25 June 2017
9:03:47 AM
Sambad News
କନ୍ଧମାଳ

ବାଲିଗୁଡ଼ା ଜରାଶ୍ରମରେ ଅଘଟଣ : ଦିବ୍ୟାଙ୍ଗ ପତ୍ନୀକୁ ହତ୍ୟା

କନିଅର ଫଳ ଖାଇ ସ୍ୱାମୀ ଅସୁସ୍ଥ

By Sambad | Date: Dec 23 2016 9:31PM
ବାଲିଗୁଡ଼ା ଜରାଶ୍ରମରେ ଅଘଟଣ : ଦିବ୍ୟାଙ୍ଗ ପତ୍ନୀକୁ ହତ୍ୟା

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବନବାସୀ ସେବା ସମିତି ଦ୍ୱାରା ପରିଚାଳିତ ଜରାଶ୍ରମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଜରାଶ୍ରମରେ ରହୁଥିବା ଦୃଷ୍ଟିହୀନ ବୃଦ୍ଧା ଝୁନୁ ବେହେର୍ଦ୍ଦଳାଇ (୬୦)ଙ୍କୁ ତାଙ୍କ ସ୍ୱାମୀ ପ୍ରକାଶ ଧାରୁଆ କଟୁରୀରେ ଆକ୍ରମଣ କରିଥିଲେ। ପେଟକୁ ଭୁସି ଦେବାରୁ ଘଟଣାସ୍ଥଳରେ ପ୍ରବଳ ରକ୍ତ ସ୍ରାବ ହୋଇଥିଲା। ପରେ ଝୁନୁଙ୍କୁ ଆମ୍ବୁଲାନ୍ସ ଯୋଗେ ବାଲିଗୁଡା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷିତ କରିଥିଲେ। ହତ୍ୟା କରି ପ୍ରକାଶ ଜଙ୍ଗଲ ଆଡକୁ ଦୌଡି ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଜରାଶ୍ରମ କର୍ମଚାରୀ, ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିଥିଲେ। ତାଙ୍କୁ ସେଠାରେ ଲୋକେ ନିର୍ଧୁମ ପିଟିବା ସହ ଅଟକ ରଖିଥିଲେ। ଏହି ସମୟରେ ପ୍ରକାଶ କନିଅର ଫଳ ଖାଇଦେଇଥିଲେ। ଖବରପାଇ ପୁଲିସ ପହଞ୍ଚି ଜରାଶ୍ରମ ଭିତରୁ ଗିରଫ କରିଥିଲା। ତେବେ ସେ ବାନ୍ତି କରିବାରୁ ତାଙ୍କୁ ବାଲିଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି। ସୁସ୍ଥ ହୋଇ ଆସିଲେ ପଚରାଉଚରା କରାଯିବ । ତେବେ ପୂର୍ବରୁ ରହିଥିବା ପାରିବାରିକ ଗଣ୍ଡଗୋଳକୁ ନେଇ ଭୁସି ହତ୍ୟା କରିଥିବା ଜଣାପଡିଥିବା ପୁଲିସ କହିଛି। 

 
ମିଳିଥିବା ସୂଚନା ଅନୁଯାୟୀ, ସାରଙ୍ଗଗଡ ଅଞ୍ଚଳ ଝୁନୁ ଓ ତାଙ୍କ ସ୍ୱାମୀ ପ୍ରକାଶଙ୍କ ମଧ୍ୟରେ ବହୁଦିନ ହେଲା ମତଭେଦ ରହିଥିଲା। ଏହାର ସମାଧାନ ପାଇଁ ସେମାନେ ଗତ ଅକ୍ଟୋବର ୩ତାରିଖରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ହାଜର ହୋଇଥିଲେ।  ଜିଲ୍ଲାପାଳ ଝୁନୁଙ୍କୁ ବାଲିଗୁଡା ସ୍ଥିତ ବନବାସୀ ସେବାଶ୍ରମ ପରିଚାଳିତ ଜରାଶ୍ରମରେ ରହିବାକୁ କହିଥିଲେ। ସେହିଦିନ ଠାରୁ ଝୁନୁ ସେଠାରେ ରହିଆସୁଥିଲେ। ହେଲେ ଆଜି ପ୍ରାୟ ୧୧ଟା ବେଳେ ଜରାଶ୍ରମ କାନ୍ଥ ଡେଇଁ ପ୍ରକାଶ ଜରାଶ୍ରମ ଭିତରେ ପଶିଥିଲେ। ହାତରେ ଧାରୁଆ କଟୁରୀ ଧରି ଝୁନୁଙ୍କୁ ଖୋଜିଥିଲେ। ପରେ ଝୁନୁକୁ ପାଇ ପେଟକୁ ଭୁଷି ଦେଇଥିଲେ। ସେଠାକାର କର୍ମଚାରୀ ମାନେ କିଛି ଚିନ୍ତା କରିବା, ପ୍ରତିରୋଧ କରିବା ପୂର୍ବରୁ ଝୁନୁକୁ ଆକ୍ରମଣ ହୋଇଥିଲା। ସେ ତଳେ ପଡି ଚିତ୍କାର କରିବା ବେଳେ ପ୍ରକାଶ ସେଠାରୁ ଫେରାର ହେବାକୁ ଚେଷ୍ଟାକରିଥିଲେ। ଲୋକେ ତାଙ୍କୁ କାବୁ କରି ପିଟିବା ସହ ପୁଲିସକୁ ହସ୍ତାନ୍ତର କରିଥିଲେ। ଏନେଇ ଥାନାରେ ଜରାଶ୍ରମ ଅଧୀକ୍ଷକ ମାଧବ ଗମାଙ୍ଗ ଅଭିଯୋଗ କରିବା ପରେ ଏକ ମାମଲା ନଂ. ୧୮୫/୧୬ ରୁଜୁ ହୋଇଛି।