27 June 2017
2:19:04 PM
image
Sambad News
କଳାହାଣ୍ଡି

କୁସୁମଖୁଣ୍ଟି ଡିଭିଜନ କେନାଲ ନିର୍ମାଣରେ ଅନିୟମିତତା

ସପ୍ତାହ ନ ପୂରୁଣୁ ଶୋଚନୀୟ

By Sambad | Date: Jan 12 2017 10:06AM
କୁସୁମଖୁଣ୍ଟି ଡିଭିଜନ କେନାଲ ନିର୍ମାଣରେ ଅନିୟମିତତା

ଛୋରିଆଗଡ଼: କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ କୁସୁମଖୁଣ୍ଟି କେନାଲ ଡିଭିଜନରେ ନିମ୍ନମାନର କାମକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗତ ସପ୍ତାହ ତଳେ ଏହି ଡିଭିଜନର ଜୁନାଗଡ଼ ବ୍ଲକ ଅନ୍ତର୍ଗତ ନକଟିଗୁଡ଼ା ବିଲକୁଲ ଡଙ୍ଗରୀ ନିକଟ  ଡ୍ରିଷ୍ଟିବୁଟାରି କେନାଲରେ ୨୨ଲକ୍ଷ ଟଙ୍କା ଅଟକଳରେ ପ୍ରାୟ ୨ଶହ ମିଟରରୁ ଅଧିକ କେନାଲର ଦୁଇ ପାର୍ଶ୍ୱରେ ଗାଡୱାଲ କରାଯିବା ସହ କେନାଲର ତଳଭାଗରେ ବେଡ କଂକ୍ରିଟ କରାଯାଇଥିଲା। ତେବେ ନିର୍ମାଣର ସପ୍ତାହେ ନ ପୂରୁଣୁ କେନାଲର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଫଳରେ କେନାଲର ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
 ଅଭିଯୋଗ ଅନୁସାରେ, ଇନ୍ଦ୍ରାବତୀ ବାମକେନାଲ ଛୋରିଆଗଡ଼ ଡିଷ୍ଟିବୁଟାରି ମୁଖ୍ୟ କେନାଲରୁ ଏହି  କେନାଲଟି ବାହାରି ନକଟିଗୁଡା ବିଲକୁଲଡଙ୍ଗରୀ ପାଖ ଦେଇ ମଥୁରା, ବଳଦିଆମାଲ ଗ୍ରାମକୁ ଯାଇଛି।

ଏହି କେନାଲର ଅବସ୍ଥା ଭଲ ନ ଥିବାରୁ ତଳ ଅଞ୍ଚଳର ଚାଷୀ ଠିକ୍‌ ଭାବରେ ପାଣି ପାଇପାରୁ ନଥିଲେ। ଗତ କିଛିଦିନ ତଳେ କେନାଲର ଉନ୍ନତିକରଣ ପାଇଁ ବିଭାଗ ପକ୍ଷରୁ ଟେଣ୍ଡର ପ୍ରକାଶ ପାଇଥିଲା। ଟେଣ୍ଡର ପାଇଥିବା ଠିକାଦାର ୨୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି କେନାଲରେ ପ୍ରାୟ ୨ଶହ ମିଟରରୁ ଅଧିକ ଦୁଇପଟରେ ଗାଡୱାଲ ନିର୍ମାଣ କରିବା ସହ  କେନାଲର ତଳ ଭାଗରେ ବେଡ କଂକ୍ରିଟ କରିଥିଲେ।
 

ତେବେ କାମ ସରିବାର ସପ୍ତାହ ନ ପୁରୁଣୁ ଏହି କେନାଲରେ ପାଣି ଆସିବା ପରେ ତଳ ଭାଗରେ ନିର୍ମାଣ କରାଯାଇଥିବା ବେଡ କଂକ୍ରିଟ ଗୁଡିକ ଦବିଯାଇ ଭାଙ୍ଗି ଯାଇଥିବା ଦେଖିବାକୁ ମିଳୁଛି। ଠିକାଦାର ଓ ଯନ୍ତ୍ରୀଙ୍କ ସଲାସୁତୁରାରେ ନିମ୍ନମାନର କାମ କରାଯାଇଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି। ଫଳରେ ସ୍ଥାନୀୟ ଚାଷଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସରକାର ଚାଷୀ ସମସ୍ୟା ନେଇ କେନାଲ ମରାମତି କରିଥିଲେ ହେଁ ବର୍ତ୍ତମାନ ତାହା କେଉଁ କାମରେ ଲାଗିବ ବୋଲି ଚର୍ଚ୍ଚା ହେଉଛି। ଆରମ୍ଭରୁ ବେଡ କଂକ୍ରିଟ ଗୁଡିକ ଦବି ଯାଇଥିବା କେନାଲରୁ ଜଳଯୋଗାଣ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏ ନେଇ ବିଭାଗୀୟ ଯନ୍ତ୍ରୀ କେ. ରାଓଙ୍କୁ ପଚାରିବାରୁ  ଏବେ ତ କେନାଲରେ ପାଣି ଆସୁଛି, ପାଣି ବନ୍ଦ ହେଲେ ଠିକାଦାର ଖରାପ ହୋଇଥିବା ସ୍ଥାନ ମରାମତି କରିବେ ବୋଲି କହିଥିଲେ। ଠିକାଦାରଙ୍କ ଏ ପର୍ଯ୍ୟନ୍ତ ବିଲ ମଧ୍ୟ କରାଯାଇ ନାହିଁ। ନୂଆମାଟି ହାଲୁକା ଥିଲା, ସେଥିପାଇଁ ଭାଙ୍ଗିଗଲା ବୋଲି କହିଥିଲେ। ଏଥିପ୍ରତି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଦୃଷ୍ଟି ଦେବାକୁ ଚାଷୀ ମହଲରେ ଦାବି ହେଉଛି।