22 February 2017
9:20:47 AM
Sambad News
କଳାହାଣ୍ଡି

ଭବାନୀପାଟଣାରେ ଗର୍ଜିଲେ ଚିଟ୍‌ଫଣ୍ଡ ଜମାକାରୀ

ଜିଲ୍ଲାପାଳ ଅଫିସ୍‌ ସମ୍ମୁଖରେ ଗଣ ସତ୍ୟାଗ୍ରହ

By Sambad | Date: Jan 12 2017 1:32AM
ଭବାନୀପାଟଣାରେ ଗର୍ଜିଲେ ଚିଟ୍‌ଫଣ୍ଡ ଜମାକାରୀ

ଭବାନୀପାଟଣା :  ରାଜ୍ୟ ସରକାର ୪ ବର୍ଷ ହେଲା ଚିଟଫଣ୍ଡ ଜମାକାରୀଙ୍କ ଜମା ଅର୍ଥ ଫେରାଇବେ ବୋଲି ପ୍ରତିଶ୍ରୁତି ଦେଇ ବାରମ୍ବାର ଠକି ଚାଲିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଇନ ଦ୍ୱାରା ପଞ୍ଜୀକୃତ ହୋଇ ଏହି ଠକ କମ୍ପାନିମାନେ ଲୋକଙ୍କଠାରୁ ଜମା ସଂଗ୍ରହ କରିଥିଲେ ଓ ରାଜ୍ୟର ନେତା ଓ ପ୍ରଶାସନିକ ଅଧିକାରୀ ସେମାନଙ୍କୁ ଖୋଲାଖୋଲି ସମର୍ଥନ କରିଥିଲେ।  ରାଜ୍ୟର କ୍ଷତିଗ୍ରସ୍ତ ପ୍ରାୟ ୩୦ ଲକ୍ଷ ଜମାକାରୀ ଶାସନର ପରିବର୍ତ୍ତନ ପାଇଁ ଓ ଲୋକମାନଙ୍କୁ ଠକିଥିବା ନେତାଙ୍କୁ ହଟାଇବା ପାଇଁ ପରିବର୍ତ୍ତନ ଅଭିଯାନ ରାଜ୍ୟସାରା ଚାଲୁଛି। ଏହି କ୍ରମରେ ଆଜି ଭବାନୀପାଟଣାରେ ଅନୁଷ୍ଠିତ ସମାବେଶରେ କ୍ଷତିଗ୍ରସ୍ତ ଜମାକାରୀ ଗର୍ଜିଛନ୍ତି। 
 
ଆର୍ଥିକ ସଂସ୍ଥାଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର ବୁଧବାର ଭବାନୀପାଟଣା ସହରର ମାଣିକେଶ୍ୱରୀ ମନ୍ଦିରରୁ ଏକ ବିରାଟ ପଟୁଆରରେ ଜଗନ୍ନାଥମନ୍ଦିର ଛକ, ଘୋଡାଘାଟ ଛକ, ମ୍ୟୁନିସିପାଲଟି ଛକ ଦେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚିଥିଲେ। ପରେ ଆର୍ଥିକ ସଂସ୍ଥାଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର ଆବାହକ ଜୟନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ସମାବେଶ ଅନୁଷ୍ଠିତ ହୋଇଥିଲା। ମଞ୍ଚର ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ ଯୋଗ ଦେଇ କହିଥିଲେ, ରାଜ୍ୟରେ ଚିଟଫଣ୍ଡ କମ୍ପାନିମାନେ ଟଙ୍କା ଦ୍ୱିଗୁଣିତ କରିବା ପ୍ରଲୋଭନ ଦେଖାଇ ଜମାକାରୀଙ୍କ ଠାରୁ ଠକି ନେଇଛନ୍ତି। ୨୦୧୨ ମସିହାରେ ଚିଟଫଣ୍ଡ ସଂସ୍ଥାଙ୍କ ବିରୋଧରେ ଜମାକାରୀଙ୍କ ଆନ୍ଦୋଳନ ତେଜିଥିଲା। ସରକାର ଏଥିରେ ଭୟଭୀତ ହୋଇ ୨୦୧୪  ନିର୍ବାଚନରେ ଏହାର ପ୍ରଭାବ ପଡିବ ବୋଲି ୨୦୧୩ ମସିହାରେ ୩୦୦ କୋଟି ଟଙ୍କାର କର୍ପସ ପାଣ୍ଠି  ଗଠନ କରିଥିଲେ। ବର୍ତ୍ତମାନ ୨୦୧୭ ନିର୍ବାଚନରେ ଜମାକାରୀମାନେ ଟଙ୍କା ଫେରସ୍ତ ନଦେଲେ ଭୋଟ ନଦେବାକୁ ଆହ୍ଵାନ ଦେଇଥିଲେ। ଜମାକାରୀଙ୍କ କଷ୍ଟ ଉପାର୍ଜିତ ଅର୍ଥ ଫେରାଇବାରେ ଉଭୟ କେନ୍ଦ୍ର ଓ ରାଜ୍ୟସରକାର ଜମାକାରୀଙ୍କୁ ପ୍ରତାରିତ କରିଛନ୍ତି। ତେଣୁ ଜମାକାରୀମନ ଏହି ଦଳଙ୍କ ପଛରେ ନ ଗୋଡାଇ ସମସ୍ତେ ଜମାକାରୀ ଦଳ ଭାବରେ ନିଜକୁ ପରିଗଣିତ କରାଇବା ଦରକାର ଏବଂ ଜମାକାରୀ ତାର ଅର୍ଥ ଫେରସ୍ତ ପାଇବା ପର୍ଯ୍ୟନ୍ତ ନିଜ ଦଳକୁ ସୁଦୃଢ କରିବା ପାଇଁ ଗୁରୁତ୍ୱ ଦେଇଥିଲେ। 
 
ଅନ୍ୟତମ ଉପଦେଷ୍ଟା ବରିଷ୍ଠ ସମ୍ବାଦିକ ରବି ଦାସ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ତହସିଲ ଜରିଆରେ ଚିହ୍ନଟ କରି ଠକ କମ୍ପାନିଙ୍କର ମାଲିକ ଓ ପ୍ରଚ୍ଛଦପଟ୍ଟ ଖଳନାୟକଙ୍କୁ ଗିରଫ କରିବା ସହିତ ସେମାନଙ୍କର ସ୍ଥାବର ଓ  ଅସ୍ଥାବର ସମ୍ପତ୍ତି ଜବତ କରି ବିଚାର ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ସହିତ ସେମାନଙ୍କ ସମ୍ପତ୍ତିକୁ ନିଲାମ କରି ଜମାକାରୀଙ୍କ ଟଙ୍କା ତୁରନ୍ତ ଫେରସ୍ତ କରିବାକୁ ଦାବି କରିଥିଲେ। 
 
ମଞ୍ଚର ରାଜ୍ୟ ଯୁଗ୍ମ ଆବାହକ ଅନୁରାଧା ସୁବୁଦ୍ଧି କହିଥିଲେ, ଦାବି ହାସଲ ନହେବା ପର୍ଯ୍ୟନ୍ତ ପରିବର୍ତ୍ତନ ଅଭିଯାନ ରାଜ୍ୟବ୍ୟାପୀ ଚାଲିବ। ଅନ୍ୟତମ ମଞ୍ଚର  ରାଜ୍ୟ ଯୁଗ୍ମ ଆବାହକ ମଧୁସୂଦନ ବିଶ୍ୱାଳ ସାରା ରାଜ୍ୟରେ ଆର୍ଥିକ ସଂସ୍ଥାଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ କିପରି କାର୍ଯ୍ୟ କରୁଛି ଓ ଜାତୀୟ ଖାଉଟି ବିବାଦ ସମାଧାନ କମିସନରେ ମାମଲା ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ। ସିବିଆଇ ରୋଜଭ୍ୟାଲି ଘଟଣାରେ ବର୍ତ୍ତମାନ ଯେଭଳି ଆଗ୍ରହ ପ୍ରକାଶ କରୁଛି ସେହିଭଳି ଓଡିଶା କମ୍ପାନି ଓ ଓଡ଼ିଶାର ଚିଟଫଣ୍ଡ ଅପରାଧୀଙ୍କ କ୍ଷେତ୍ରରେ ଆଗ୍ରହ ଦେଖାଉନଥିବା ନେଇ ତୀବ୍ର ସମାଲୋଚନା କରିଥିଲେ। 
 
ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲା ଆବାହକ ଗୌରହରି ନାଏକ, ପ୍ରସନ୍ନ ତ୍ରିପାଠୀ, ଧ୍ରୁବଚରଣ ସାହୁ, ଲିଙ୍ଗରାଜ ଆଜାଦ, ଦାମୋଦର ବେହେରା ପ୍ରମୁଖ ଚିଟଫଣ୍ଡ ଜମାକାରୀଙ୍କ ଟଙ୍କା ଫେରସ୍ତ ନହେବା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ସଭାପରେ ସମାବେଶ ସ୍ଥଳକୁ ଡେପୁଟି କଲେକ୍ଟର ଦିବାକର ବାଗ ଆସି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ସ୍ମାରକପତ୍ର ଗ୍ରହଣ କରିଥିଲେ।