26 May 2017
2:53:26 PM
image
Sambad News
କନ୍ଧମାଳ

ଡିସେମ୍ବର ୨୫ କୁଇ ସମାଜର କନ୍ଧମାଳ ବନ୍ଦ ଡାକରା

ପ୍ରଶାସନ ସହ ଆଲୋଚନା ହୋଇନି, ଏଣେ ସୁରକ୍ଷା କଡ଼ାକଡ଼ି

By Sambad | Date: Dec 24 2016 11:10AM
ଡିସେମ୍ବର ୨୫ କୁଇ ସମାଜର କନ୍ଧମାଳ ବନ୍ଦ ଡାକରା

ଫୁଲବାଣୀ: ଡିସେମ୍ବର ୨୫ ଖ୍ରୀଷ୍ଟଧର୍ମାବଲମ୍ବୀ ମାନେ ପାଳିବେ ବଡ ଦିନ। ଏହି ଦିନ ପ୍ରତିବର୍ଷ କୁଇ ସମାଜ ପକ୍ଷରୁ ସହିଦ ଦିବସ ପାଳନ କରି କନ୍ଧମାଳ ବନ୍ଦ ଡାକରା ଦିଆଯାଉଛି। ଚଳିତ ବର୍ଷ ମଧ୍ୟ ବନ୍ଦ ନିମନ୍ତେ କୁଇ ସମାଜ ସମନ୍ଵୟ ସମିତିର ସାଧାରଣ ସମ୍ପାଦକ ଲମ୍ବୋଦର କହଁର ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି।
   

ଗତ ୨୦ ତାରିଖରେ କେ.ନୂଆଗାଁଠାରେ ଅନୁଷ୍ଠିତ କୁଇ ସମାଜର ବୈଠକରେ ସର୍ବସମ୍ମତିକ୍ରମେ ଡିସେମ୍ବର ୨୫ ବନ୍ଦ ଡାକରା ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। କନ୍ଧମାଳରେ ମେଡିକାଲ ପ୍ରତିଷ୍ଠା, ଖାଲି ପଡିଥିବା ଡାକ୍ତର ପଦବି ପୂରଣ, ଜଙ୍ଗଲ ଜମି ପଟ୍ଟା, ଜଙ୍ଗଲ ଅଧିକାର ଆଇନ, ଜାଲ ପ୍ରମାଣ ପତ୍ର ତଦନ୍ତ ତୁରନ୍ତ ଶେଷ, ନିର୍ବାଚନରେ ଆଦିବାସୀଙ୍କ ନିମନ୍ତେ ୨ ସନ୍ତାନ ନୀତି ଉଚ୍ଛେଦ, ସରକାରୀ କାର୍ଯ୍ୟାଳୟରେ କନ୍ଧମାଳର ଶିକ୍ଷିତ ବେକାର ଯୁବକ ଓ ଯୁବତୀଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ଆଦି ବିଭିନ୍ନ ଦାବି ନେଇ କୁଇ ସମାଜ ବନ୍ଦ ଡାକରା ଦେଇଆସୁଛି।

ହେଲେ ସରକାର ଦାବି ପୂରଣ କରୁନାହାନ୍ତି କି ସମସ୍ୟାର ସମାଧାନ ହେଉନି ବୋଲି ଶ୍ରୀ କହଁର କହିଛନ୍ତି। ବନ୍ଦ ଡାକରାକୁ କନ୍ଧମାଳବାସୀ ପୂର୍ଣ୍ଣ ସମର୍ଥନ ଜଣାଇବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଏ ନେଇ ଜିଲ୍ଲାପାଳ ରଘୁଜିଙ୍କୁ ପଚାରିବାରେ, ବନ୍ଦ ପାଳନ ନେଇ ତାଙ୍କ ପାଖରେ କୌଣସି ଖବର ନାହିଁ। କନ୍ଧମାଳରେ ବଡଦିନ ସୁରୁଖୁରୁରେ ପାଳନ ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।
   

ଏସ୍‌ପି ପିନାକ ମିଶ୍ରଙ୍କୁ ପଚାରିବାରେ, କୁଇ ସମାଜ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବାକୁ ଡାକରା ହୋଇଛି। ଅନ୍ୟପକ୍ଷରେ ଡିସେମ୍ବର ୨୫ ବଡ ଦିନ ପାଳନ ନିମନ୍ତେ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ଓ  ଆଇନଶୃଙ୍ଖଳା ପ୍ରତି କଡା ନଜର ରହିବ ବୋଲି ସେ କହିଛନ୍ତି। ସୁରକ୍ଷା ନିମନ୍ତେ  ୨୩ ପ୍ଲାଟୁନ ପୁଲିସ ଫୋର୍ସ, ୨୫ଜଣ ଇନ୍ସପେକ୍ଟର ର‍୍ୟାଙ୍କର ଅଧିକାରୀ, ସିଆରପିଏଫଙ୍କୁ ନିୟୋଜିତ କରାଯାଇଛି।

ଏଥିସହ କଡାକଡି ଗାଡି ଯାଞ୍ଚ, ଅଜଣା ଲୋକଙ୍କୁ ପଚରାଉଚରା କରାଯାଉଥିବା ସେ କହିଛନ୍ତି। ବନ୍ଦ ଡାକରା ନେଇ ଆସନ୍ତାକାଲି ଆଲୋଚନା ଉପରେ ସମସ୍ତଙ୍କ ନଜର ରହିଛି। ଗତବର୍ଷ ପ୍ରଶାସନ ସହ କୁଇ ସମାଜର ଆଲୋଚନା ବିଫଳ ହୋଇଥିଲା। ହେଲେ ବନ୍ଦ ଡାକରା ସେତେଟା ସଫଳ ହୋଇ ପାରି ନଥିଲା।

image