22 February 2017
10:55:56 PM
Sambad News
କଳାହାଣ୍ଡି

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକି୍ରୟା ଆରମ୍ଭ

ପ୍ରଥମ ଦିନରେ ଶତାଧିକ ପ୍ରାର୍ଥୀପତ୍ର ଦାଖଲ

By Sambad | Date: Jan 12 2017 9:33AM
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକି୍ରୟା ଆରମ୍ଭ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ବୁଧବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ଦିନରେ ୩ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। କଂଗ୍ରେସ ପକ୍ଷରୁ କେସିଙ୍ଗା ଜିଲ୍ଲା ପରିଷଦ ଜୋନ-୧ ନିମନ୍ତେ ପର୍ଶୁରାମ ପାଢୀ, ବିଜେପି ପକ୍ଷରୁ ଭବାନୀପାଟଣା ଜିଲ୍ଲା ପରିଷଦ ଜୋନ-୧ ପାଇଁ ପିଙ୍କି ସାହୁ ଓ ମଦନପୁର ରାମପୁର ବ୍ଲକର ଜିଲ୍ଲା ପରିଷଦ ଜୋନ-୨ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଜୟରାମ ମହାନନ୍ଦ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିଭଳି ଧର୍ମଗଡ ଉପଖଣ୍ଡରେ କୌଣସି ଜିଲ୍ଲା ପରିଷଦ ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କରିନଥିବା ଜଣାପଡ଼ିଛି। ଜିଲ୍ଲାରେ ୭୪ ଜଣ ସମିତିସଭ୍ୟ ପ୍ରାର୍ଥୀ, ୮୯ ଜଣ ସରପଞ୍ଚ ପ୍ରାର୍ଥୀ ଓ ୨୯୮ ଜଣ ଓ୍ଵାର୍ଡ ସଭ୍ୟ ପ୍ରାର୍ଥୀ  ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
କେସିଙ୍ଗା: କେସିଙ୍ଗା ବ୍ଲକ୍‌ ଅଞ୍ଚଳରୁ ବୁଧବାର ପ୍ରଥମ ଦିନରେ ମୋଟ ୫୭ଟି ନାମାଙ୍କନ ଦାଖଲ ହୋଇଛି। କେସିଙ୍ଗାର ଜିଲ୍ଲା ପରିଷଦ ଜୋନ-୧ର ପ୍ରାର୍ଥୀ ଭାବେ କଂଗ୍ରେସ ଦଳରୁ ପର୍ଶୁରାମ ପାଢ଼ୀ ଭବାନୀପାଟଣା ଉପଜିଲ୍ଲାପାଲଙ୍କ କାର୍ଯ୍ୟାଳୟରେ ତାଙ୍କ ନାମାଙ୍କନ ଦାଖଲ କରିଛନ୍ତି। ଅନ୍ୟ ପକ୍ଷରେ ସରପଂଚ ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ନିର୍ବାଚନ ପାଇଁ କେସିଙ୍ଗା ବ୍ଲକରେ ନାମାଙ୍କନ ଦାଖଲ ହୋଇଛି। ୨୬ ଟି ପଂଚାୟତକୁ ନେଇ ଗଠିତ ଏହି ବ୍ଲକରେ ୨୬ ଗୋଟି ସରପଂଚ, ୨୬ ଗୋଟି ସମିତି ସଭ୍ୟ, ୩୦୫ ଟି ୱାର୍ଡ ସଭ୍ୟ ଓ ୩ଟି ଜିଲ୍ଲାପରିଷଦ ସଭ୍ୟ ପଦ ପାଇଁ ଏଥର ନିର୍ବାଚନ ହେଉଛି।

ନାମାଙ୍କନ ଦାଖଲର ପ୍ରଥମ ଦିନରେ ସରପଂଚ ପଦ ପାଇଁ ୧୧ ଜଣ, ସମିତି ସଭ୍ୟ ପାଇଁ ୧୨ ଜଣ ଏବଂ ଓ୍ଵାର୍ଡ ସଭ୍ୟ ପଦ ପାଇଁ ୩୩ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଦାଖଲ ସମୟରେ ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କୁ ଧରି ବିରାଟ ଶୋଭାଯାତ୍ରାରେ ଆସିଥିଲେ। ଆରମ୍ଭରୁ ପ୍ରାର୍ଥୀମାନେ ନିଜ ସମର୍ଥକଙ୍କ ପାଇଁ ଯେଉଁ ଭଳି ପ୍ରଚୁର ଟଙ୍କା ଖର୍ଚ୍ଚ କଲେଣି ଆଗକୁ ଏହି ନିର୍ବାଚନ ବହୁ ସରଗରମ ହେବ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି।
ମ.ରାମପୁର: ପଞ୍ଚାୟତ ନିର୍ବାଚନ ପାଇଁ ବୁଧବାର ଫର୍ମ ନେବା ଓ ନାମାଙ୍କନ ପତ୍ର ଦାଖଲର ପ୍ରଥମ ଦିନ ଥିଲା।  ପ୍ରଥମ ଦିନରେ ସମତି ସଭ୍ୟ ପ୍ରାର୍ଥୀ ପାଇଁ ୫୬ଟି ଫର୍ମ ନେଇଥିଲେ। ୧୦ଟି  ନାମାଙ୍କନ ଦାଖଲ ହୋଇଛି। ଅଲାତରା ପଞ୍ଚାୟତରୁ ବିକାଶ ରଂଜନ ସିଂହଦେଓ ଓ ସାଲେପାଲି ପଞ୍ଚାୟତରୁ  ତୁଳସୀ ବିଶି ଉଭୟେ ପ୍ରାର୍ଥୀ ୨ଟି ଲେଖାଏଁ  ନାମାଙ୍କନ ଦାଖଲ କରିଥିବା ବେଳେ ସାଇଦଲଙ୍ଗା ପଞ୍ଚାୟତରୁ କୃପା ତାଣ୍ଡି, ଉର୍ଲାଦାନୀ ପଞ୍ଚାୟତରୁ ସିକନ୍ଦର ନାଏକ, ନୁନପୁର ପଞ୍ଚାୟତରୁ ଗୋଲାପୀ ରଣା ଏବଂ ମୁଡ଼ିଙ୍ଗ ପଞ୍ଚାୟତରୁ ୩ ଜଣ ଶରତ ମାଝୀ, ରମେଶ ମାଝୀ ଓ ଚିତ୍ତ ମାଝୀ ଗୋଟିଏ ଲେଖାଏଁ ନାମାଙ୍କନ ଦାଖଲ କରିଛନ୍ତି।

ସେହିପରି ସରପଞ୍ଚ ପଦ ପାଇଁ ୪୭ଟି ଫର୍ମ ବିକ୍ରି ହୋଇଥିବା ବେଳେ ୪ ଜଣ ପ୍ରାର୍ଥୀ ମୁଡ଼ିଙ୍ଗରୁ ଜଣେ, ପଣ୍ଡକାମାଲରୁ ୨ ଜଣ ଏବଂ ମଦନପୁରରୁ ଜଣେ ସରପଞ୍ଚ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଓ୍ଵାର୍ଡ ସଭ୍ୟ ପାଇଁ ୭୧ଟି ଫର୍ମ ଆଶାୟୀମାନେ ନେଇଥିବା ବେଳେ ନୁନ୍‌ପୁରରୁ ୨ ଜଣ, ମୁଡ଼ିଙ୍ଗରୁ ୨ ଜଣ ଏବଂ ଉର୍ଲାଦାନୀରୁ ୪ ଜଣ ମୋଟ୍‌ ୮ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି।  ସମିତି ସଭ୍ୟ ପ୍ରାର୍ଥୀମାନେ ନିଜ ସମର୍ଥକମାନଙ୍କୁ ନେଇ ଶୋଭାଯାତ୍ରାରେ ବାହାରି ବ୍ଳକ ଅଫିସ୍‌ରେ ପହଞ୍ଚି ନାମାଙ୍କନ ଦାଖଲ କରିଥିଲେ।
କୋମନା: କୋମନା ବ୍ଲକ୍‌ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୪୨ ଜଣ ନାମାଙ୍କନପତ୍ର ନେଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରେ ୨ଟି ସରପଞ୍ଚ, ୫ଟି ସମିତି ସଭ୍ୟ ଓ ୩୫ ଜଣ ଓ୍ଵାର୍ଡ ମେମ୍ବର ପାଇଁ ନାମାଙ୍କନପତ୍ର ନେଇଛନ୍ତି।
ସିନାପାଲି: ସିନାପାଲି ପଞ୍ଚାୟତ ସମିତି ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ସରପଞ୍ଚ ଓ ଓ୍ଵାର୍ଡସଭ୍ୟ ପଦ ପାଇଁ ନାମାଙ୍କନ ଦାଖଲ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ସରପଞ୍ଚ ସଭ୍ୟ ପଦ ପାଇଁ ସିଙ୍ଗଝର ପଞ୍ଚାୟତ, କୁସୁମଯୋର ପଞ୍ଚାୟତ, ଗଣ୍ଡାବାହାଲି ପଞ୍ଚାୟତ,  ଚଟିଆଗୁଡା ପଞ୍ଚାୟତରେ ଜଣେ ଲେଖାଏଁ, ଗୋଡାଲ ପଞ୍ଚାୟତ, ନୂଆପଡ଼ା ପଞ୍ଚାୟତରେ ୨ ଜଣ ଲେଖାଏଁ ମୋଟ୍‌ ୮ ଜଣ ନାମାଙ୍କନ ଦାଖଲ କରିଛନ୍ତି।

କରଣବାହାଲି, ଚଟିଆଗୁଡ଼ା, ବରଗାଁ, ସିନାପାଲି ପଞ୍ଚାୟତରେ ଜଣେ କରି ମୋଟ୍‌ ୪ ଜଣ ସମିତି ସଭ୍ୟ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ଓ୍ଵାର୍ଡ ସଭ୍ୟ ପଦ ପାଇଁ ୩୦ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ସିନାପାଲି ବ୍ଲକ୍‌ ନିର୍ବାଚନ ଅଧିକାରୀଙ୍କ ଅଫିସ ସୂତ୍ରରୁ ଜଣାଯାଇଛି।