୦ ଟଙ୍କା ଦେଉଥିଲେ ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏବେ ବି ଜିଲ୍ଲାରେ ପଖାପାଖି ୧୨ ଲକ୍ଷରୁ ଅଧିକ କ୍ୱିଂଟାଲ ଧାନ କିଣା ଯାଇଥିବା ବେଳେ ଏବେ ବି ବହୁ ଧାନ ଜିଲ୍ଲାରେ ପଡ଼ି ରହିଛି। ବର୍ତ୍ତମାନ ମଣ୍ଡିର ଅବ୍ୟବସ୍ଥା ହେବା ଯୋଗୁଁ ଚାଷୀମାନେ ପୁଣି ଦଲାଲର ଶିକାର ହୋଇ କମ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ବୋଲି ପ୍ରକାଶ କରିଛନ୍ତି। ତେବେ ସରକାର ଆଉ କେତେ ନିୟମ କଲେ ଚାଷୀ ମିଲର୍ସ ମର୍ଜିରେ ନୁହେଁ ଚାଷୀର ମର୍ଜିରେ ଧାନ ବିକ୍ରି କରି ପାରିବେ ବୋଲି ବିଭିନ୍ନ ମହଲରେ ପ୍ରକାଶ ପାଇଛି।